ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବାମନଘାଟି ଉପଖଣ୍ଡର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ସ୍ୱାସ୍ଥ୍ୟ ସେବା ସୁଧାର ପାଇଁ ଆଜି ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ବାମନଘାଟି କମିଟି ପକ୍ଷରୁ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ତତ୍ୱାବଧାନରେ ବାମନଘାଟି ଉପଖଣ୍ଡ ସାଂଗଠନିକ ସଭାପତି ଦାସ‌ମାତ ସରେନଙ୍କ ନେତୃତ୍ବରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି |

Advertisment

ଉକ୍ତ ଦାବିପତ୍ର ମାଧ୍ୟମରେ ନିବେଦନ କରାଯାଇଛି ଯେ ବାମନଘାଟି ଉପଖଣ୍ଡ ଅଞ୍ଚଳରେ ଥିବା ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ଚିକିତ୍ସାଳୟ ବିଭାଗର ଆବଶ୍ୟକୀୟ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରାଯାଉ, ପାଞ୍ଚଟି ସ୍ୱର୍ଗରଥ ଗାଡି ବ୍ୟବସ୍ଥା କରାଯିବା, ୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲାଯାଉ, ଶୌଚାଳୟକୁ ୨୪ ଘଣ୍ଟା ପରିଷ୍କାର ରଖାଯାଉ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଉ, କିଡନୀ ଡାଇଲେସିସ୍‌ ଖୋଲାଯିବା, ସିଟି ସ୍କାନ୍ ଓ ଅଲ୍ଟ୍ରା ସାଉଣ୍ଡ ଖୋଲାଯାଉ, ରୋଗୀ ମାନଙ୍କ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହିତ ବାମନଘାଟି ଉପଖଣ୍ଡରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ କରାଯିବା ସହିତ ୨୪ ଘଣ୍ଟା ଡାକ୍ତର ରହିବାର ବ୍ୟବସ୍ଥା କରାଯିବା ନିମନ୍ତେ ଦାବି କରିଛନ୍ତି |

ବାମନଘାଟି ଉପଖଣ୍ଡ ଅଞ୍ଚଳର ଲୋକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ମାସାଆର୍ମୀ ସଂଗଠନର ଉକ୍ତ ଦାବି ପ୍ରତି ଯଦି ପ୍ରଶାସନ ଓ ସରକାର ଦୃଷ୍ଟି ନ ଦିଅନ୍ତି ତାହେଲେ ଜନ ସାଧାରଣଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି ମାସା ଆର୍ମି | ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ,ବାମନଘାଟି ସାଂଗଠନିକ ସମ୍ପାଦକ କାହ୍ନୁ ମୁର୍ମୁ,ବାରଷା ଟୁଡୁ,ସୁଦର୍ଶନ ହେମ୍ବ୍ରମ,ଦୁଲା ଟୁଡୁ, ସୁନାରାମ ମୁର୍ମୁ,ସୁରାଇ ମୁର୍ମୁ,ଅଜୟ ମାରାଣ୍ଡି,କରିଆ ହାଁସଦା, ଆଇନଜିବୀ ଅମିତ କୁମାର ବୈଠା,ସୁରେନ୍ଦ୍ର ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।