ଫିରିଙ୍ଗିଆ ବ୍ଲକ୍‌ ଉପାଧ୍ୟକ୍ଷଙ୍କୁ ଖୋଜିବାକୁ ବଡ଼ ସର୍ଚ୍ଚ ଅପରେସନ୍‌

ସାଡ଼ିଙ୍ଗିଆ ଘାଟିରୁ ଅନ୍ତର୍ଦ୍ଧାନ ହୋଇଥିଲେ, ଦୁଇଦିନ ହେଲା ପତ୍ତା ମିଳୁନି

ବ୍ରହ୍ମପୁର: ଦୁଇଦିନ ହେଲା ନିଖୋଜ ଅଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଉପାଧ୍ୟକ୍ଷ ଅଜିତ କୁମାର ସାହୁ। ସେ ଏକ ସଭାକୁ ଯାଉଥିଲେ। ସାଡ଼ିଙ୍ଗିଆ ଘାଟି ରାସ୍ତାରେ ସେ କାର୍‌ରୁ ପରିସ୍ରା କରିବାକୁ ଓହ୍ଲାଇଥିଲେ। ତା’ପର ଠାରୁ ନିଖୋଜ ହୋଇ ଯାଇଛନ୍ତି। ଅଜିତଙ୍କ କାର୍‌ରେ ଚାବି ଝୁଲୁଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ୍ୟ କାର୍‌ ସିଟ୍‌ରେ ରହିଛି। ଜଙ୍ଗଲିଆ ରାସ୍ତାରେ ତାଙ୍କର ଏଭଳି ହଠାତ ଉଭାନ୍‌ ହେବା ନେଇ ଏବେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଏ ନେଇ ଶୁକ୍ରବାର ଫିରିଙ୍ଗିଆ ଥାନାରେ ଏକ ଏତଲା ଦାଏର ହୋଇଛି। ବର୍ତ୍ତମାନ ସୁଦ୍ଧା ଉପାଧକ୍ଷାଙ୍କ କୌଣସି ଖୋଜଖବର ମିଳିପାରି ନଥିବା ବେଳେ ପୁଲିସର ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ତେବେ ଜଣେ ଜନପ୍ରତିନିଧି ଏଭଳି ନାଟକୀୟ ଢଙ୍ଗରେ ହଠାତ୍‌ ନିଖୋଜ ହୋଇଯିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ସବୁଠୁ ବଡ଼ କଥା ହେଲା, ଅଜିତ ନିଖୋଜ ହୋଇଥିବା ସ୍ଥାନ ମାଓପ୍ରବଣ ହୋଇଥିବାରୁ ମାଓ ସଂପୃକ୍ତି ସନ୍ଦେହ ଦ୍ବିଗୁଣିତ ହୋଇଛି। ସୁଚନାଯୋଗ୍ୟ, ଗତ ମେ ମାସ ୧୧ ତାରିଖରେ ମାଓବାଦୀ ଏହି ବ୍ଲକ୍‌ର ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରକଙ୍କୁ ଗୁଳି କରି ହତ୍ୟା କରି ନିଜର ସ୍ଥିତି ଜାହିର କରିଥିଲେ। ତେବେ ଏହି ଘଟଣାକୁ ମାସେ ପୂରିନଥିବା ବେଳେ ଜଙ୍ଗଲିଆ‌ ଘାଟି ରାସ୍ତାରେ ଉପାଧ୍ୟକ୍ଷଙ୍କ ନିଖୋଜ ଚର୍ଚ୍ଚାର ବିଷୟ ପାଲଟିଛି। ‌

ମାଓ ସଂପୃକ୍ତି ସନ୍ଦେହ! ମେ ୧୧ରେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ

