ଯୁଯୁମୁରା: ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ଜଣେ ଗଣିତ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅଭିଭାବକମାନେ ଥାନାରେ ଅଭିଯୋଗ କରିବା ପରେ ଶିକ୍ଷକଙ୍କୁ ଜେଲ ଯିବାକୁ ପଡ଼ିଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଳକ ସଦର ଥାନା କବରାପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। କବରାପାଲିସ୍ଥିତ ବୀର ସୁରେନ୍ଦ୍ର ସାଏ ହାଇସ୍କୁଲର ଗଣିତ ଶିକ୍ଷକ ବାସୁଦେବ ବେହେରା(୫୮) ଜେଲ୍ ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବାସୁଦେବ ବେହେରା ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଓ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ସମ୍ପୃକ୍ତ ଛାତ୍ରୀ ଓ ଅଭିଭାବକମାନେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଶୁକ୍ରବାର ସଦର ଥାନା ପୁଲିସ୍ ଅଭିଯୁକ୍ତ ଶିକ୍ଷକ ବାସୁଦେବ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଶିକ୍ଷକ ଶ୍ରୀ ବେହେରାଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, କବରାପାଲିସ୍ଥିତ ସ୍କୁଲକୁ ଗୁରୁବାର କିଛି ଦଶମ ଶ୍ରେଣୀ ଛାତ୍ରୀ ମାଟ୍ରିକ୍ ପରୀକ୍ଷା ଆଡମିଟ୍ କାର୍ଡ ଆଣିବାକୁ ଯାଇଥିବା ସମୟରେ ଶିକ୍ଷକ ଶ୍ରୀ ବେହେରା ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପୂର୍ବରୁ ମଧ୍ୟ ଶ୍ରୀ ବେହେରା କଳାପଟାରେ ତାଙ୍କ ମୋବାଇଲ ନମ୍ବର ଲେଖି ରାତି ଅଧରେ ଫୋନ୍ କରିବାକୁ କହୁଥିଲେ। ଗୁରୁବାରର ଘଟଣା ପରେ ଆଡମିଟ୍ କାର୍ଡ ଆଣିବାକୁ ଯାଇଥିବା ଛାତ୍ରୀମାନେ ଅଶ୍ଳୀଳ ଇଙ୍ଗିତର ଶିକାର ହେବା ପରେ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଗ୍ରାମବାସୀ ସ୍କୁଲକୁ ଯାଇ ଶିକ୍ଷକ ଶ୍ରୀ ବେହେରାଙ୍କୁ ନିସ୍ତୁକ ଛେଚିବା ପରେ ପୁଲିସ୍ରେ ଜିମା ଦେଇଥିଲେ।