ଜୟପୁର: ବହୁ ବର୍ଷ ପରେ ଗତ ୫ବର୍ଷ ତଳେ କୋରାପୁଟ ଜୟପୁରରେ ଦ୍ବିତୀୟ ଦୈନିକ ବଜାର ଆରମ୍ଭ ହୋଇଥିଲା। ପ୍ରଥମ ଦୈନିକ ବଜାରରୁ ଆମିଷ ବଜାରକୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ବଜାର ମଧ୍ୟରେ ଏବଂ ରାସ୍ତା ଉପରେ ବସି ପନିପରିବା ବିକ୍ରି କରୁଥିବା ମହିଳାଙ୍କୁ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁ ଚିନ୍ତା କରାଯାଇଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ଏଠାରେ ପନିପରିବା ବିକ୍ରି ପାଇଁ କରାଯାଇଥିବା ସବୁ ପିଣ୍ଡି ଏବେ ଜବଦରଖଲରେ ରହିଛି।

Advertisment

ଅପରପକ୍ଷରେ ପିଣ୍ଡିରେ ସ୍ଥାନ ନ ପାଇ ପୂର୍ବ ଭଳି ପନିପରିବା ବ୍ୟବସାୟୀମାନେ ଦ୍ବିତୀୟ ଦୈନିକ ବଜାର ସମ୍ମୁଖ ରାସ୍ତା ପାର୍ଶ୍ବରେ ବସୁଛନ୍ତି। ମୁଖ୍ୟରାସ୍ତାରୁ ନାଗାର୍ଚ୍ଚୀ ସାହି ଦ୍ବିତୀୟ ଦୈନିକ ବଜାର ଦେଇ ଯାଇଥିବା ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ରାସ୍ତାରେ ପନିପରିବା ବଜାର ବସିବା ଫଳରେ ଏହି ରାସ୍ତାରେ ପ୍ରତି ୫ ମିନିଟରେ ଥରେ ଟ୍ରାଫିକ ଜାମ୍ ହେଉଛି। କେବଳ ଏଠାରେ ନୁହେଁ, ମୁଖ୍ୟରାସ୍ତା ଓ ଓଏସଆରଟିସି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ବି ଏନଏଚ ପାର୍ଶ୍ବରେ ଏଭଳି ପନିପରିବା ବ୍ୟବସାୟୀମାନେ ବସୁଛନ୍ତି। ଏହାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।