ମିଳିଥିବା ସୂଚନା ପ୍ରକାରେ, ଗତ ୨ ତାରିଖ ଶୁକ୍ରବାର ଜେଜେଶପାଙ୍ଗା ଗାଁରେ ବରାଳଦେବୀ ପୂଜା ପାଇଁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଉପାଧ୍ୟକ୍ଷଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରା ଯାଇଥିଲା। ଉପାଧ୍ୟକ୍ଷ ନିଜ କାର୍‌(ଓଡି୧୫ଏମ୍‌-୬୮୬୬)ରେ ରତଙ୍ଗ ପଞ୍ଚାୟତର ସମିତିସଭ୍ୟ ବିରଞ୍ଚି ମଳିକ ଓ ବସନ୍ତ ମାଝୀ ନାମକ ଦୁଇ ସହଯୋଗୀଙ୍କ ସହ ଜେଜେଶପାଙ୍ଗା ଯିବା ପାଇଁ ବାହାରିଥିଲେ। ତେବେ କାର୍ଯ୍ୟକ୍ରମ ବିଳମ୍ବ ହେବାରୁ ସେ ତାଙ୍କ କାର୍‌ରେ ସାଡ଼ିଙ୍ଗିଆ ଯାଉଥିଲେ। ସାଡ଼ିଙ୍ଗିଆ ଯିବା ରାସ୍ତାରେ ଥିବା ଘାଟି ନିକଟରେ ରାତି ପ୍ରାୟ ୯ ବେଳେ କାର୍‌କୁ ରଖି ପରିସ୍ରା କରିବା ପାଇଁ ଓହ୍ଲାଇଥିଲେ।

ପରିସ୍ରା କରିବା ପାଇଁ ଅଜିତ ଗୋଟେ ପଟେ ଯାଇଥିବା ବେଳେ ତାଙ୍କର ଦୁଇଜଣ ସହଯୋଗୀ ଅନ୍ୟପଟେ ପରିସ୍ରା କରିବା ପାଇଁ ଯାଇଥିଲେ। ଅଜିତଙ୍କ ଦୁଇ ସହଯୋଗୀ ପରିସ୍ରା କରି ଫେରିଥିଲେ ବି ଅଜିତ ପାଖରେ ନଥିବା ଦେଖିବାକୁ ପାଇଥିଲେ। ଦୁଇ ସହଯୋଗୀ ଅଜିତଙ୍କୁ ବହୁ ଖୋଜାଖୋଜି କଲା ପରେ ମଧ୍ୟ୍ୟ ପାଇଁ ନଥିଲେ। ଶେଷରେ ରତଙ୍ଗ ସମିତିସଭ୍ୟ ବିରଞ୍ଚି ମଳିକ ଫିରିଙ୍ଗିଆ ଥାନାକୁ ଫୋନ୍‌ ଯୋଗେ ସବୁ କଥା ଜଣାଇବା ପରେ ପୁଲିସ ଏନେଇ ତଦନ୍ତ ଜାରି ରଖିଛି। ତେବେ ଅଜିତଙ୍କୁ କିଏ ଅପହରଣ କରିଛି ନା’ ସେ ନିଜେ କୁଆଡ଼େ ଯାଇଛନ୍ତି, କିମ୍ବା‌ ଅନ୍ୟ କିଛି ଅଘଟଣ ଘଟିଛି, ସେ ନେଇ ପୁଲିସ ଛାନ୍‌ଭିନ୍‌ ଚଳାଇଥିବା ଥାନା ଅଧିକାରୀ ତପନ ନାହାକ ସୂଚନା ଦେଇଛନ୍ତି। ମାଓପ୍ରବଣ ହୋଇଥିବାରୁ ସେ ଦିଗରେ ମଧ୍ୟ ପୁଲିସ ଅନୁଧ୍ୟାନ କରୁଥିବା ଓ ସର୍ଚ୍ଚ ଅପରେସନ୍‌ ଜୋର୍‌ଦାର କରା ଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ, ଉପାଧ୍ୟକ୍ଷଙ୍କ ନିଖୋଜକୁ ଦୁଇ ଦିନ ପୂରିଥିବା ବେଳେ ମାଓବାଦୀ ଅପହରଣ କରିଥିଲେ, ହୁଏତ ଏନେଇ ମୁଣ୍ଡ ଜାମିନ ଦାବି କରିବା ସହ ସେମାନେ ପ୍ରଶାସନ ନିକଟରେ ନିଶ୍ଚିତ କିଛି ଦାବି ଉପସ୍ଥାପନ କରିଥାନ୍ତେ। ହେଲେ ସେମିତି କିଛି ସୂଚନା ଏ ପର୍ଯ୍ୟନ୍ତ ମିଳି ନଥିବା ବେଳେ ମାଓ ସଂପୃକ୍ତିକୁ ସହଜରେ ଗ୍ରହଣ କରୁନାହାନ୍ତି। ତେବେ ଏହା ଅପହରଣ ନା’ ଆଉ କିଛି ଏଯାଏ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର