ଜୟପୁର: କରୋନାର ଭୟଙ୍କର ଦ୍ବିତୀୟ ଲହର ସବୁଆଡ଼େ ମୃତ୍ୟୁର ବିଭୀଷିକା ରଚୁଛି। ଏହାକୁ ଦୃଷ୍ଟିରେ ରଖି ମାଟ୍ରୀକ ପରୀକ୍ଷାକୁ ବାତିଲ୍ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଆସନ୍ତା ୩୦ତାରିଖ ଦିନ ପରୀକ୍ଷା ଫଳ ପ୍ରକାଶ ପାଇବ। ଜିଲ୍ଲାରେ ଏବର୍ଷ ରେଗୁଲାରରେ ୧୭ହଜାର ୧୫୨ଜଣ, ଏକ୍ସରେଗୁଲାର ୨୯୫୯ଜଣ, ୯୩ଜଣପତ୍ର ବିନିମୟ, ୧୭ଜଣ ପୂର୍ବତନ ପତ୍ର ବିନିମୟ, ୧୬ଜଣ ମଧ୍ୟମା, ୩୫୭ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏଭଳି ୨୦ହଜାର ୫୯୪ଜଣ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଝୁଲିକି ରହିଛି। ଜୀବନ ଥିଲେ, ଆଗକୁ ବହୁ ପରୀକ୍ଷା ସୁଯୋଗ ନେଇ ଆସିବ। ଭବିଷ୍ୟତ ଗଠନ ଦିଗରେ ଏହା ଗୋଟିଏ ମାତ୍ର ସୁଯୋଗ ନୁହେଁ ବୋଲି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ମତ ପୋଷଣ କରିଛନ୍ତି। ତେବେ ମୂଲ୍ୟାଙ୍କନ ଠିକ୍ ନହେଲେ ମେଧାବୀ ପିଲାମାନେ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହେବେ। ତେଣୁ ମୂଲ୍ୟାଙ୍କନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରି ସବୁ ପିଲାଙ୍କୁ ନ୍ୟାୟ ଦେବା ପାଇଁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଭଳି କିଛି ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ମୂଲ୍ୟାୟନ ପଦ୍ଧତି ଠିକ୍ ଓ ସ୍ବଚ୍ଛ ହେଉ ଭଲ ମେଧାବୀ ପିଲା ସବୁବେଳେ ଭଲ ପଢ଼ିବେ।
ବଞ୍ଚିଥିଲେ ଆଗକୁ କେତେ ପରୀକ୍ଷା ଦେବେ। ଏହି ପରୀକ୍ଷାଟି କେବଳ ଗୋଟିଏ ସୁଯୋଗ ନୁହେଁ। ଆଗକୁ ବହୁ ପରୀକ୍ଷା ବହୁ ସୁଯୋଗ ନେଇ ଆସିବ। ତେଣୁ ପରୀକ୍ଷା ବାତିଲ ପଦକ୍ଷେପ ଠିକ୍। ତେବେ ସରକାରଙ୍କୁ ଅନୁରୋଧ ମୂଲ୍ୟାୟନ ଠିକ୍ ଓ ସ୍ବଚ୍ଛ କରନ୍ତୁ।
ବିଷ୍ଣୁ ପ୍ରସାଦ ଷଡଙ୍ଗୀ, ଅଭିଭାବକ
ମୂଲ୍ୟାଙ୍କନକୁ ନେଇ ମନରେ ଦ୍ବନ୍ଦ୍ବ
ଏହି ଭୟଙ୍କର ସମୟରେ ପରୀକ୍ଷା ବାତିଲ ସରକାରଙ୍କ ଏକ ଠିକ ନିଷ୍ପତ୍ତି। କିନ୍ତୁ ମୂଲ୍ୟାଙ୍କନକୁ ନେଇ ମୋ ମନରେ ଦ୍ବନ୍ଦ୍ବ ଉପୁଜୁଛି। ଅଧିକ ମାର୍କ ପାଇଁ ବର୍ଷ ସାରା କଠିନ ପରିଶ୍ରମ କରିଛି। ପରୀକ୍ଷା ହେଇଥିଲେ ମନ ବୁଝିଥା’ନ୍ତା। ବିନା ପରୀକ୍ଷାରେ ମୂଲ୍ୟାଙ୍କନ କେମିତି ହେବ ଓ ମୋତେ ଉପଯୁକ୍ତ ନ୍ୟାୟ ମିଳିବ କି ନା, ସେହି ସନ୍ଦେହ ମୋତେ ବିଚଳିତ କରୁଛି। ତେଣୁ ସରକାର ମୂଲ୍ୟାୟନ ପଦ୍ଧତି ସ୍ପଷ୍ଟ କଲେ, ଭଲ ହୁଅନ୍ତା।
ଶୁଭଶ୍ରୀ ପ୍ରିୟଦର୍ଶନୀ, ଛାତ୍ରୀ
ମେଧାବୀ ଛାତ୍ରଛାତ୍ରୀଙ୍କର କ୍ଷତି ହୋଇପାରେ
ସର୍ବଭାରତୀୟସ୍ତରରେ ଯାହା ହେଲା, ଓଡ଼ିଶା ଅନୁସରଣ କଲା। ନଚେତ୍ ପୂର୍ବରୁ ସେମାନେ ହୁଏତ ଅନ୍ୟ ବିକଳ୍ପ ବ୍ୟବସ୍ଥା ମଧ୍ୟ ଚିନ୍ତା କରୁଥିଲେ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦିଓ ଏ ନିଷ୍ପତ୍ତି ଠିକ୍ ବୋଲି ଆମେ କହିବା, କିନ୍ତୁ ଏଥିରେ ମେଧାବୀ ଛାତ୍ରଛାତ୍ରୀଙ୍କର କ୍ଷତି ହୋଇପାରେ।
ଲକ୍ଷ୍ମୀକାନ୍ତ ମିଶ୍ର, ଶିକ୍ଷାବିତ୍
ଯୁକ୍ତ ୨ ନାମଲେଖା ପାଇଁ ସମସ୍ୟା ଉପୁଜିପାରେ
ପରୀକ୍ଷା ବାତିଲ୍ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଫଳ ପ୍ରକାଶନ ଏବଂ ଯୁକ୍ତ ୨ନାମଲେଖା ପାଇଁ ସମସ୍ୟା ଉପୁଜିପାରେ। ସେଥିପାଇଁ ସ୍ବତନ୍ତ୍ର ଦୂରଦୃଷ୍ଟିସଂପନ୍ନ ନୀତି ଆପଣାଇବାକୁ ପଡ଼ିବ।
ଶୁଭ୍ରାଂଶୁ ପଟ୍ଟନାୟକ, ଶିକ୍ଷାବିତ୍
ଭବିଷ୍ୟତ ଉପରେ ପ୍ରଭାବ ପକାଇବ
ପରୀକ୍ଷା ପାଇଁ ଅନେକ ପିଲା ନିଜକୁ ପ୍ରସ୍ତୁତ କରିଥିଲେ। କିନ୍ତୁ ବାତିଲ୍ ହେବା ଖବର ପିଲାଙ୍କ ଭବିଷ୍ୟତ ଓ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇବ।
ବବିତା ପାତ୍ର, ଅଭିଭାବକ