ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ଏକ ଛୋଟିଆ ଶିଳ୍ପ କରି ବେଶ ରୋଜଗାର କରିପାରୁଛନ୍ତି ସସ୍ମିତା ସାହୁ। ଗତ ଚାରି ବର୍ଷ ତଳେ ସସ୍ମିତା ଧୂପକାଠି ତିଆରି ଶିକ୍ଷା କରି ନିଜେ କିପରି ଏହି ବ୍ୟବସାୟକୁ ଆପଣେଇ ଆଗକୁ ବଢିବେ ଚିନ୍ତା କରି ଏହି ଛୋଟିଆ ଶିଳ୍ପ ଆରମ୍ଭ କରିଥିଲେ। ପରେ ମାଣିକେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଅନ୍ୟମାନଙ୍କୁ ମଧ୍ୟ ଧୂପକାଠି ତିଆରି କରିବାର ଶିକ୍ଷା ଦେଇଛନ୍ତି। ବର୍ତ୍ତମାନ ଦଶ ଜଣ ମହିଳା ଏହି ସ୍ବୟଂ ସହାୟକ ଗୋଷ୍ଠୀରେ ରହି ଧୂପକାଠି ତିଆରି କରି ବିକ୍ରି କରିବାରେ ସହଯୋଗ କରୁଛନ୍ତି। ଯାହାଫଳରେ ସସ୍ମିତାଙ୍କ ସହ ଅନ୍ୟ ଦଶ ଜଣ ମହିଳା ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ପ୍ରତିଦିନ ପ୍ରାୟ ଦୁଇରୁ ତିନି ହଜାର ଟଂକାର ଧୂପକାଠୀ ତିଆରି କରିପାରୁଛନ୍ତି। ସେହିପରି ମାସକୁ ୨୦ ହଜାର ଟଂକା ପର୍ଯ୍ୟନ୍ତ ରୋଜଗାର ମଧ୍ୟ କରିପାରୁଥିବା ସସ୍ମିତା କହନ୍ତି। ସୁନ୍ଦର ଏବଂ ସୁଗନ୍ଧ ଭରା ଧୂପକାଠି ତିଆରି କରି ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବଜାରରେ ବିକ୍ରି କରୁଥିଲେ ମଧ୍ୟ ବାହାରରୁ ଆସୁଥିବା ଅତି ନମ୍ନମାନର ଧୂପକାଠି ବ୍ୟବସାୟୀଙ୍କୁ ପ୍ରଲୋଭନ ଦେଖାଇ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ତେଣୁ ମଣିକେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଧୂପକାଠି ବଜାରରେ ବିକ୍ରି କରିବାରେ କଷ୍ଟ ହେଉଥିବା ସସ୍ମିତା କହନ୍ତି। ପ୍ରଶାସନ ତରଫରୁ ଯଦି ଏହି ଧୂପକାଠି ଖରିଦ କରନ୍ତେ କିମ୍ବା ଏହାର ବଜାର ପାଇଁ କୌଣସି ବ୍ୟବସ୍ଥା କରନ୍ତେ ତେବେ ଆମର ଧୂପକାଠି ବେଶ ଆଦୃତ ହୋଇପାରନ୍ତା ବୋଲି ସେ କହନ୍ତି। ଆଜି ବି ବଜାରରେ ମାଣିକେଶରୀ ଧୂପକାଠିର ବେଶ ଚାହିଦା ରହିଛି। ଉନ୍ନତମାନର ଧୂପକାଠି ଏବଂ ସୁଗନ୍ଧିତ ଧୂପକାଠି ତିଆରି କରାଯାଉଥିବାରୁ ବେପାରିମାନେ ଆସି ଆମ ଠାରୁ ଧୂପକାଠି ଖରିଦ କରି ନେଉଛନ୍ତି। ସେହିପରି ବ୍ୟାଙ୍କରୁ ଋଣ ପ୍ରଦାନ କରାଗଲେ ଆଗକୁ ଆହୁରି ଏହି ଶିଳ୍ପକୁ ବଡ କରି ବେଶି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସହାୟକ ହୋଇପାରନ୍ତା ବୋଲି ସସ୍ମିତା କହନ୍ତି। ସସ୍ମିତା ଆତ୍ମନିର୍ଭରଶୀଳ ହୋଇ ପରିବାରର ପ୍ରତିପୋଷଣ କରିବାରେ ସହଯୋଗ କରିପାରୁଛନ୍ତି। ମାଥିଲି ଅଂଚଳର ବହୁ ମହିଳା ଧୂପକାଠି ତିଆରି କରିବା ଶିକ୍ଷା କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଗଲେ ଆଗକୁ ଆହୁରି ବେଶୀ ମହିଳା ଏଥିରେ ସଂଶ୍ଲିଷ୍ଟ ହୋଇ ରୋଜଗାରକ୍ଷମ ହୋଇପାରିବେ।