କଟକରେ ମାଟ୍ରିକ୍‌ ଫଳାଫଳ: ମାହାଙ୍ଗା, ବାରଙ୍ଗ ଓ ଡମପଡ଼ା ବ୍ଲକ୍‌ରୁ ଜଣେ ବି ୯୫ ପ୍ରତିଶତ ନମ୍ବର ରଖିଲେନି

ମାହାଙ୍ଗା, ବାରଙ୍ଗ ଓ ଡମପଡ଼ା ବ୍ଲକ୍‌ରୁ ଜଣେ ବି ୯୫ ପ୍ରତିଶତ ନମ୍ବର ରଖିଲେନି

କଟକ: ଚକିତ କରିଛି ଚଳିତବର୍ଷ ମାଟ୍ରିକ୍‌ ଫାଳାଫଳ। ଉତ୍ସାହଜନକ ମାର୍କ ପାଇଛନ୍ତି ଛାତ୍ରଛାତୀ। ଏ-୧ ତାଲିକାରେ କଟକ ଜିଲ୍ଳା ରାଜ୍ୟରେ ୨ୟ ସ୍ଥାନରେ ରହିଥିବା‌ ବେଳେ ଜିଲ୍ଲାରୁ ୧୪୪ଜଣ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। କିନ୍ତୁ ଏମିତି ବି ସ୍ଥିତି ଦେଖିବାକୁ ମିଳିଛି ଯେ, ଜିଲ୍ଲାର ଅନେକ ସୁନାମଧନ୍ୟ ତଥା ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟରୁ ଜଣେ ବି ଛାତ୍ର ୯୫ ପ୍ରତିଶତ ମାର୍କ ରଖିନାହାନ୍ତି। ଜିଲ୍ଲାର ଗ୍ରାମାଞ୍ଚଳରେ ୮୧ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ସେଥିରୁ କେବଳ ଆଠଗଡ଼ ଉପଖଣ୍ଡ ଅର୍ଥାତ୍‌-୪ଟି ବ୍ଲକ୍‌; ଆଠଗଡ଼, ତିଗିରିଆ, ବଡମ୍ବା ଓ ନରସିଂହପୁରରୁ ୫୦ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବାକି ୩୧ ଜଣ ଛାତ୍ରଛାତ୍ରୀ ୮ଟି ବ୍ଲକ୍‌ରୁ ରହିଥିବା ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଜିଲ୍ଲାର ୧୪ଟି ବ୍ଲକ୍‌ରୁ ୩ଟି ବ୍ଲକ୍‌ରେ କେହି ଜଣେ ହେଲେ ବି ଛାତ୍ରଛାତ୍ରୀ ୯୫ ପ୍ରତିଶତ ମାର୍କ ରଖିନାହାନ୍ତି। ଜିଲ୍ଲାର ମାହାଙ୍ଗା, ଡମପଡ଼ା ଓ ବାରଙ୍ଗ ବ୍ଲକ୍‌ରୁ ପିଲା ଏ-୧ ଗ୍ରେଡ୍‌ ପାଇଛନ୍ତି ସିନା, ୯୫ ପ୍ରତିଶତ ମାର୍କ ଜଣେ ହେଲେ ବି ପାଇପାରି ନାହାନ୍ତି। ସେପଟେ, ସାଲେପୁର ବ୍ଲକ୍‌ରୁ ୧୩ଜଣ ଛାତ୍ରଛାତ୍ରୀ ୯୫ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଏପରିକି ଜିଲ୍ଲା ଟପର ମଧ୍ୟ ଏହି ବ୍ଲକ୍‌ର ଛାତ୍ରୀ ଆଦ୍ୟାଶ୍ରୀ ଦେବତା (୫୯୩) ହୋଇଛନ୍ତି। କିନ୍ତୁ ସମସ୍ତ ୧୩ ଜଣ ପିଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର। କେହି ଜଣେ ହେଲେ ବି ସରକାରୀ ହାଇସ୍କୁଲର ପିଲା ୯୫ ପ୍ରତିଶତ ମାର୍କ ରଖି ନଥିବା ଜଣାପଡିଛି। ଅନ୍ୟପଟେ ଜିଲ୍ଲାର ନରସିଂହପୁର ବ୍ଲକ୍‌ରୁ ସର୍ବାଧିକ ୩୫ଜଣ ପିଲା ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ମାହାଙ୍ଗା ବ୍ଲକ୍‌ରୁ ୩୫ ଜଣ ଏ-୧ ଗ୍ରେଡ୍‌ ପାଇଥିବା ବେଳେ କେହି ଜଣେ ହେଲେ ୯୫ ପ୍ରତିଶତ ମାର୍କ ରଖିନାହାନ୍ତି। ବ୍ଲକ୍‌ର ଭଗବତୀ ବିଦ୍ୟାପୀଠ ଶୁକ୍ଳେଶ୍ବର, ଚୌଧୁରୀ ରାଧାନାଥ ବିଦ୍ୟାପୀଠ ଭେଡା, କଇଥା-ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ ଭଳି ପ୍ରତିଷ୍ଠିତ ହାଇସ୍କୁଲରୁ ଜଣେକେହି ବି ୯୫ ପ୍ରତିଶତ ମାର୍କ ପାଇବାକୁ ଯୋଗ୍ୟ ହୋଇ ନାହାନ୍ତି। କୁସୁପୁରସ୍ଥିତ ପଲ୍ଲୀ କବି ନନ୍ଦକିଶୋର ବଳ ବିଦ୍ୟାପୀଠ, ମୂଳବସନ୍ତସ୍ଥିତ ବାଗ୍ମୀ ବିଶ୍ବନାଥ କର ବିଦ୍ୟାନିକେତନ, କୋଠପଦାସ୍ଥିତ ରଘୁନାଥ ବିଦ୍ୟାପୀଠ, ଝାଡେଶ୍ବରପୁର ଉଚ୍ଚବିଦ୍ୟାଳୟରୁ ଜଣେ ହେଲେ କେହି ଏ-୧ ଗ୍ରେଡ୍‌ ପାଇନାହାନ୍ତି।

