ବାରିପଦା: କରୋନା ସମୟରେ ବଜାରରେ ମାସ୍କର ଅଭାବକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି ଆର୍ଡିଏସି ବାରିପଦା ଦ୍ବାରା ପରିଚାଳିତ ସ୍ବଧାର ଓ ଉଜ୍ଜ୍ବଳା ଗୃହର ଅନ୍ତେବାସୀ। ଗୃହର ଅନ୍ତେବାସିନୀମାନଙ୍କ ସ୍ବୟଂସହାୟିକା ଗୋଷ୍ଠୀ ଏହି ବିଶୋଧିତ ମାସ୍କ ତିଆରି କରି ବଜାରରେ ଉପଲବ୍ଧ କରୁଛନ୍ତି। ସେହିପରି ଜିଲ୍ଲା ପ୍ରଶାସନକୁ ମଧ୍ୟ ମାସ୍କ ଯୋଗାଣ କରୁଛନ୍ତି। ଏଯାବତ୍ ୨ହଜାରରୁ ଅଧିକ ମାସ୍କ ବିକ୍ରି କରିସାରିଥିବା ବେଳେ ୫ହଜାର ନୂତନ ମାସ୍କ ଯୋଗାଣର ଅର୍ଡର ପାଇଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ବଜାରରେ ମାସ୍କ ମିଳୁନଥିବା ବେଳେ ମାତ୍ର ୨୦ଟଙ୍କାରେ ମିଳୁଥିବା ଏହି ବିଶୋଧିତ ମାସ୍କ ସାଧାରଣ ଲୋକଙ୍କ ବେଶ୍ ଉପକାରରେ ଲାଗିପାରୁଛି। କେନ୍ଦ୍ର ସରକାର ମଧ୍ୟ ଏହିପରି କପଡ଼ାରେ ତିଆରି ମାସ୍କ ବ୍ୟବହାର କରିବାକୁ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି। ଆର୍ଡିଏସି ସଂପାଦକ ବିଜୟ କୁମାର ବେହେରାଙ୍କ ଆଗ୍ରହ କ୍ରମେ ଅନ୍ତେବାସିନୀମାନେ ଏହି ମାସ୍କ ତିଆରି କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲ୍ର ଛାତ୍ରଛାତ୍ରୀମାନେ ଏସ୍ଏସ୍ଜି ସୋସାଇଟିରୁ ପିଏମ୍ କେୟାର୍ସ ପାଣ୍ଠିକୁ ୧୬ହଜାର ଟଙ୍କା ପ୍ରଦାନ କରିଛନ୍ତି। ମହାମାରୀ କରୋନା ସହିତ ଲଢ଼ିବାକୁ ଛାତ୍ରଛାତ୍ରୀମାନେ ନିଜର ହାତଖର୍ଚ୍ଚରୁ ସଞ୍ଚିତ ଅର୍ଥ ସଂଗ୍ରହ କରି ଏହି ରାଶି ପ୍ରଦାନ କରିଥିବା ପ୍ରକାଶ।