ମାଟ୍ରିକ୍‌ ପରୀକ୍ଷା ଫଳ: କେନ୍ଦ୍ରାପଡ଼ାରେ ୯୪ ପ୍ରତିଶତ ପାସ୍‌, ପୁଣି ଛାତ୍ରଙ୍କୁ ଟପିଲେ ଛାତ୍ରୀ

କେନ୍ଦ୍ରାପଡ଼ା: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ବର୍ଷ ପାସ୍‌ହାର ୯୩.୮୧ପ୍ରତିଶତ ରହିଛି। ଅର୍ଥାତ୍ ପ୍ରତି ଶହେ ପିଲାରେ ହାରାହାରି ୯୪ଜଣ ପିଲା ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଗତବର୍ଷ ତୁଳନାରେ ଏଥର ପାସ୍ ହାର କମିଛି ସତ, କିନ୍ତୁ ଗତବର୍ଷ ପରୀକ୍ଷା ହୋଇନଥିଲା। ବିନା ପରୀକ୍ଷାରେ ୨୦୨୧ମସିହାରେ ପାସ୍ ହାର ୯୯ପ୍ରତିଶତ ଥିବା ବେଳେ ୨୦୨୦ମସିହାରେ ହୋଇଥିବା ପରୀକ୍ଷାରେ ପାସ୍ ହାର ୮୦.୧୯ପ୍ରତିଶତ ଥିଲା। ମାତ୍ର ଏଥର କେନ୍ଦ୍ରାପଡ଼ାର ସଫଳତା ହାର ବିଗତ ବର୍ଷମାନଙ୍କରେ ହୋଇଥିବା ପରୀକ୍ଷା ମଧ୍ୟରୁ ସର୍ବାଧିକ ରହିଥିବା ବେଳେ ସାରା ରାଜ୍ୟରେ ପାସ୍ ହାର ତାଲିକାରେ ଜିଲ୍ଲା ପଂଚମ ସ୍ଥାନ ଅକ୍ତିଆର କରିଛି। ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲା ପରେ କେନ୍ଦ୍ରାପଡ଼ା ରହିଛି ା

ଚଳିତ ବର୍ଷ ଜିଲ୍ଲାରେ ୩୪୩ଟି ହାଇସ୍କୁଲ୍‌ର ୨୦ହଜାର ୫୫୪ପିଲା ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୧୯ହଜାର ୨୮୧ପିଲା କୃତକାର୍ଯ୍ୟ ହୋଇଛନ୍ତି। ୧୦୮୭ପିଲା ଏଥର ପରୀକ୍ଷା ଦେଇନାହାନ୍ତି। ତେବେ ସଫଳତା ପାଇଥିବା ପିଲାଙ୍କ ମଧ୍ୟରେ ୯ହଜାର ୫୨୨ ଛାତ୍ର ଏବଂ ୯ହଜାର ୭୫୯ଛାତ୍ରୀ ଅଛନ୍ତି।  ଅର୍ଥାତ୍‌ ଛାତ୍ରଙ୍କ ତୁଳନାରେ ଏଥର ପୁଣି ଛାତ୍ରୀ ବାଜି ମାରିଛନ୍ତି। ସେଥିରୁ ୯୦ପ୍ରତିଶତ ବା ତା’ଠୁ ଅଧିକ ନମ୍ବର ରଖି ୨୫୩ଜଣ ‘ଏ–୧’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୩୫୪ଜଣ ‘ଏ–୨’, ୫୩୬୩ଜଣ ‘ବି–୧’, ୫୬୧୧ଜଣ ‘ବି–୨’, ୩୫୮୧ଜଣ ‘ସି’, ୧୬୩୧ଜଣ ‘ଡି’, ୪୮୮ଜଣ ‘ଇ’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୭୧ପିଲା ପରୀକ୍ଷାରେ ଫେଲ୍‌ ହୋଇଛନ୍ତି ା ବଡ଼ କଥା ହେଉଛି, ଏଥର ‘ଏ–୧’ଗ୍ରେଡ୍‌ରେ ଜିଲ୍ଲାକୁ ରେକଡ” ସଫଳତା ମିଳିଛି। ଗତବର୍ଷ ୭୬ଜଣ ‘ଏ–୧’ ପାଇଥିବା ବେଳେ ଏଥର ତାହା ତିନି ଗୁଣରୁ ଅଧିକ ବଢ଼ି ୨୫୩ରେ ପହଞ୍ଚିଛି।
ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ ସିଂହ କହିଛନ୍ତି ବିଗତ ବର୍ଷମାନଙ୍କରେ ହୋଇଥିବା ପରୀକ୍ଷା ମଧ୍ୟରୁ ଏଥର ପାସହାର୍ ରେକର୍ଡ ସୃଷ୍ଟି କରିଛି। ସ୍କୁଲ ଶିକ୍ଷକ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଏବଂ ପିଲାମାନଙ୍କ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇଛି।

ସମ୍ବନ୍ଧିତ ଖବର