ବାରଙ୍ଗ ବ୍ଲକରୁ ମଧ୍ୟ କେହି ଜଣେ ହେଲେ ୯୫ ପ୍ରତିଶତ ମାର୍କ ରଖି ନଥିବା ବେଳେ ବ୍ଲକ୍‌ର ୨୦ଟି ହାଇସ୍କୁଲରୁ ମାତ୍ର ଗୋଟିଏ ହାଇସ୍କୁଲ, ଜୟନ୍ତୀ ବିଦ୍ୟାପୀଠର ଛାତ୍ର ଏ-୧ ଗ୍ରେଡ୍‌ ପାଇଥିବା ବେଳେ ୧୯ଟି ବିଦ୍ୟାଳୟରୁ କେହି ଜଣେ ହେଲେ ଏ-୧ ଗ୍ରେଡ୍‌ ପାଇନାହାନ୍ତି। ଡମପଡା ବ୍ଲକ୍‌ରେ ମଧ୍ୟ ସମାନ ସ୍ଥିତି। ଯଦିଓ ଏ-୧ ଗ୍ରେଡ୍‌ରେ କିଛି ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି, ହେଲେ ୯୫ ପ୍ରତିଶତ ମାର୍କ କେହି ପାଇ ନାହାନ୍ତି। ସାଲେପୁର ବ୍ଲକ୍‌ର ସ୍ଥିତି ଯଦି ଦେଖାଯାଏ, ଉକ୍ତ ବ୍ଲକ୍‌ରୁ ୬୪ ଜଣ ପିଲା ଏ-୧ ଗ୍ରେଡ୍‌ ପାଇଛନ୍ତି। ବ୍ଲକ୍‌ର ପ୍ରତିଷ୍ଠିତ ସରକାରୀ ହାଇସ୍କୁଲଗୁଡ଼ିକ ହେଲା ସାଲେପୁର ସରକାରୀ ହାଇସ୍କୁଲ, ରାଇସୁଙ୍ଗୁଡାସ୍ଥିତ ଏକ୍ରାମ୍‌ ରସୁଲ ହାଇସ୍କୁଲ, ବହୁଗ୍ରାମ ବିବେକାନନନ୍ଦ ହାଇସ୍କୁଲ ଭଳି ସରକାରୀ ବିଦ୍ୟାଳୟ। ସବୁବର୍ଷ ଏହି ବିଦ୍ୟାଳୟର ପିଲା ଭଲ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ ଚଳିତ ମାଟ୍ରିକ ପରୀକ୍ଷାରେ ଉକ୍ତ ତିନୋଟି ହାଇସ୍କୁଲ‌ରୁ ଜଣେ ବି ପିଲା ଏ-୧ ଗ୍ରେଡ୍‌ ନ ପାଇବା ସମସ୍ତଙ୍କୁ ଚକିତ କରିଛି। ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ଉତ୍ସାହଜନକ ଥିବାବେଳେ ଏଭଳି ପ୍ରତିଷ୍ଠିତ ବିଦ୍ୟାଳୟରୁ କେହି ଜଣେ ହେଲେ ଏ-୧ ନପାଇବା ଘଟଣାର ତର୍ଜମା ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ୯୫ ପ୍ରତିଶତ ତ ଦୂରର କଥା, ପିଲା କାହିଁକି ଏ-୧ ଗ୍ରେଡ୍‌ ବି ପାଇଲେନି ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଜିଲ୍ଲାର ନରସିଂହପୁର ବ୍ଲକ୍‌ରୁ ସର୍ବାଧିକ ୨୬୫ଜଣ ଏ-୧ ଗ୍ରେଡ୍‌ ପାଇଛନ୍ତି। ଅନ୍ୟପଟେ ଜିଲ୍ଲାର କଣ୍ଟାପଡ଼ା ଓ ନିଆଳି ବ୍ଲକ୍‌ରୁ ଜଣେ ଲେଖାଏ ପିଲା ୯୫ ପ୍ରତିଶତରୁ ଅଧିକ ମାର୍କ ପାଇଥିବା ବେଳେ କଟକ ସଦରରୁ ୨ଜଣ, ଆଠଗଡ଼, ନିଶ୍ଚିନ୍ତକୋଇଲି, ବାଙ୍କୀ ବ୍ଲକ୍‌ରୁ ୪ଜଣ ଲେଖାଏ, ଟାଙ୍ଗୀ-ଚୌଦ୍ବାର, ତିଗିରିଆ ବ୍ଳକ୍‌ରୁ ୬ଜଣ ଲେଖାଏ, ବଡମ୍ବାରୁ ୫ଜଣ ଲେଖାଏ ପିଲା ୯୫ ପ୍ରତିଶତ ବା ତା’ଠାରୁ ଅଧିକ ପ୍ରତିଶତ ମାର୍କ ରଖିଛନ୍ତି। ଅଥଚ, ଜିଲ୍ଲାର ପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରୁ ପିଲା କାହିଁକି ଏ-୧ ପାଇଲେନି, ବା ୯୫ ପ୍ରତିଶତ ମାର୍କ ରଖିପାରିଲେନି ତା’ ଉପରେ ତର୍ଜମାର ଆବଶ୍ୟକତା ଦେଖାଦେଇଛି।

ସମ୍ବନ୍ଧିତ ଖବର