ଜୟପୁର: ସଫଳତା ଏକ ଲକ୍ଷ୍ୟ ସ୍ଥଳ ନୁହେଁ, ନିରନ୍ତର ପ୍ରଚେଷ୍ଟା ଓ ସାଧନା ଦରକାର । ଜୟପୁର ସଂଧ୍ୟା ସମ୍ମିଳନୀ କକ୍ଷରେ ‘ସମ୍ବାଦ’ ଜୟପୁର ସଂସ୍କରଣ ପକ୍ଷରୁ ଆୟୋଜିତ ମାଟ୍ରିକ ଚାମ୍ପିଅନ୍ସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି।
‘‘ଆମଓଡିଶା’’ର ସଂପାଦକ ସ୍ବାରଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଥିଲେ ଯେ ଓଡିଶାର ସନ୍ଥକବି ଭୀମ ଭୋଇ , ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଉତ୍କଳଗୌରବ ମଧୂସୂଦନ ଦାସଙ୍କ ଭଳି ତ୍ୟାଗି ପୁରୁଷ , ନିସ୍ବାର୍ଥପର ଦେଶପ୍ରେମୀ ଓ ସ୍ବାଧୀନତା ସଂଗ୍ରାମୀ ଆଜି ମିଳିବା କଷ୍ଠ। ରାବଣ ଓ ଓସମାବିନ୍ ଲାଦେନ୍ ଙ୍କ ଉଦାହରଣ ଦେଇ ସେମାନେ ଉତ୍କର୍ଷତାର ଶୀର୍ଷକ ପହଚିଂଥିଲେ ହେଁ ନିଜ ଅହଙ୍କାର ପାଇଁ ସେମାନଙ୍କ ସବୁ ମିଳେଇ ଯାଇଥିଲା। ବର୍ତ୍ତମାନ ସ୍କୁଲରେ ଇତିହାସ ବହିରେ ଭାରତୀୟ ବୀରଙ୍କ ଚର୍ଚ୍ଚା ହିଁ ନାହିଁ, ପରମ୍ପରା, ଭାଷା, ସାହିତ୍ୟ, ନିଜସ୍ବ ବିଦ୍ୟା, ଜ୍ୟୋର୍ତିବିଦ୍ୟା, ଅନ୍ତରୀକ୍ଷବିଦ୍ୟା, ଭୂବିଦ୍ୟା ଆଜିର ପିଲା ମାନେ ପଢ଼ୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଆଜି ଇଉରୋପର ପ୍ରଭାବରେ ଆମକୁ ଜେଣ୍ଟଲମ୍ୟାନ ଲୁକ୍ ସେଲୁନ ଓ ଟାଇଲରିଂ ସଫ ଦେଉଛି। ପୂର୍ବରୁ ଲୋକେ ଗୁରୁକୁଳରେ ଛାଡ଼ି ପିଲାଙ୍କୁ ମଣିଷ ଭାବେ ଗୋଢ଼ି ତୋଳିବାକୁ କହୁଥିଲେ ଆଜି ପିଲାଙ୍କୁ ଛାଡ଼ି ଆଇଏଏସ୍ ହେବାକୁ କହୁଛନ୍ତି । ବଡ ମଣିଷ ନୁହେଁ ବରଂ ପ୍ରଥମେ ନିଜକୁ ଭଲ ମଣିଷ ଭାବେ ଗଢି ତୋଳ। ଅହଂକାର ତ୍ୟାଗ କର। ନିଜର ଜ୍ଞାନ, ଦକ୍ଷତା ଓ ମନୋଭାବ ପ୍ରତି ଗୁରୁତ୍ବ ଦିଅ ବୋଲି ପ୍ରଫେସର ଶ୍ରୀ ତ୍ରିପାଠୀ କହିଥିଲେ।
କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରୁଥିବା ଶ୍ରୀ ମିଶ୍ର ସବୁ ବେଳେ ସମାନ ସ୍ଥିତି ରୁହେ ନାହିଁ , ଥରେ ହାରିଗଲେ କିମ୍ବା ଜୀବନରେ ଝନଝଂଜା, ଦୁଃଖ, ବିପର୍ଯ୍ୟୟ ବାରମ୍ବାର ଆସିବ, ଆତ୍ମବିଶ୍ବାସ, ଅଦମ୍ୟ ଇଛାଶକ୍ତି, ଲକ୍ଷ୍ୟ ରହିଲେ ନିଶ୍ଚିତ ଭାବେ ସଫଳତା ପାଦ ଚୁମିବ ବୋଲି କହିଥିଲେ ଶ୍ରୀ ମିଶ୍ର।
ମୁଖ୍ୟବକ୍ତାଭାବେ ଜୟପୁର ଏସଡିପିଓ ହରିଶା ବି.ସି ଯୋଗ ଦେଇ ସଫଳତା ଏକ ଲକ୍ଷ୍ୟ ସ୍ଥଳ ନୁହେଁ ବୋଲି କହିଥିଲେ। ଥରେ ସଫଳ ହେବା ପରେ ବି ଆହୁରି ଅଧିକା କିଛି କରିବା ପାଇଁ ପ୍ରୟାସ ଜାରୀ ରଖିବା ଆବଶ୍ୟକ। ଏଥି ପାଇଁ ମହାଦୃଷ୍ଟି( ଗ୍ରେଟ୍ ଭିଜନ୍) , କଠିନ ପରିଶ୍ରମ ଓ ନିଷ୍ଠା(ହାର୍ଡୱାର୍କ ଓ ଡେଡିକେସନ୍ ) ,ନିରନ୍ତର ପ୍ରୟତ୍ନ (ପ୍ରିଜୁରେନସ୍ ), ଓ ଶୃଙ୍ଖଳା (ଡିସିପ୍ଲିନ୍ ) ରହିବା ଆବଶ୍ୟକ ବୋଲି ଏସଡିପିଓ କହିଥିଲେ। କ୍ରିକେଟିୟର ସଚ୍ଚିନ ତେନ୍ଦୁଳକର ଓ ବିନୋଦ କାମ୍ବଲୀଙ୍କ ଜୀବନୀକୁ ଉଦହାରଣ ଭାବେ ଦେଇ ସଚ୍ଚିନ ଭାବେ ହେବାକୁ ପରାମର୍ଶ ଦେଇଥିଲେ। ଗୋଟିଏ ଲକ୍ଷ୍ୟରେ ସଫଳ ହେବା ପରେ ବି ଆଉ ଗୋଟିଏ ଲକ୍ଷ୍ୟ ରଖିବା ଏବଂ ଏହାକୁ ବି ସଫଳ କରି ଦେଖାଇ ମାନବଜାତି ତଥା ବିଶ୍ବକଲ୍ୟାଣ ପାଇଁ କରିବାକୁ ପରାମର୍ଶ ଦେଇଥିଲେ।
‘ସମ୍ବାଦ’ ର ବରିଷ୍ଠ ସହସଂପାଦକ ନବୀନ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମଂଚକୁ ସମ୍ବାଦ ସାହିତ୍ୟଘରର ସଭ୍ୟା ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ସଂଯୋଜନା କରିଥିଲେ। ବେଦପାଠ ସମ୍ବାଦ ସାହିତ୍ୟଘର ଉପସଭାପତି ଯଞେଶ୍ବର ପଣ୍ଡା କରିଥିବା ବେଳେ ସ୍ବାଗତସଂଗୀତ ଓ ଭାରତମାତା ଭଜନକୁ ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନେ ପରିବେଷଣ କରିଥିଲେ। ସମ୍ବାଦର ବିଞାପନ ବିଭାଗ ପ୍ରବନ୍ଧକ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମର ପୃଷ୍ଠପୋଷକଙ୍କ ମଧ୍ୟରେ ଆଲେନ୍, କେଏମବିବି ଶିକ୍ଷାନୁଷ୍ଠାନ, ବିଦ୍ୟାର୍ଥୀ ସାଇନସ୍ କଲେଜ ନବରଙ୍ଗପୁର , ଟାଲେଣ୍ଟ କଲେଜ ଅଫ ସାଇନସ୍ ଏଣ୍ଡ ଟେକ୍ନଲୋଜୀ କୋରାପୁଟ, ରୟଲ୍ ହାୟରସେକେଣ୍ଡରୀ ସ୍କୁଲ ଜୟପୁର, ବିଦ୍ବାନ କଲେଜ ଜୟପୁର, ବିଞାନ ଇଣ୍ଟରନ୍ୟାସନାଲ କଲେଜ କୋରାପୁଟ , ଘଡାଇ ରେସେଡେନସିଆଲ୍ ହାୟରସେକେଣ୍ଡରୀ ସ୍କୁଲ ଓ ସତ୍ୟନାରାୟଣ ଏକାମେଡୀ ସାଇନେସ୍ ଏଣ୍ଡ କମର୍ସ ମାଲକାନଗିରୀ କାର୍ଯ୍ୟକ୍ରମର ପୃଷ୍ଠପୋଷକ ରହିଥିଲେ।
ଏହି ଅବସରରେ କୋରାପୁଟ, ନବରଙ୍ଗପୁର, ମାଲାକାନଗିରୀ ଓ ରାୟଗଡ଼ା ଜିଲ୍ଲାର ଏ-୧ରେ ପାସ୍ କରିଥିବା ୫୩ଜଣ ଛାତ୍ରଛାତ୍ରୀ ସେମାନେ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନଆଚାର୍ଯ୍ୟଙ୍କୁ ଅତିଥିମାନେ ପ୍ରମାଣପତ୍ର, ମେଡାଲ୍ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।