ଜୟପୁର: ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ବିଏସଇ) ୨୦୨୦ ବୁଧବାର ଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଜୟପୁର ଜୋନରେ ଥିବା ୪ଟି ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋରାପୁଟ ଓ ମାଲକାନଗିରି ପାଇଁ ଅତି ସତର୍କତା ପୂର୍ବକ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଗଣଶିକ୍ଷା ବିଭାଗ।
କୋରାପୁଟରେ ୧୪,୭୩୫ ଜଣ ଛାତ୍ରଛାତ୍ରୀ, ମାଲକାନଗିରିରେ ୫,୬୭୪, ନବରଙ୍ଗପୁରରେ ୧୩,୩୭୬ ଓ ରାୟଗଡାରେ ଜିଲ୍ଲାରେ ୧୧,୨୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବାବେଳେ ପ୍ରଶ୍ନପତ୍ର ଲିକ୍କୁ ନେଇ ସଜାଗ ରହିଛି ବୋର୍ଡ। ୪୪,୯୯୧ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୬ଟାରୁ ନୋଡାଲ ସେକ୍ଟରରୁ ୮ଟା୩୦ ଯାଏ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶିକ୍ଷା ବିଭାଗ।
ଉତ୍ତେଜନା ପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସ୍କୁଲମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ତିନୋଟି ପ୍ରକାରର ସ୍କ୍ଵାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ତ୍ରିସ୍ତରୀୟ ସ୍କ୍ଵାର୍ଡ ରହିଥିବାବେଳେ ଏଥିରେ ବିଇଓ, ଏବିଡିଓ, ତହସିଲଦାର ସହ ଉପଖଣ୍ଡସ୍ତରୀୟ ବରିଷ୍ଠ କର୍ମଚାରୀ ରହିବେ। ସେହିପରି ଜୋନ ତରଫରୁ ଗଠିତ ହୋଇଥିବା ସ୍କ୍ଵାର୍ଡରେ ଉପସମ୍ପାଦକ ଓ ସେକ୍ସନ ଅଧିକାରୀ ରହିବେ। ଏହାସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ଵାର୍ଡରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ରହିବେ। ଏହି ସ୍କ୍ଵାର୍ଡ ତନତନ କରି ପରୀକ୍ଷା କେନ୍ଦ୍ରରୁ କେନ୍ଦ୍ରକୁ ବୁଲି ପ୍ରଦକ୍ଷୀଣ କରିବେ। ଯେଉଁମାନେ କପି କରିବା ବେଳେ ଧରାପଡିବେ ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ।
ଆସନ୍ତାକାଲି ଫେବ୍ରୁଆରି ୧୯ରେ ଓଡ଼ିଆ ପରୀକ୍ଷା ଥିବା ବେଳେ ଫେବ୍ରୁଆରି ୨୨ (ଶନିବାର)ରେ ଇଂରାଜୀ, ଫେବ୍ରୁଆରି ୨୪ (ସୋମବାର)ରେ ସଂସ୍କୃତ/ହିନ୍ଦୀ, ଫେବ୍ରୁଆରି ୨୬ (ବୁଧବାର)ରେ ଗଣିତ, ଫେବ୍ରୁଆରି ୨୮ (ଶୁକ୍ରବାର)ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୨ (ସୋମବାର)ରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି।
ତେବେ କୋରାପୁଟ ଜିଲ୍ଲାର ୧୦ଟି ନୋଡାଲ ସେଣ୍ଟରରେ ୬୨ ପରୀକ୍ଷା କେନ୍ଦ୍ରରେ ୨୭୩ଟି ସ୍କୁଲ ଓ ମାଲକାନଗିରି ଜିଲ୍ଳାରେ ୧୦ଟି ନୋଡାଲ ସେଣ୍ଟରରେ ୨୯ଟି ପରୀକ୍ଷା କେନ୍ଦ୍ରରେ ୧୧୭ଟି ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୯ଟି ନୋଡାଲ କେନ୍ଦ୍ର ଅଧୀନରେ ୬୯ଟି କେନ୍ଦ୍ରରେ ୨୨୪ ସ୍କୁଲର ଛାତ୍ରଛାତ୍ରୀ ଓ ରାୟଗଡା ଜିଲ୍ଲାରେ ୧୧ଟି ନୋଡାଲ କେନ୍ଦ୍ରରୁ ୪୦ଟି ପରୀକ୍ଷା କେନ୍ଦ୍ରରେ ୨୦୮ଟି ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ଗତବର୍ଷ ପ୍ରଶ୍ନପତ୍ର ମୋବାଇଲରେ ଘୁରିବୁଲିବାକୁ ନେଇ ରାଜ୍ୟରେ ଜୋନାଲ କାର୍ଯ୍ୟାଳୟର ନାକ କଟିଥିବାବେଳେ ଚଳିତଥର ଏନେଇ ସଜାଗ ରହିଛି ବୋର୍ଡ। କୌଣସି ପରିସ୍ଥିତିରେ ସ୍କ୍ଵାଡ ଟିମ୍, ପରୀକ୍ଷକ, ନିୟନ୍ତ୍ରକଙ୍କ ସହ ପ୍ରଧାନଶିକ୍ଷକ ଏବଂ ସହାୟକ ଶିକ୍ଷକଙ୍କ ନିକଟରେ ରହିବନି ମୋବାଇଲ। ମୋବାଇଲକୁ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ସ୍ୱତନ୍ତ୍ର କକ୍ଷରେ ହସ୍ତାନ୍ତର କରି ପରୀକ୍ଷାଗୃହକୁ ଯିବେ ବୋଲି ଜୟପୁର ଜୋନର ଭାରପ୍ରାପ୍ତ ଉପସମ୍ପାଦକ ସୁନାକର କାର୍ଜୀ ସୂଚନା ଦେଇଛନ୍ତି।
କୋରାପୁଟ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର ଓ ଲମତାପୁଟ ପରି ଅଞ୍ଚଳରେ ପୁଲିସ ଷ୍ଟେସନକୁ ନୋଡାଲ କେନ୍ଦ୍ର ଭାବେ ବଛାଯାଇଛି। ମାଲକାନଗିରିର କୁଡୁମୁଲୁଗୁମ୍ମା, ପୋଟେରୁ, ବାଲିମେଳା, ଚିତ୍ରକୁଣ୍ତା, କାଲିମେଲା, ଖଇରପୁଟ, ଏମଭି-୭୯, ମାଲକାନଗିରି, ମାଥିଲି, ମୋଟୁ ଓ ପଡିଆ ପାରି ପୁଲିସ ଷ୍ଟେସନକୁ ନୋଡାଲ କେନ୍ଦ୍ର ଭାବେ ମନୋନିତ କରାଯାଇଛି। ମାଓଗତିବିଧି ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।