ତୁଷୁରା : ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଓ ଡାକ୍ତର ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକଙ୍କ ପଦଯାତ୍ରା

୯୯ ବର୍ଷ ପୁରୁଣା ତୁଷୁରା ଡାକ୍ତରଖାନା ଅବହେଳିତ,ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ କରୁଛନ୍ତି ରୋଗୀସେବା

ତୁଷୁରା/ଦେଓଗାଁ/ବଲାଙ୍ଗୀର: ବ୍ରିଟିଶ ଅମଳରେ ନିର୍ମିତ ବଲାଙ୍ଗୀର ଜିଲ୍ଲା ତୁଷୁରାର ଡାକ୍ତରଖାନା ଅବହେଳିତ ଅବସ୍ଥାରେ ପଡ଼ି ରହିଥିବାରୁ ସ୍ଥାନୀୟ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଓ ଡାକ୍ତର ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ତୁଷୁରାରୁ ବଲାଙ୍ଗୀର ୩୨ କିଲୋମିଟର  ପଦଯାତ୍ରା କରିଛନ୍ତି ।

ଇଂରେଜ ଶାସନ ସମୟରେ ତିଆରି ହୋଇଥିବା ତୁଷୁରା ଡାକ୍ତରଖାନାକୁ ଆଉ କିଛି ମାସ ପରେ ୧୦୦ ବର୍ଷ ପୂରିବ। ୧୯୨୨ ମସିହାରୁ ଆରମ୍ଭ ହୋଇଥିବା ଏହି ଡାକ୍ତରଖାନା ୯୯ବର୍ଷ ଭିତରେ ଆଖିଦୃଶିଆ ବଡ଼ ଧରଣର ପରିବର୍ତନ ହୋଇ ନାହିଁ। ଆଗରୁ ଯାହା ଅଛି ତାହା ଏବେ ବି ଚାଲୁଛି। ଜଣେ ଏମ୍‌ବିବିଏସ୍ ଡାକ୍ତର ପଦବି ଓ ୬ ଶଯ୍ୟା ଥିବା ଏହି ଡାକ୍ତରଖାନା ଖାଲି କୋଠାବାଡ଼ି ତିଆରିକୁ ଛାଡ଼ିଦେଲେ ଡାକ୍ତର ସଂଖ୍ୟା ବୃଦ୍ଧି କରିବା ଆଦି ପ୍ରସଙ୍ଗକୁ ସରକାର ଭୁଲି ଯାଇଛନ୍ତି। ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ତଥା କନ୍ଧମାଳ ଜିଲ୍ଲାରୁ ଦୈନିକ ୨ଶହରୁ ଅଧିକ ରୋଗୀ ତୁଷୁରା ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଜଣେ ଡାକ୍ତର ଥିବାରୁ ସେ ଛୁଟିରେ ଥିଲେ ରୋଗୀ ଡାକ୍ତରଖାନାକୁ ଆସି ଫେରିବା, ବଲାଙ୍ଗୀରକୁ ଯିବା କିଂବା ଗୁରୁତର ରୋଗୀ ବାଟରେ ମରିବା ହିଁ ସାର ହୋଇଥାଏ।

ଦୀର୍ଘଦିନ ହେଲା ଏଠାରେ ଡାକ୍ତର କେହି ନାହାନ୍ତି। ଫଳରେ ଫାର୍ମାସିଷ୍ଟ ହିଁ ଡାକ୍ତରଖାନା ସମ୍ଭାଳୁଛନ୍ତି। ଇତିମମଧ୍ୟରେ ଡାକ୍ତରଖାନାର ଉନ୍ନତି କରିବା ପାଇଁ ବିଭିନ୍ନ ସମୟରେ ଅନେକ ସଂଗଠନ ପକ୍ଷରୁ ଆନ୍ଦୋଳନ, ଧାରଣା ସହ ଆମରଣ ଅନଶନ ହୋଇଥିଲା। କିନ୍ତୁ କୌଣସି ପଦକ୍ଷେପ ନ ନେବାରୁ ତୁଷୁରା ୟୁଥ୍‌ ଏକ୍ସନ୍‌ କମିଟି ସୋମବାର ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଓ ଡାକ୍ତର ନିଯୁକ୍ତି ଦାବି କରି ତୁଷୁରାରୁ ବଲାଙ୍ଗୀର ୩୨ କିମି ପଦଯାତ୍ରା କରିଛି। ଏହି ପଦ ଯାତ୍ରାରେ ବିଭିନ୍ନ ଯୁବ ସଂଗଠନ, ମହିଳା ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ଉଦ୍ଦେଶ୍ୟରେ ବଲାଙ୍ଗୀର ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର