‘ସମ୍ବାଦ’ଫୋକସ: ବେଳ ଥାଉଥାଉ ଶୁଣିଲାନି ପ୍ରଶାସନ, ନାଲିଫିତା ତଳେ ମାଷ୍ଟର୍‌ପ୍ଲାନ୍‌, ବୁଡ଼ିବ ସହର

ପଟ୍ଟାମୁଣ୍ଡାଇ: ଜଳ ନିଷ୍କାସନ ସମସ୍ୟା ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ସମସ୍ୟା ଭାବେ ଦୀର୍ଘ ବର୍ଷ ହେବ ରହି ଆସିଛି। ପୌରାଞ୍ଚଳ ପ୍ରତିଷ୍ଠାକୁ ୩୫ ବର୍ଷ ବିତିବା ପରେ ବି ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଛି। ପଟ୍ଟାମୁଣ୍ଡାଇ ସହରରେ ସ୍ଥାୟୀ ଜଳ ନିଷ୍କାସନ ପାଇଁ ମାଷ୍ଟରପ୍ଲାନ ସରକାରଙ୍କ ନାଲିଫିତା ତଳେ ରହିଯାଇଛି। କେତେକାଂଶରେ ଏହି ସମସ୍ୟା ସମାଧାନ କରାଯାଇ ପାରିଥିଲେ ବି ବର୍ଷା ଦିନେ ସମସ୍ୟା ମୁଣ୍ଡ ଟେକୁଛି। କେଉଁଠି ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି ତ କେଉଁଠି ବର୍ଷା ୪ ମାସ ଲୋକଙ୍କୁ ପାଣି ଭିତରେ ପଶି ଯିବାଆସିବା କରିବାକୁ ପଡ଼ୁଛି। ଘର କରିବା ଯୋଗୁ ଜଳ ନିଷ୍କାସନର ସବୁ ବାଟ ବନ୍ଦ ହୋଇଯାଇଛି। ଲୋକଙ୍କ ଘରେ ପାଣି ପଶୁଛି। ବର୍ଷା ଦିନ ଆରମ୍ଭ ହୋଇଯାଇଥିବା ବେଳେ ଲୋକଙ୍କ ଛାତିରେ ଛନକା ପଶିଛି। ବର୍ଷା ପୂର୍ବରୁ ଏହି ସମସ୍ୟା ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ନବନିର୍ବାଚିତ କାଉନସିଲରଙ୍କ ସମେତ ଲୋକମାନେ ଦାବି କରିଥିଲେ ହେଁ କିଛି ପ୍ରତିକାର କରାଯାଇନାହିଁ। ଗତ ମାସଠାରୁ ଡ୍ରେନ ସଫେଇ କାମ ଆରମ୍ଭ କରାଯାଇଛି। ଆଉ ଦୁଇ ସପ୍ତାହ ଭିତରେ ଏହା ଶେଷ ହେବ ବୋଲି ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁ କହିଛନ୍ତି। ପଟ୍ଟାମୁଣ୍ଡାଇ ସହରର ୧୦, ୧୧, ୧୩ ଓ ୧୪ ନମ୍ବର ୱାର୍ଡରେ ଏହି ସମସ୍ୟା ଗୁରୁତର। ଡାକବଙ୍ଗଳା ଛକଠାରୁ ଏମ୍‌ଏନ୍‌ ହାଇସ୍କୁଲ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରାଗଲେ ବଜାରରେ ବର୍ଷା ଜଳ ନିଷ୍କାସନରେ ସମସ୍ୟା ରୁହନ୍ତା ନାହିଁ ବୋଲି ମତପ୍ରକାଶ ପାଇଛି। ଏହି ଡ୍ରେନ ନିର୍ମାଣ କାମ କରାଯାଉ ନାହିଁ।

ଗୋବରୀ ନଦୀକୁ ପୋତି ସେଠାରେ ମିନି ଷ୍ଟାଡିୟମ ନିର୍ମାଣ କରାଯାଉଥିବାରୁ ସହରର ବର୍ଷାଜଳ ନିଷ୍କାସନରେ ଭବିଷ୍ୟତରେ ଆଉ ଏକ ସମସ୍ୟା ଦେଖାଦେବ ବୋଲି ଅଭିଯୋଗ ହୋଇଛି। ଏ ବର୍ଷ କୌଣସି ଗୋଟିଏ ବି ନୂଆ ଡ୍ରେନ ନିର୍ମାଣ ହୋଇ ପାରିଲା ନହିଁ।  ସହରରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ଡ୍ରେନ  ନ ଥିବାରୁ ବର୍ଷା ଦିନେ ସହରବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ‌ୌରାଚଂଳର ୨୦ଟି ୱାର୍ଡରେ ଥିବା ଡ୍ରେନଗୁଡିକର ସଫେଇ କାମ ଅଦ୍ୟାବଧି ଶେଷ ହୋଇନାହିଁ। ପୋଖରୀଆପଡା ଗ୍ରାମର ୧୦ ଓ ୧୧ ନମ୍ବର ୱାର୍ଡର ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନ ନିର୍ମାଣ କରାଯାଇ ପାରିଲା ନାହିଁ। ପଟ୍ଟାମୁଣ୍ଡାଇ ସହରର କେନ୍ଦ୍ରସ୍ଥଳରେ ଏହି ଦୁଇଟି ୱାର୍ଡ ରହିଛି। ସାମାନ୍ୟ ବର୍ଷା‌ ହେଲେ ଏହି ଦୁଇଟି ୱାର୍ଡବାସୀ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି। ୱାର୍ଡ ଭିତରେ ରାସ୍ତା ବୁଡିବା ସହ ବହୁ ଲୋକଙ୍କ ଘରେ ପାଣି ପଶିଥାଏ। ଲୋକମାନେ ମାସମାସ ଧରି ପାଣିରେ ପଶି ଯା’ଆସ କରିଥାନ୍ତି। ୧୧ ଓ ୧୦ ନମ୍ବର ୱାର୍ଡର ଜଳନିଷ୍କାସନ ଗୁରୁତର ଆକାର ଧାରଣ କରିଛି। ପୂର୍ବରୁ ଏହି ଦୁଇଟି ୱାର୍ଡର ବର୍ଷା ଜଳ ପୋଖରୀଆପଡା ଗ୍ରାମ ପଛ ବାଟ ଦେଇ ଡେଲଟା ନିକଟରେ ଖଲାସ ହେଉଥିଲା। ବର୍ତ୍ତମାନ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଚାଷ ଜମିକୁ ପୋତି ଘର କରିଦେବା ଯୋଗୁ ଜଳ ନିଷ୍କାସନ ହୋଇପାରି ନାହିଁ। ତକିଆସାହି, ମୁସଲମାନବସ୍ତି, ପୋଖରୀଆପଡା ହରିଜନ ବସ୍ତି, ସାହୁ ସାହି, ମଳିକ ସାହିରେ ଗତ ବର୍ଷ ବହୁ ଲୋକଙ୍କ ଘରେ ପାଣି ପଶି ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। ଏ ବର୍ଷ ୧୦ ନମ୍ବର ୱାର୍ଡ ଧୋବାସାହି ଓ ଶୁଣ୍ଡିସାହିର ଅଧିକ ଲୋକଙ୍କ ଘରେ ପାଣି ପଶିବ। ଏହି ଦୁଇଟି ୱାର୍ଡରେ ଜଳନିଷ୍କାସନ ପାଇଁ ସ୍ଥାୟୀ ଡ୍ରେନ ନ ଥିବାରୁ ଏହାର ବର୍ଷା ଜଳକୁ ବଜାର ଭିତରେ ଦେଇଯାଇଥିବା ଡ୍ରେନ ସହିତ ସଂଯୋଗ କରାଗଲେ ଜଳନିଷ୍କାସନ ସମସ୍ୟା ଦୂର ହୋଇ ପାରନ୍ତା। ସେହିପରି ଅର୍ବାନ ବ୍ୟାଙ୍କ ପାଖ, ବାଲିକା ହାଇସ୍କୁଲ ଗଳି, ଲେଙ୍କା ସାହି ପ୍ରମୁଖ ରାସ୍ତାରେ ପାଣି ଜମି ରହି ଗମନାଗମନରେ ଅନ୍ତରାୟ ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର