ମାଥିଲି: ମାଥିଲି ଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ କରାଯାଇଛି ମାଥିଲି ଗୁଳିକାଣ୍ଡ ଦିବସ। ଚଳିତ ବର୍ଷ ସହିଦ ସ୍ମୃତି କମିଟିର ସଭାପତି ଏମ. ଡି. ଆକବରଙ୍କ ନେତୃତ୍ୱରେ ଧୂମଧାମରେ ୮୨ତମ ଗୁଳିକାଣ୍ଡ ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ପୁରୁଣା ଲକ୍ଷ୍ମଣ ନାୟକ ସହିଦ ଭବନରୁ ଏକ ଶୋଭାଯାତ୍ରା ବାହାରି ମାଥିଲି ଥାନା ପରିସରରେ ଥିବା ସହିଦ ମିନାରେ ପହଞ୍ଚିଥିଲା। ସେଠାରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ନୂତନ ସହିଦ ଭବନରେ ଏକ ସଭାର ଆୟୋଜନ କରାଯାଇଥିଲା।ମାଥିଲି ଗୁଳିକାଣ୍ଡରେ ଯେଉଁ ଦେଶ ପ୍ରେମୀମାନେ ସହିଦ ହୋଇଛନ୍ତି ସେମାନଙ୍କ ପ୍ରତିମୂର୍ତ୍ତି ନୂତନ ସହିଦ ଭବନରେ ସ୍ଥାପିତ କରାଯିବ ବୋଲି କହିବା ସହ ଏହି ଦିବସକୁ ସରକାରୀ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିବି ବୋଲି ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା,ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ କଂଗ୍ରେସ ନେତା ସ୍ମୃତି ରଞ୍ଜନ,ଆଦିବାସୀ ନେତା ହଳଧର ପୂଜାରୀ,କୁନାଲ ମିଶ୍ର,ବାଲାରାଜୁ କୋପେ,ଶାନ୍ତି ଲତା ମାଝୀ ସମେତ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ |

Advertisment

ଭାରତ ସ୍ୱାଧୀନ ହେବାର ୭୭ ବର୍ଷ ବିତିଗଲାଣି,ଆଜି ବି ଏ ଅଞ୍ଚଳର ସହିଦ ବୀର ଲକ୍ଷଣ୍ ନାୟକଙ୍କ ଆମର ଗାଥାକୁ ମନେ ପକାଇ ଆଜିର ଦିନରେ ଶହ ଶହ ଅନୁସୂଚିତ ଜାତି ଓ ଜନଜାତିର ଆବାଳ ବୁଦ୍ଧବନିତା ଧାଇଁ ଆସନ୍ତି ଅଗଷ୍ଟ ୨୧ ଗୁଳିକାଣ୍ଡ ଦିବସ ପାଳନ ପାଇଁ। ଲକ୍ଷ୍ମଣ ନାୟକଙ୍କ କର୍ମ ଭୂମି ଥିଲା ମାଥିଲି। ତାଙ୍କ ଜନ୍ମ ଭୂମି କର୍ମ ଭୂମି ମାଥିଲି ଠାରୁ ୩୫ କିଲୋମିଟର ଦୁର ତେନ୍ତୁଳିଗୁମ୍ମା।ସେତେବେଳେ ଯିବା ଆସିବା ପାଇଁ ପାହାଡ଼ ପର୍ବତ ଜଙ୍ଗଲ ନଦୀ ପାର ହୋଇ ଚାଲି ଚାଲି ଗାଁ ଗାଁ କୁ ଯାଇ ଲୋକଙ୍କ ସହ ମିଶି ଭାରତ ସ୍ୱାଧୀନତା ପାଇଁ ସଚେତନ କରିବା ଭଳି କାର୍ଯ୍ୟ କରୁଥିଲେ ଲକ୍ଷ୍ମଣ ନାୟକ। ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନର ବାର୍ତ୍ତା ତାଙ୍କ ମନରେ ଆନ୍ଦୋଳିତ କରିଥିଲା। କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସରାୟ,ସଦାଶିବ ତ୍ରିପାଠୀ, ନୀଳକଣ୍ଠ ପାତ୍ରଙ୍କ ସହ ସଂସ୍ପର୍ଶରେ ଆସି ଲକ୍ଷ୍ମଣ ନାୟକ ଆହୁରି ତୀବ୍ର କରିଦେଇଥିଲେ ତାଙ୍କ ଆନ୍ଦୋଳନକୁ। ୧୯୪୨ ଅଗଷ୍ଟ ୨୧ ତାରିଖ ଶୁକ୍ରବାର ମାଥିଲି ସାପ୍ତାହିକ ହାଟରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଶହ ଶହ ଆଦିବାସୀ ରୁଣ୍ଡ ହୋଇଥିଲେ। ଲକ୍ଷ୍ମଣ ନାୟକଙ୍କ ଗୋଟିଏ ନାରା ଥିଲା ଇଂରେଜମାନଙ୍କୁ ଦେଶରୁ ହଟାଅ।

ସାପ୍ତାହିକ ହାଟ ଠାରୁ ତିନିଶହ ମିଟର ଦୂରରେ ମାଥିଲି ଥାନା।ସମସ୍ତଙ୍କ ହାତରେ ପତାକା। ବିଭିନ୍ନ ସ୍ଲୋଗାନ ଦେଇ ଥାନା ଆଡକୁ ମାଡି ଚାଲିଲେ। ଥାନା ଉପରେ ତ୍ରିରଙ୍ଗା ପତାକା ଉଡାଇବାକୁ ଉଦ୍ୟମ କଲାବେଳେ ଇଂରେଜ ପୋଲିସଙ୍କ ଯୁକ୍ତିତର୍କ ଠେଲାପେଲା ହୋଇ ବାଡ଼ ଡେଇଁ ପଶିଗଲେ ଥାନା ଭିତରକୁ। ଏଭଳି ପରିସ୍ଥିତିରେ ଇଂରେଜ ପୁଲିସ ଲାଠି ଚାଳନା ଓ ଗୁଳି ଚାଳନାରେ ଟଳି ପଡିଲେ ଅନେକ ସ୍ୱାଧୀନତା ସଂଗ୍ରାମୀ। ଥାନାରେ ଉପସ୍ଥିତ ଥିବା ମତୁଆଲା ଫରେଷ୍ଟ ଗାର୍ଡର କୌଣସି କାରଣବଶତଃ ମୃତ୍ୟୁ ହୋଇଯାଏ। ମୃତ୍ୟୁର କାରଣ ନେତୃତ୍ୱ ନେଇଥିବା ଲକ୍ଷ୍ମଣ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ବ୍ରହ୍ମପୁର କାରାଗାରରେ ବନ୍ଦୀ ଜୀବନ ବିତାଇବାକୁ ପଡିଥିଲା ଓ ଫାଶୀ ଦିଆଯାଇଥିଲା। ସେହି ସହିଦ ବୀରଙ୍କୁ ମନେ ପକାଇ ପ୍ରତ୍ୟେକ ବର୍ଷ ବେସରକାରୀ ଭାବେ ଗୁଳିକାଣ୍ଡ ଦିବସ ପାଳନ କରାଯାଉଛି।