ଖୋର୍ଦ୍ଧା: କରୋନା ସଂକ୍ରମଣ ଭୟବହତା ହ୍ରାସ ପାଇଛି। ଏହା ସହ ମହାମାରୀକୁ ଦୃଷ୍ଟିରେ ୨୦୨୦ ମାର୍ଚ୍ଚ ମାସରୁ ବାହାରକୁ ବାହାରିବା, ଜନଗହଳି ଠାରୁ ଦୂରେଇ ରହିବା ଆଦି କଟକଣା ମଧ୍ୟ କୋହଳ ହୋଇଛି। ଏହି କୋହଳ ହେବା ପରେ ଲୋକମାନେ ମାସ୍କ ନିୟମିତ ବ୍ୟବହାର କରିବା, ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଦୂରେଇ ଯାଇଛନ୍ତି। ବର୍ତମାନ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ଲେଉଟିଥିବାରୁ ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ପୁଣି ଥରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଆଦି କଟକଣା କଡ଼ାକଡ଼ି ପାଳନ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଆଜି କରୋନା ସଂକ୍ରମଣ ଓ ସମ୍ଭାବ୍ୟ କଟକଣା ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଦେଶର କେତେକ ରାଜ୍ୟରେ ହ୍ରାସ ପାଇଥିବା ସଂକ୍ରମଣ ପୁଣିଥରେ ବଢ଼ିଯାଇଛି।

Advertisment

ଏହାକୁ ଦୃଷ୍ଟିରେ ରଖି ଲୋକମାନେ ପୁଣିଥରେ ମାସ୍କ, ହାତଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ପାଳନ କରିବାରେ ଯେଭଳି ସତର୍କତା ଅବଲମ୍ବନ କରିବେ ସେନେଇ ଦୃଷ୍ଟି ଦେବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପ୍ରଶାସନକୁ ନିଦ୍ଦେଶ ଦେଇଛନ୍ତି। ଏହାପରେ ଜିଲ୍ଲାସ୍ତରରେ ବିଡିଓ, ତହସିଲଦାର, ପୁଲିସ ଅଧିକାରୀ, ଚିକିତ୍ସାଧିକାରୀ ଆଦିଙ୍କୁ ନେଇ ଆଲୋଚନା କରିଛୁ। ଆଜି ମଧ୍ୟ ଏନେଇ ଆଲୋଚନା କରିବୁ। ଲୋକମାନେ ପୂର୍ବରେ ଯେଭଳି ନିୟମପାଳନ କରୁଥିଲେ ଅନୁରୂପ ପାଳନ କରିବାକୁ ପୁଣି ଥରେ ଏନ୍‌ଫୋର୍ସମେଣ୍ଟ  କରାଯିବ। ଏନେଇ ବାଲୁଗାଁରେ ମାଇକ୍ ପ୍ରଚାର ଆରମ୍ଭ ହୋଇଯାଇଛି | ଜିଲ୍ଲାର ଅନ୍ୟସ୍ଥାନଗୁଡ଼ିକରେ ମଧ୍ୟ ଏନେଇ ସଚେତନ ଓ ସତର୍କ କରାଯିବ।