ମାଟ୍ରିକ୍ ପରୀକ୍ଷା: କଙ୍କଡାହାଡ଼- ବିରିବୋଲେଇ ପରୀକ୍ଷା କେନ୍ଦ୍ରରେ ଖୋଲାଖୋଲି କପି, ପୁଲିସ-ଅଭିଭାବକ ମୁହାଁମୁହିଁ
ପୁଲିସ ମାଡ଼ରେ ଜଣେ ଆହତ, ଡାକ୍ତରଖାନାରେ ଭର୍ତ୍ତି
କାମାକ୍ଷାନଗର: ମାଟ୍ରିକ୍ ପରୀକ୍ଷା ସେଣ୍ଟରରେ ଖୋଲାଖୋଲି କପି। ଆଉ ଏହାକୁ ନେଇ ପୁଲିସ ଓ ଅଭିଭାବକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାଯାଇଛି। ଅଭିଭାବକମାନେ ପାଚେରୀ ଡେଇଁ ପିଲାମାନଙ୍କୁ କପି ଯୋଗାଇଥିବା ଚର୍ଚ୍ଚା ହେଉଛି। ଫଳରେ ସେମାନଙ୍କ ମଧ୍ୟରୁ ଜଣେ ପୁଲିସର ମାଡ଼ରେ ଆହତ ହୋଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଢେଙ୍କାନାଳ ଜିଲା କଙ୍କଡାହାଡ଼ ସରକାରୀ ଜନତା ଉଚ୍ଚ ବିଦ୍ୟାଳୟ ବିରିବୋଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକମାନେ ଖୋଲମ ଖୋଲା କପି ଦେଉଥିଲେ। ଆଜି ଇଂରାଜୀ ପରୀକ୍ଷା ଥିଲା। ଆଉ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟମାନେ ସେଣ୍ଟର ପାଚେରୀ ଡେଇଁବା ସାଙ୍ଗକୁ ପରୀକ୍ଷା କେନ୍ଦ୍ର ଭିତରକୁ ପଶି କପି ଦେଉଥିଲେ। ପୁଲିସ ଆଉ ଅଭିଭାବକମାନେ ମୁହାଁମୁହିଁ ହୋଇଥିଲେ।
ଏଠାରେ ବାପୁଜି ଉଚ୍ଚ ବିଦ୍ୟାଳୟ ଗଡ଼ପଳାଶୁଣି, ଝିଲି ତୁରଡାନାଳି ଉଚ୍ଚ ବିଦ୍ୟାଳୟ, ପଂଚାୟତ ଉଚ୍ଚ ବିଦ୍ୟାଳୟ ଘାଗରାମୁଣ୍ଡା, ଆଞ୍ଚଳିକ ବିଦ୍ୟାନିକେତନ ସିନ୍ଦୁରମୁଣ୍ଡି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ। ଏମିତିକି ପରୀକ୍ଷା କେନ୍ଦ୍ରର ପାଚେରୀକୁ ମଧ୍ୟ ଭାଙ୍ଗି ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପରୀକ୍ଷା କେନ୍ଦ୍ରରେ ଉତେଜନା ଲାଗିରହିଛି।
ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର ନିକଟ ପାଚେରୀ ଡେଇଁ ସେଣ୍ଟର ଆଡକୁ ଯାଉଥିବା ବେଳେ ପଥରଗଡ଼ ଗାଁର ଡମ୍ବରୁ ସାହୁଙ୍କୁ ପୁଲିସ ବାଡେଇଥିବା ସେ ଅଭିଯୋଗ କରିଛନ୍ତି। ମାଡରେ ତାଙ୍କର ନାକ ଫାଟି ଯିବା ସାଙ୍ଗକୁ ଦେହରେ ଆଘାତ ଲାଗିଛି। ତାଙ୍କୁ ପରଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଡମ୍ବରୁ କପି ଦେବାକୁ ଯାଇନଥିବା କହିଛନ୍ତି। ସେ ସ୍କୁଲ ପାଚେରୀ ଉପରେ ବସିଥିଲେ ତାଙ୍କୁ ପୁଲିସ ଆସି ବାଡେଇଲା। ସେପଟେ ମହାବିରୋଡ଼ ଫାଣ୍ଡି ଅଧିକାରୀ ପଦ୍ମନାଭ ଲେଙ୍କା କହିଲେ ସେଣ୍ଟର ବାହାରେ ପାଚେରୀକୁ ଲାଗି ହୋ ହଲା ହେଉଥିଲା। ପୁଲିସକୁ ଦେଖି ଦୌଡାଦୌଡ଼ି କରି ନିଜେନିଜେ ସେ ପଡି ଯାଇଛନ୍ତି।
ସେପଟେ ପାଟଣାଗଡ ମନେଇପାଦ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ଉତେଜନା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ପରୀକ୍ଷା କେନ୍ଦ୍ରରେ କପି ଯୋଗାଇଦେବାକୁ ଶିକ୍ଷକ ଛାତଛାତ୍ରୀଙ୍କ ଠାରୁ ପଇସା ନେଇଥିଲେ। କିନ୍ତୁ ସିସିଟିଭି ଲାଗିଥିବାରୁ ଶିକ୍ଷକ ଜଣକ କପି ଯୋଗାଇପାରିନଥିଲେ। ଫଳରେ ସ୍କୁଲରେ ଅଭିଭାବକମାନେ ପହଚିଂ ପାଟିତୁଣ୍ଡ କରିଥିଲେ। ଏବଂ ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଶିକ୍ଷକ ଜଣକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପାଟଣାଗଡ ଥାନାରେ ସାମ୍ବାଦିକ ଜଣକ ଏତଲା ଦେବେ ପରେ ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଛି।