ବାଳକାଟି ବଜାରରେ ଉପଜିଲ୍ଲାପାଳଙ୍କ ଚଢ଼ଉ, ୭ ଦିନ ପାଇଁ ତେଜରାତି ଦୋକାନ ସିଲ

ବାଲିଅନ୍ତା: କୋଭିଡ଼ ନିୟନ୍ତ୍ରଣ ନେଇ ଆଜି ଅପରାହ୍ନରେ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନେତୃତ୍ବରେ ବାଳକାଟି ବଜାରରେ ଅତର୍କିତ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଜଣେ ଅମାନିଆ ତେଜରାତି ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ବିଡିଓ ଆଦିକନ୍ଦ ବେହେରା ପ୍ରମୁଖ ନୂଆପାଟଣା ଗ୍ରାମର ପହଲି ସାହୁଙ୍କ ତେଜରାତି ଦୋକାନରେ ଚଢ଼ଉ କରି ସପ୍ତାହକ ପାଇଁ ସିଲ କରାଇଥିଲେ । ଚଢ଼ଉ ବେଳେ ଦୋକାନରେ ଗ୍ରାହକମାନେ ଖୁନ୍ଦାଖୁନ୍ଦି ସଉଦା କିଣୁଥିବା ବେଳେ ମାସ୍କ ପିନ୍ଧି ନଥିବା ଦେଖାଯାଇଥିଲା ।

ସେହିପରି ଶ୍ରୀ ସାହୁ ମଧ୍ୟ ନିଜେ ମୁହଁରେ ମାସ୍କ ବାନ୍ଧି ନଥିଲେ । ତେଣୁ ତାଙ୍କ ଦୋକାନକୁ ଉପ ଜିଲ୍ଲାପାଳ ଶ୍ରୀ ସାହୁ ସିଲ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନର ଚଢ଼ଉ ସଂପର୍କରେ ଖବର ପ୍ରଚାରିତ ହେବା ପରେ ଅନ୍ୟ ସମସ୍ତ ବ୍ୟବସାୟୀ ଓ ଗ୍ରାହକମାନେ ସଜାଗ ହୋଇଯାଇଥିଲେ । ପରେ ଅଧିକାରୀମାନେ ବାଳକାଟି ପୁରୁଣା ଫାଣ୍ଡିଛକ ଅଞ୍ଚଳରେ ଥିବା ପୋଷାକ ସୋରୁମ ଓ ଅନ୍ୟ ଦୋକାନରେ ଚଢ଼ାଉ କରିଥିଲେ । ତେଣୁ ସେଠାରେ ଲୋକଙ୍କୁ ସତର୍କ କରାଇ ଫେରିଯାଇଥିଲେ । ସେହିପରି ହୋଟେଲରେ ଚଢ଼ଉ କରି ଲୋକଙ୍କୁ ଖାଇବାକୁ ନଦେଇ ପାର୍ସଲ ଦେବା ନେଇ ମାଲିକମାନଙ୍କୁ ତାଗିଦ କରିଥିଲେ । ଚଢ଼ଉ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହିତ କୋଭିଡ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର