ବାରିପଦା: ରଙ୍ଗର ପର୍ବ ହୋଲି ତାଙ୍କ ଜୀବନରେ ଆଣିଥିଲା ଏକ ନୂତନ ଫଗୁର ସମ୍ଭାର। ହୋଲିରେ ସରିଥିଲା ନିର୍ବନ୍ଧ। ମେ ୮କୁ ବିବାହ ସ୍ଥିର ହୋଇଥିଲା। ମାତ୍ର କର୍ତ୍ତବ୍ୟ ଆଗରେ ହାର୍ ମାନିଛି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ। କରୋନା କାରଣରୁ ଘୁଞ୍ଚିଛି ବିବାହ। ଏହା ହେଉଛି ବାରିପଦା ପୁଲିସ୍ ବିଭାଗରେ କନ୍ଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଆଶିଷ କୁମାର ଦେ’ଙ୍କ କଥା। ମୋରଡ଼ା ବ୍ଲକ୍ ଗଡ଼ିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ିଆ ଗ୍ରାମର ଆଶିଷ ହେଉଛନ୍ତି ଘରର ସାନପୁଅ।
ବଡ଼ ଭାଇ ଏବଂ ଦୁଇ ଭଉଣୀଙ୍କ ବିବାହ ସରିଛି। ତେଣୁ ତାଙ୍କ ବିବାହକୁ ନେଇ ଘରେ ଥିଲା ନାହିଁନଥିବା ଉତ୍ସାହ। ନିର୍ବନ୍ଧ ସରିବା ଦିନରୁ ବିବାହକୁ ନେଇ ଘରେ ଥିଲା ପ୍ରସ୍ତୁତି। ମାତ୍ର କରୋନା ଦାୟିତ୍ବରେ ବ୍ୟସ୍ତ ଥିବା ଆଶିଷ ଏବେ ଘରକୁ ମଧ୍ୟ ଯାଇପାରୁନାହାନ୍ତି। କରୋନାକୁ ନେଇ ଗଠିତ ହୋଇଥିବା ଉପଜିଲ୍ଲାପାଳଙ୍କ ସ୍କ୍ବାର୍ଡରେ ନିୟୋଜିତ ଅଛନ୍ତି ସେ। ତେଣୁ ସକାଳୁ ଆରମ୍ଭ ହେଉଥିବା ଡ୍ୟୁଟି କେତେବେଳ ସରୁଛି ତାହା କହିବା ମୁସ୍କିଲ୍। ତେଣୁ କରୋନା ଦାୟିତ୍ବ ହିଁ ବର୍ତ୍ତମାନ ପ୍ରାଥମିକତା। ତେଣୁ ଘରେ କହି ସ୍ଥିର ହୋଇଥିବା ବିବାହ ତାରିଖ ଘୁଞ୍ଚାଇଛନ୍ତି ୨୦୦୪ରୁ ପୁଲିସ୍ ବିଭାଗରେ ଚାକିରୀ କରୁଥିବା ଆଶିଷ।
ସେହିପରି ସମାନ କଥା ହେଉଛି ଆଉ ଜଣେ ପୁଲିସ୍ କର୍ମଚାରୀ ଲାନ୍ସ ନାଏକ ବିକାଶ କୁମାର ବାରିକ’ଙ୍କର। ଶୁଳିଆପଦା ଥାନା ଅନ୍ତର୍ଗତ କାଣିମହୁଲୀ ଗାଁ’ର ପୁଅ ବିକାଶ ବର୍ତ୍ତମାନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଟ୍ରୋଲିଂ ସ୍କ୍ବାର୍ଡରେ ନିୟୋଜିତ ଅଛନ୍ତି। ଘରର ସାନ ପୁଅ ବିକାଶଙ୍କର ମଧ୍ୟ ମେ ୮ରେ ବିବାହ ସ୍ଥିର ହୋଇଥିଲା। ଏଇ ଗଲା ୧୭ରେ ହିଁ ନିର୍ବନ୍ଧ ହେବାର ଥିଲା। ମାତ୍ର କରୋନା ଡ୍ୟୁଟି କାରଣରୁ ଉଭୟ ନିର୍ବନ୍ଧ ଏବଂ ବିବାହକୁ ଘୁଞ୍ଚାଇଛନ୍ତି ବିକାଶ। ତାଙ୍କ ବାହାଘରକୁ ବଡ଼ ଭାଇ, ଭାଉଜ ଏବଂ ଦୁଇ ଭଉଣୀଙ୍କ ମନରେ ଥିଲା କେତେ ପ୍ରକାର ଯୋଜନା। ମାତ୍ର କରୋନାର ବିପଦରୁ ବାରପଦାକୁ ମୁକ୍ତ ନକଲା ପର୍ଯ୍ୟନ୍ତ ସେ ଛୁଟି ନେବେନାହିଁ ବୋଲି ଯେପରି ପଣ କରିଛନ୍ତି।
ତେଣୁ ପକ୍ଷ ସହିତ ଆଲୋଚନା କରି ବିବାହ ତାରିଖ ଘୁଞ୍ଚାଇଛନ୍ତି। ଏସ୍ପିଙ୍କ ପାଟ୍ରୋଲିଂ ଡ୍ୟୁଟିରେ ଥିବାରୁ ସବୁବେଳେ ସଜାଗ ରହିବାକୁ ପଡ଼ୁଛି। ଆଜି ପୁଲିସ୍ ଡିଜି ଶ୍ରୀ ଅଭୟ ବାରିପଦା ଗସ୍ତ ବେଳେ ଉଭୟଙ୍କ ସହିତ ଆଲୋଚନା କରିଥିଲେ। ବିବାହ ସମ୍ପର୍କରେ ପଚାରି ବୁଝିବା ସହିତ ସେମାନେ ଚାହିଁଲେ ବିବାହ ସମୟରେ ଛୁଟି ନେଇପାରିବେବୋଲି କହିଥିଲେ ଡିଜିପି। ମାତ୍ର ଉଭୟ କର୍ମଚାରୀ ଛୁଟି ନେବାକୁ ମନା କରିଦେଇଥିଲେ। ସେମାନଙ୍କର କର୍ତ୍ତବ୍ୟ ପ୍ରତି ଏହି ନିଷ୍ଠା ପାଇଁ ଡିଜିପି ଶ୍ରୀ ଅଭୟ ଧନ୍ୟବାଦ ଜଣାଇଥିବା ଉଭୟ ପ୍ରକାଶ କରିଛନ୍ତି। ପୁଲିସ୍ ବିଭାଗର ରାଜ୍ୟ ମୁଖ୍ୟ ସେମାନଙ୍କ ସମ୍ପର୍କରେ ଏପରି ପଚାରି ବୁଝିବା ଉଭୟଙ୍କୁ ବେଶ୍ ଉତ୍ସାହିତ କରିଥିବା ପ୍ରକାଶ।