ଶାରଳା ମନ୍ଦିର ପାଇଁ ମାଷ୍ଟର୍‌ପ୍ଲାନ୍‌ ମଞ୍ଜୁର ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ରାସ୍ତା ସଂପ୍ରସାରଣ ଓ ଚନ୍ଦନପୋଖରୀ ନିଷ୍ପତ୍ତି ଝୁଲିଲା

ଜଗତସିଂହପୁର: ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣକୁ ନେଇ ପ୍ରସ୍ତୁତ୍‌ ମାଷ୍ଟର ପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିବା ସହ ୪୨ କୋଟି ଟଙ୍କାର ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ମା’ ଶାରଳାଙ୍କ ଅଗଣିତ ଭକ୍ତ, ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଜିଲ୍ଲାବାସୀଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ସଂପ୍ରସାରଣ କାମ ପାଇଁ ଅର୍ଥର ଅଭାବ ନାହିଁ କହି ଯାଇଥିବା ୫-ଟି ସଚିବ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି। ଆଜି ଜିଲ୍ଲାପାଳ ପାରୁଲ ପଟାଓ୍ଵାରୀଙ୍କ ଅଧ୍ୟକ୍ଷତାରେ ସଦଭାବନା ଗୃହରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସେବାୟତ ପ୍ରତିନିଧି ଦଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଷ୍ଠିତ ଆଭାସୀ ବୈଠକରେ ମାଷ୍ଟର ପ୍ଲାନ ଉପସ୍ଥାପିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ କହିଥିଲେ ଆପଣମାନେ ଖୁସି ତ ? ତେବେ ଦ୍ବିତୀୟ ଦଫାରେ ସଂପ୍ରସାରଣ କାମର ସୂଚନା ଦିଆଯାଇ ଅନେକ ପ୍ରସ୍ତାବିତ କାମକୁ ଝୁଲାଇ ରଖାଯାଇଥିବାରୁ ଏବେ ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖା ଦେଲାଣି। ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଅନ୍ଧାରରେ ରଖି ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣଙ୍କ ମତାମତକୁ ଗୁରୁତ୍ବ ଦିଆଯାଇନାହିଁ।

ହାତଗଣତି କେତେକ ସେବାୟତ ଓ ଯନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ ମାଷ୍ଟର୍‌ ପ୍ଲାନ୍‌ରେ ଉପସ୍ଥାପିତ କରାଯାଇଛି ବୋଲି ଅଭିଯୋଗ ହେଲାଣି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମୁଖ୍ୟମନ୍ତ୍ରୀ କେଉଁ ରାସ୍ତାରେ ଆସିବେ ଓ ତାଙ୍କ ଗାଡ଼ି ଏହି ସଂକୀର୍ଣ୍ଣ ରାସ୍ତାରେ ଯାଇ ମନ୍ଦିରରେ ପହଞ୍ଚିବ ତ ? ଏପରି ଆଶଙ୍କା କରି ଏବେ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର ସଂଲଗ୍ନ ଓ ମା’ଙ୍କ ଜମିକୁ ଜବରଦଖଲ କରି ରଖାଯାଇଥିବା ବେଳେ ସେଗୁଡ଼ିକୁ ମୁକ୍ତ କରାଯାଉ ନାହିଁ। ଏଦିଗରେ ବୈଷୟିକ ଦଳକୁ କିଛି ପରାମର୍ଶ ଦିଆଯାଇନାହିଁ। ମନ୍ଦିର ପାଇଁ ଥିବା ବିକଳ୍ପ ପ୍ରଶସ୍ତ ରାସ୍ତା କେତେ ଜମିନେଇ ନିର୍ମାଣ ହେବ, କେଉଁବାଟେ ଯିବ ତାହା ଉହ୍ୟ ରଖାଯାଇଛି। ସେହିପରି ‌କ୍ଷୁଦ୍ର କଳେବରରେ ଥିବା ଚନ୍ଦନପୋଖରୀ ସ୍ଥାନାନ୍ତର ନେଇ ପଞ୍ଚାୟତ ପକ୍ଷରୁ କୌଣସି ଆପତ୍ତି ନଥିଲେ ମଧ୍ୟ ପଞ୍ଚାୟତ ପୋଖରୀକୁ ବର୍ଷକୁ ଥରେ ବ୍ୟବହାର ପାଇଁ ଥିବା ବିକଳ୍ପ ପ୍ରସ୍ତାବ ଏଥିରେ ସ୍ଥାନ ପାଇନାହିଁ।

ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ କମ୍‌ ହେବ। ସେଥିପାଇଁ ଅଞ୍ଚଳବାସୀ ଚିର ଋଣୀ ରହିବେ। ତେବେ ୫ଶହ ବର୍ଷ ପୁରୁଣା ଏହି ମନ୍ଦିରର ଆଗାମୀ ୫ଶହ ବର୍ଷର ଭବିଷ୍ୟତକୁ ନେଇ ଗଢ଼ିବାକୁ ୫-ଟି ସଚିବ ଯେଉଁ ପ୍ରତିଶ୍ରୁତି ‌ଦେଇଥିଲେ ସେଥିରେ କିଛି ବୁଝାମଣା କମ୍‌ ଥିବା ମନେ ହେଉଛି। ମନ୍ଦିର ସଂଲଗ୍ନ ୪ ପାର୍ଶ୍ବକୁ ୭୫ ମିଟର ପରିସୀମାରେ ଖାଲି କରି ଭକ୍ତଙ୍କ ଯାତାୟତ ପଥ ସୁଗମ କରିବାକୁ ଆମେ ପ୍ରସ୍ତାବ ରଖିଥିଲୁ। ତାହା ବିଚାରକୁ ନିଆଯିବା ଆବଶ୍ୟକ। ବର୍ତମାନ ସ୍ଥାନାଭାବରୁ ଭିଡ଼ ଜମିଲେ ମନ୍ଦିର ବେଢ଼ାରେ ଅନେକ ଯାତ୍ରୀ ଅଚେତ ହେଉଛନ୍ତି। ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି। ଚନ୍ଦନପୋଖରୀ ସ୍ଥାନ ପରିବର୍ତନ କରି ବଡ଼ ସ୍ଥାନରେ ବର୍ଷକୁ ଥରେ ହେଉଥିବା ଚାପଖେଳ କରାଯିବାକୁ ଦିଆଯାଇଥିବା ପ୍ରସ୍ତାବ ବାବଦରେ କିଛି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ।
ଲକ୍ଷ୍ମୀଧର ମହାପାତ୍ର, ବରିଷ୍ଠ ସେବାୟତ

ଅଞ୍ଚଳବାସୀ ପୁରୀ, ଲିଙ୍ଗରାଜ, କଟକଚଣ୍ଡୀ ମନ୍ଦିରର ରୂପାନ୍ତରଣକୁ ଆଖି ଆଗରେ ରଖି ଶାରଳା ମନ୍ଦିରର ସଂପ୍ରସାରଣ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ। ଏପରିକି ଅର୍ଥର ଅଭାବ ରହିବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ୪୨ କୋଟି ଟଙ୍କାର ପ୍ରକଳ୍ପକୁ ତରବରିଆ ଭାବେ ଉପସ୍ଥାପନ କରାଯାଇଛି। ଦ୍ବିତୀୟ ଦଫାରେ ଯେଉଁ ସଂପ୍ରସାରଣ କରାଯିବ ବୋଲି କୁହାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ। ସମସ୍ତଙ୍କ ଆଶା ଥିଲା ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ସଂପ୍ରସାରଣ କରାଯାଇ ପ୍ରଶସ୍ତ କରାଯିବ। କିନ୍ତୁ ମନ୍ଦିରକୁ ଆସିବା ବେଳେ ସଂକୀର୍ଣ୍ଣ ରାସ୍ତାରେ ଶ୍ରଦ୍ଧାଳୁ ଯେଉଁ ମାନସିକ ଚାପରେ ପହଞ୍ଚିଥାନ୍ତି ତାହା ଦୂର ହେବା ଆଶା କ୍ଷୀଣ। ଅଗ୍ରଶଦିକାର ଭିତ୍ତିରେ ରାସ୍ତା ପ୍ରସ୍ତୁତ ଜରୁରି। ଜିଲ୍ଲାପାଳଙ୍କ ଠାରୁ ବିଭାଗୀୟ ସଚିବ ଏଦିଗରେ ଗୁରୁତ୍ବର ସହ ବିଚାର କରିବା ଆବଶ୍ୟକ। ପ୍ରକଳ୍ପ ମଞ୍ଜୁରୀ ପାଇଁ ନ୍ୟସ୍ତସ୍ବାର୍ଥଙ୍କୁ ଛାଡ଼ି ସମସ୍ତ ବୁଦ୍ଧିଜୀବୀଙ୍କ ମତାମତ ନିଆଗଲେ ଏହା ଅଧିକ ଗ୍ରହଣୀୟ ହୁଅନ୍ତା।
ରମାକାନ୍ତ ରାଉଳ, ବରିଷ୍ଠ ସାମ୍ବାଦିକ

ସମ୍ବନ୍ଧିତ ଖବର