ମହୁମାଛି ଆକ୍ରମଣରେ ବିବାହିତ ଯୁବକ ମୃତ

ପାଇକସାହି: ମହୁମାଛି ଆକ୍ରମଣରେ ଜଣେ ବିବାହିତ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି । ମୃତକ ହେଲେ ପ୍ରଦୀପ ବେହେରା (୨୭) । ମହୁମାଛି ଆକ୍ରମଣରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିବା ତାଙ୍କର ବାପା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ ପ୍ରଦୀପଙ୍କ ଘର ଠାକୁରଗଡ଼ ଥାନା ଅନ୍ତର୍ଗତ ରାଣୀବନ୍ଧ ଗାଁ ହୋଇଥିବା ବେଳେ ସେ ଶ୍ୱଶୁର ଘରେ ରହି ଆସୁଥିଲେ । ୪ ବର୍ଷ ପୂର୍ବରୁ ସେ କୋରାବ ଗାଁରେ ବିବାହ କରିଥିଲେ । ତାଙ୍କର ଏକ ପୁଅ ଅଛି । ସେ ଗତକାଲି ଗାଁ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ । ଜଙ୍ଗଲରେ ଏକ କୁରୁମ ଗଛରେ ବାଘ ମହୁ ବସା ବାନ୍ଧିଥିଲେ । ନିଆଁ ଲଗାଇ ମହୁ ସଂଗ୍ରହ କରୁଥିବା ବେଳେ ମହୁମାଛିମାନେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଗତକାଲି ପ୍ରଦୀପ ଘରକୁ ଫେରି ନଥିଲେ । ତେଣୁ ତାଙ୍କର ସ୍ତ୍ରୀ ବ୍ୟସ୍ତ ହୋଇ ପଡ଼ିଥିଲେ । ଆଜି ସେ ଗାଁର ଅନ୍ୟ ଲୋକଙ୍କ ସହିତ ଜଙ୍ଗଲକୁ ଯାଇ ସ୍ୱାମୀଙ୍କର ମୃତଦେହ ଠାବ କରିଥିଲେ । ପ୍ରଦୀପଙ୍କ ମୃତ୍ୟୁ ସଂପର୍କିତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା । ପ୍ରଦୀପଙ୍କ ବାପାଙ୍କ ଅଭିଯୋଗ କ୍ରମେ ଠାକୁରଗଡ଼ା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର