ମାଲକାନଗିରି: କରୋନା ବଦଳାଇ ଦେଲା ଜୀବିକା। ରାଜ୍ୟସ୍ତରୀୟ ଖେଳାଳୀରୁ ପାଲଟିଗଲେ ଆମାଜନ ଡେଲିଭରୀ ବଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜିଲ୍ଲାର କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲୀ ପଞ୍ଚାୟତର ଚିଡପାଲି ଗ୍ରାମର ରାଜ୍ୟସ୍ତରୀୟ ମାରାଥନ ଧାବକ ଦିଵାନା ଗୁଗଲାତ ଏବେ ବନିଯାଇଛନ୍ତି ଡେଲିଭରୀ ବଏ।

Advertisment

ଲକ୍‌ଡ଼ାଉନ ଯୋଗୁଁ କଲେଜ ବନ୍ଦ ହେବା ସହ ବନ୍ଦ ହୋଇଯାଇଛି କ୍ରୀଡା ଛାତ୍ରାବାସ। ଗୋଟିଏ ପଟେ ବୃଦ୍ଧ ବାପା ମାଆ ଅନ୍ୟପଟେ ନିଜର ପଢା ଖର୍ଚ୍ଚ ଏହାକୁ ତୁଲାଇ ନପାରି ଶେଷରେ ଘର ଘର ବୁଲିକି ଅନଲାଇନ ସାମଗ୍ରୀ ଡେଲିଭରି କରୁଛନ୍ତି। ଦିଵାନା ବିଶାଖାପାଟଣମ୍ ନେଭି ମାରାଥନ ସହ ବହୁ ରାଜ୍ୟସ୍ତରୀୟ ମାରାଥନ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ପାଇଥିବା ବେଳେ ଜିଲ୍ଲା ତଥା ରାଜ୍ୟ ପାଇଁ ଆଣିଥିଲେ ଗୌରବ। ୫ ବର୍ଷ ଧରି ମାଲକାନଗିରି କ୍ରୀଡା ଛାତ୍ରାବାସରେ ରହି ପ୍ରଶିକ୍ଷଣ ନେଇଛନ୍ତି। କିନ୍ତୁ କରୋନା ମାଡରେ ଶେଷରେ ତାଂକର ଜୀବିକା ସ୍ବପ୍ନ ବଦଳାଇ ଦୁଇ ପଇସା ରୋଜଗାର ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ ଏବଂ ସଟ୍‌ଡାଉନ ଯୋଗୁଁ ବୃଦ୍ଧ ବାପା ମାଆଙ୍କୁ ପୋଷିବା ପାଇଁ ଶେଷରେ ସେ ନିଜର ସ୍ବପ୍ନକୁ ଜଳାଞ୍ଜଳି ଦେଇ କିଛି କାମ କରି ଦିପଇସା ରୋଜଗାର କରିବା ପାଇଁ ବାହାରି ପଡିଥିଲେ।

publive-image Sambad

ମାଲକାନଗିରି ସହର ଠାରୁ ତାଂକ ଘର ୧୫ କିଲୋମିଟର ହୋଇଥିବା ବେଳେ ଘରୁ ସାଇକେଲରେ ଆସିବା ସହ ସାଇକେଲରେ ହିଁ ବୁଲି ବୁଲି ଅନଲାଇନ ସାମଗ୍ରୀ ଗୁଡିକକୁ ଡେଲିଭରୀ କରୁଛନ୍ତି। କିନ୍ତୁ ଏହାରି ଭିତରେ ଦିଵାନାଙ୍କର ଭାଙ୍ଗିନାହିଁ ସ୍ବପ୍ନ। ସକାଳୁ ଉଠି ନିଜ ଗାଁରେ ପ୍ରତିଦିନ ଦୌଡିବା ଅଭ୍ୟାସ ଜାରି ରଖିଛନ୍ତି। ପୁଣି ସେ ଜିଲ୍ଲା, ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି। ଆଗକୁ ସେ କ୍ରୀଡା ପ୍ରଶିକ୍ଷକ ହେବା ପାଇଁ ଆଶା ରଖିଛନ୍ତି। ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିଲେ ମଧ୍ୟ କ୍ରୀଡା ପ୍ରତିଭାଙ୍କ ଅଭାବ ନାହିଁ। ଯଦି ପ୍ରଶାସନ ଏବଂ ସରକାର ସହାୟତାର ହାତ ବଢାନ୍ତି ତେବେ ଆଗାମୀ ଦିନରେ ବହୁ କ୍ରୀଡା ପ୍ରତିଭା ସୃଷ୍ଟି ହୋଇପାରିବେ। ଦିଵାନଙ୍କୁ ନେଇ ମାଲକାନଗିରି ଜିଲ୍ଲା ଗର୍ବିତ ଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଦିଵାନା ଗୁଗଲାତ।