ମାସ୍କ ସଙ୍କଟ ଦୂର ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ: ଦୈନିକ କମ ଦରରେ ବିକ୍ରି କରୁଛନ୍ତି ୧୩୦୦ରୁ ଉର୍ଦ୍ଧ୍ୱ ମାସ୍କ

୧୦ ମହିଳା ପାରିଶ୍ରମିକ ବାବଦକୁ ପାଉଛନ୍ତି ୩୦୦ ଟଙ୍କା ଲେଖାଁଏ

ରାୟଗଡ଼ା: ବଜାରରେ ମାସ୍କ ସଙ୍କଟ ଦୂର ପାଇଁ ଅଣ୍ଟା ଭିଡ଼ିଛନ୍ତି ମହିଳା ଗୋଷ୍ଠୀ। ଦୈନିକ ୧୩ ଶହରୁ ଉର୍ଦ୍ଧ୍ୱ ମାସ୍କ ତିଆରି କରିବା ସହିତ ଏଥିରେ ନିୟୋଜିତ ୧୦ ମହିଳାଙ୍କୁ ରୋଜଗାରକ୍ଷମ କରିଛନ୍ତି। ଏଯାବତ୍ ମହିଳା ଗୋଷ୍ଠୀ ଗରିବ ଲୋକଙ୍କୁ ୩ ହଜାର ମାସ୍କ ବଣ୍ଟନ କରି ସାରିଥିବା ବେଳେ କମ ଦରରେ ମାସ୍କ ବିକ୍ରି କରି ଚାହିଦା ମେଣ୍ଟାଇବାରେ ସକ୍ଷମ ହୋଇଛି। ଓରମାସ୍ ଓ ଉପାସନା ଟ୍ରଷ୍ଟର ମିଳିତ ସହଯୋଗରେ ଏପରି କାର୍ଯ୍ୟ ଜାରି ରଖିଛନ୍ତି ପିତାମହଲସ୍ଥିତ ଗଡ୍ ହିଲ୍ ସ୍ବଂୟ ସହାୟକ ଗୋଷ୍ଠୀ।

କରୋନା ମୁକାବିଲା ସହ ଗୋଷ୍ଠୀ ସଂକ୍ରମଣକୁ ରୋକିବାକୁ ଏପ୍ରିଲ୍ ୯ ତାରିଖରୁ ମାସ୍କ ପରିଧାନ ବାଧ୍ୟତାମୂଳକ ହେବା ପରେ ବଜାରରେ ମାସ୍କ ସଂକଟ ଦେଖା ଦେଇଥିଲା। ଖୁବ୍ କମ ସମୟ ମଧ୍ୟରେ ବାହାର ରାଜ୍ୟରେ ପ୍ରସ୍ତୁତ ହେଉଥିବା ମାସ୍କ ନ ଆସିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ କପଡାରେ ପ୍ରସ୍ତୁତ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଅନୁରୋଧ କରିଥିଲା। କିନ୍ତୁ ଲୋକାଲ ମାସ୍କ ମଧ୍ୟ ଆବଶ୍ୟକ ଅନୁଯାୟୀ ବଜାରକୁ ନ ଆସିବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଏଥି ପାଇଁ ଜରିମାନା ଗଣିଥିଲେ। ସ୍ଥିତିରେ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ ମାସ୍କ ସଙ୍କଟ ଦୂର ପାଇଁ ପିତାମହଲ ଗଡ୍ ହିଲ୍ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଇଚ୍ଛା ପ୍ରକାଶ କରିବା ପରେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।

ଉପାସନା ଟ୍ରଷ୍ଟ ପକ୍ଷରୁ ସିଲେଇ ମେସିନ୍ ଉପଲବ୍ଧ ହେବା ପରେ ଦୈନିକ ୧୦ରୁ ଉର୍ଧ୍ବ ମହିଳା ଦୁଇଟି ପର୍ଯ୍ୟାୟରେ ମାସ୍କ ତିଆରି ଜାରି ରଖିଛନ୍ତି। ଉତ୍ପାଦନ ପରେ କମ୍ ଦରରେ ମାସ୍କ ବିକ୍ରି କରିବା ସହ ଆଜି ସୁଦ୍ଧା ୩ ହଜାର ମାସ୍କ ଗରିବ ଲୋକଙ୍କୁ ବାଣ୍ଟି ସାରିଲେଣି ମହିଳା ଗୋଷ୍ଠୀ। ଏଥି ସହିତ ମାସ୍କ ତିଆରିରେ ଲାଗିଥିବା ୧୦ ମହିଳାଙ୍କୁ ଦିନକୁ ପାରିଶ୍ରମିକ ବାବଦକୁ ୩ ଶହ ଟଙ୍କା ଲେଖାଁଏ ମିଳୁଥିବା କହିଛନ୍ତି ଗୋଷ୍ଠୀ ଅଧ୍ୟକ୍ଷା ଉଷାରାଣୀ ମିଶ୍ର। ଏପରିକି ସୀମାନ୍ତ ଆଶ୍ରୟସ୍ଥଳୀରେ ଥିବା ପଡୋଶୀ ରାଜ୍ୟ ଓ ଜିଲ୍ଲାର ଅନ୍ତେବାସୀଙ୍କୁ ମଧ୍ୟ ମହିଳା ଗୋଷ୍ଠୀ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି। ରାୟଗଡ଼ା ବିଡ଼ିଓ ରାଜେନ୍ଦ୍ର ମାଝି, ଏବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ, ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟ ଆଞ୍ଚଳିକ ନିର୍ଦେଶକ ରାଜେଶ ପାଢ଼ୀ ମାସ୍କ ତିଆରି କେନ୍ଦ୍ର ପରିଦର୍ଶନ କରି ମହିଳାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର