ଝାରସୁଗୁଡ଼ା: ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଶନିମନ୍ଦିର ପାଖରେ ଏକ ଭଡ଼ାଘରେ ରହୁଥିବା ଆଦିତ୍ୟ କୁମାର ସାହୁଙ୍କ ପତ୍ନୀ ଅଦିତି ଐଶର୍ଯ୍ୟା(୨୫) ମଙ୍ଗଳବାର ଅପରାହ୍ନରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୁଲିସରେ ଅଭିଯୋଗ ହେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବୁଧବାର ଏହାର ବ୍ୟବଚ୍ଛେଦ କରାଇଛି।

Advertisment

ଅଦିତି ଗତ ଜାନୁୟାରୀ ୨୩ରେ ରାଉରକେଲା ଜଗଡ଼ା ଗ୍ରାମର ଅଲେଖ ବିହାରୀ ସାହୁଙ୍କ ପୁତ୍ର ଆଦିତ୍ୟଙ୍କୁ ବିବାହ କରିଥିଲେ। ମୃତ ମହିଳାଙ୍କ ପିତା ବରଗଡ଼ ମାହାନ୍ତି ପଡ଼ାରେ ରହୁଥିବା ଶ୍ରୀଧର ସାହୁ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅଙ୍କୁ ଯେତୁକ ପାଇଁ ନିଯ୍ୟାତନା ଦିଆଯାଉଥିଲା। ବିବାହ ବେଳେ ବରପକ୍ଷ ୧୦ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ସେ ୮ ଲକ୍ଷ ୨୩ ହଜାର ଟଙ୍କା ପ୍ରଦାନ କରିଥିଲେ। ଆହୁରି ଟଙ୍କା ବାପଘରୁ ଆଣିବାକୁ ଝିଅ ଉପରେ ଚାପ ପ୍ରୟୋଗ କରାଯାଉଥିବା ବେଳେ ତାକୁ ନଯ୍ୟାତନା ଦିଆଯାଇ ମାରି ଦେବାକୁ ଉଦ୍ୟମ କରାଯାଉଥିବା ଶ୍ରୀଧର ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

publive-image

ବିବାହ ପରେ ଜଗଡ଼ା ଠାରେ ଗୋଟିଏ ମାସ ରହିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଝାରସୁଗୁଡ଼ା ଆସି ରହୁଥିଲେ। ମହିଳାଙ୍କ ସ୍ୱାମୀ କାନାରା ବ୍ୟାଙ୍କରେ କାମ କରନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ସ୍ୱାମୀ ଆଦିତ୍ୟ ଓ ତାଙ୍କ ମା’ ବାପାଙ୍କ ନାମରେ ମାମଲା ରୁଜୁ କରିଛି। ଆଦିତ୍ୟ ଅସୁସ୍ଥ ହୋଇ ପଡ଼ିଥିବାରୁ ସେ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆଇଆଇସି ସାବିତ୍ରୀ ବଳ କହିଛନ୍ତି।