ମାଟ୍ରିକ ପରୀକ୍ଷା ଫଳ : ମୟୂରଭଞ୍ଜ ଜିଲ୍ଲାରେ ପାସ ହାର ୯୭.୭୨ ପ୍ରତିଶତ
ବାରିପଦା : ବିନା ପରୀକ୍ଷାରେ ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ରେଗୁଲାର ପରୀକ୍ଷାର୍ଥୀଙ୍କ ପାସର ହାର ୯୭.୭୨ ପ୍ରତିଶତ ରହିଛି। ସେହିପରି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଶ ହାର ୮୬.୮୮ ପ୍ରତିଶତ ରହିଛି। ଚଳିତ ବର୍ଷ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ୍ ଫଳ ପ୍ରକାଶନର ବନ୍ଦୋବସ୍ତ ଅନୁଯାୟୀ ଜିଲ୍ଲାରେ ରହିଥିବା ୬୦୯ଟି ହାଇସ୍କୁଲର ୩୭,୩୦୩ ବିଦ୍ୟାର୍ଥୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୩୬,୪୫୧ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୧୭,୩୮୪ ଜଣ ଛାତ୍ର ଓ ୧୯,୦୬୭ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ପ୍ରଚଳିତ ହୋଇଥିବା ଫର୍ମାଟ ଅନୁସାରେ ଜିଲ୍ଲାରୁ ୮୧ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୨ ଗ୍ରେଡ଼ରେ ୭୭୫ଜଣ, ବି-୧ ଗ୍ରେଡ଼ରେ ୨,୩୪୧, ବି-୨ ଗ୍ରେଡ଼ରେ ୫,୨୬୬, ସି ଗ୍ରେଡ଼ରେ ୯,୩୧୩, ଡ଼ି ଗ୍ରେଡ଼ରେ ୧୨,୬୧୮ ଏବଂ ଇ ଗ୍ରେଡ଼ରେ ୬,୦୫୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଡି ଗ୍ରେଡ୍ରେ ସର୍ବାଧିକ ୧୨,୬୧୮ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ୪୬୪ ଜଣ ଅନୁପସ୍ଥିତି ଥିବାବେଳେ ୩୮୮ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳ ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ ଭଲ ହୋଇଛି। ଗତବର୍ଷ ଜିଲ୍ଲାରେ ପାସ୍ ହାର ୮୩.୭୮ ପ୍ରତିଶତ ରହିଥଲା ଏବଂ ଏ-୧ ଗ୍ରେଡ୍ରେ ୬୩ଜଣ ଛାତ୍ରଛାତ୍ରୀ ସଫଳ ହୋଇଥିଲେ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲ୍ଲାରୁ ୧୩.୯୪ ପ୍ରତିଶତରୁ ଅଧିକ ଫଳ ହୋଇଛି। ସେହିପରି ୨୦୧୯ ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲାରେ ପାସ ହାର ୬୮.୭୯ ପ୍ରତିଶତ ରହିଥିଲା ବେଳେ ଏ-୧ ଗ୍ରେଡ଼ରେ ୫୬ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ପରୀକ୍ଷା ଫଳରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଏକ୍ସରେଗୁଲାରରେ ୪୬୪ ଉଚ୍ଚବିଦ୍ୟାଳୟରୁ ୨୨୭୯ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୧୯୮୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୯୯୭ ଥିବାବେଳେ ୯୮୩ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ବର୍ଗରେ ଏ-୧ରେ କେହି ନଥିବାବେଳେ ଏ-୨ରେ ମାତ୍ର ଜଣେ ସଫଳ ହୋଇଛନ୍ତି। ୨୧୨ ଜଣ ଅନୁପସ୍ଥିତ ଥିବାବେଳେ ୮୭ଜଣ ଫେଲ୍ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି।