ମଶାଣିବନ୍ଧୁଙ୍କ ମାନବୀୟ କାର୍ଯ୍ୟକୁ ବିଦେଶରେ ପ୍ରଶଂସା

ସହାୟତା ପାଇଁ ମନ ବଳାଇଲେ ଇଂଲଣ୍ଡର ‘ଜୁହାର ପରିବାର’

ସୁନ୍ଦରଗଡ଼: କରୋନା କାଳରେ ମାନବିକତା ମରି ମରି ଯାଉଛି। ଆପଣା ଲୋକ ବି ପର ହୋଇ ଯାଉଛି। ସଂକ୍ରମଣ ଭୟରେ ମୃତକଙ୍କ ଶବ ସତ୍କାର କରିବା ତ ଦୂରର କଥା ଛୁଇଁବାକୁ ଆତ୍ମୀୟ ପରିଜନ ପଛଘୁଞ୍ଚା ଦେଉଥିବାର ଅମାନବୀୟ ଖବର ସବୁ ଅନେକ ସ୍ଥାନରୁ ଆସୁଛି। ଏସ୍ଥିତିରେ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମିତଙ୍କ ଶବ ସତ୍କାରର ଅତ୍ୟନ୍ତ ମହତ୍ କାର୍ଯ୍ୟଟି କରି ଚାଲିଛନ୍ତି ସୁନ୍ଦରଗଡ଼ର ଚାରି ମଶାଣି ବନ୍ଧୁ। କେବଳ କରୋନା ସଂକ୍ରମିତ ନୁହନ୍ତି, ସାଧାରଣ ଭାବେ ପ୍ରାଣ ହରାଇଥିବା ଆଲୋଡ଼ା, ଅପରିଚିତ ବ୍ୟକ୍ତିଙ୍କ ଶବ ମଧ୍ୟ ସତ୍କାର କରି ଆସୁଛନ୍ତି ଗତ ୧୫ ବର୍ଷ ହେଲା। ଆଉ ମଶାଣିବନ୍ଧୁଙ୍କ ଏହି ମାନବୀୟ କାର୍ଯ୍ୟର ମହକ ସୁନ୍ଦରଗଡ଼ରୁ ସୁଦୂର ଇଂଲଣ୍ଡ ଓ ଆମେରିକା ମାଟିରେ ପହଞ୍ଚିଛି।

ଇଂଲଣ୍ଡରେ ଥିବା ଓଡ଼ିଆ ‘ଜୁହାର ପରିବାର’ ହ୍ବାଟସ୍ଆପ୍ ମାଧ୍ୟମରେ ଚାରିବନ୍ଧୁଙ୍କୁ ସାଧୁବାଦ ଜଣାଇଛନ୍ତି। ଏପରିକି କିଛି ଦିନ ତଳେ ‘ଜୁହାର ପରିବାର’ର ସଦସ୍ୟ ଅଙ୍କନ ପଟେଲ, ଶ୍ରୀରାମ ପଣ୍ଡା, ଦେବାଶିଷ ମିଶ୍ର ଓ ଉତ୍ତମ କୁମାର ତ୍ରିପାଠୀ ମଶାଣିବନ୍ଧୁ ସିଦ୍ଧାନ୍ତ ପଣ୍ଡାଙ୍କ ସହ ଫୋନ ଯୋଗେ କଥା ହେଇ ଏହି ମହନୀୟ ସେବା ପାଇଁ ସେମାନେ ବିଦେଶରେ ଥାଇ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରୁଥିବା ଓଡ଼ିଆ ପରିବାର ଓ ସୁନାରିପଡ଼ାର ସନ୍ତୋଷ କୁମାର ଦାସ ମଧ୍ୟ ଏଥିପାଇଁ ଢେର୍ ପ୍ରଶଂସା କରିବା ସହ ଚାରିବନ୍ଧୁଙ୍କୁ ସଲାମ ଜଣାଇଛନ୍ତି।

ଏହି ଅବସରରେ ବିଦେଶରେ ଥିବା ଏହି ଦୁଇ ଗ୍ରୁପ୍ ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସେମାନେ ମଧ୍ୟ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସ୍ବର୍ଗଦ୍ବାରର ଉନ୍ନତିକରଣ, ଗରିବ ଓ ଅସହାୟଙ୍କ ଶେଷକୃତ୍ୟ ପାଇଁ ଆବଶ୍ୟକ ସୁବିଧା, ସହାୟତା ଦେବାକୁ ଚାହିଛନ୍ତି। ପ୍ରକାଶଯୋଗ୍ୟ, ୧୫ ବର୍ଷ ତଳେ ମଶାଣିରେ ଶବ ସତ୍କାର ଆରମ୍ଭ କରିଥିବା ତିନି ବନ୍ଧୁ ସିଦ୍ଧାନ୍ତ, ମନୋଜ ଓ ଶିଶିର କୋକେଇ ବାନ୍ଧିବା ଠାରୁ ଜୁଇ ସଜାଡ଼ି ଦାହ ସଂସ୍କାର ଓ ମୃତକଙ୍କ ଅସ୍ଥି ପରିବାରକୁ ପ୍ରଦାନ କରିବା ଯାଏ ସବୁ କାମ କରି ଆସୁଥିଲେ। ଧିରେ ଧିରେ ସହରରେ ବୁଲୁଥିବା ଭିକାରୀ, ପାଗଳ ଓ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କୁ ଖୋଜା ପଡ଼ିଲା। ଏପରିକି ଅଲୋଡ଼ା, ଅପରିଚିତ ମୃତ ଦେହର ସତ୍କାର ପାଇଁ ମଧ୍ୟ ପୁଲିସ, ପ୍ରଶାସନ ସେମାନଙ୍କ ସହାୟତା ଲୋଡ଼ିଲା।

ଗତବର୍ଷ କୋରୋନା କାଳରେ ତିନି ବନ୍ଧୁଙ୍କୁ ଶବ ସତ୍କାର ଲୋକଲୋଚନକୁ ଆସିଥିଲା। ଏହି ସମୟରେ ତାଙ୍କ ସହ ସାମିଲ ହୋଇଥିଲେ ଅନ୍ୟ ଜଣେ ବନ୍ଧୁ କମଳେଶ। ଜଣେ କୋଭିଡ୍ ସଂକ୍ରମିତଙ୍କ ଶବ ସତ୍କାର ପାଇଁ କେହି ନଆସିବାରୁ ପୌର ପ୍ରଶାସନ ଚାରିବନ୍ଧୁଙ୍କ ସହାୟତା ନେଇଥିଲା। ଏହା ପରଠାରୁ ସେମାନେ ଆଉ ପଛକୁ ଫେରି ନାହାନ୍ତି। ଏବେ କରୋନା ସମୟରେ ତାଙ୍କ କାର୍ଯ୍ୟ ବଢ଼ିଯାଇଛି। ଏସ୍ଥିତିରେ ନିଶୁଳ୍କ ସେବା ଯୋଗାଉଥିବା ଚାରିବନ୍ଧୁଙ୍କୁ ଜାତୀୟ ସେବା ସମ୍ମାନ ପାଇଁ ଜିଲ୍ଲା ପ୍ରଶାସନ ସୁପାରିସ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର