କଟକରେ ମାଟ୍ରିକ ପିଲା ଅନୁପସ୍ଥିତ ଘଟଣା: ପରୀକ୍ଷାକୁ ଆସିଲେନି, ହେଲେ ସବୁ ପିଲା ପାଇଛନ୍ତି ସାଇକଲ

କଟକ/ନରସିଂହପୁର/ମାହାଙ୍ଗା: କଟକରେ ୧୩ଶହରୁ ଅଧିକ ପିଲା ଦେଲେନି ମାଟ୍ରିକ ପରୀକ୍ଷା ବା ସମେଟିଭ୍‌ ଆସେସ୍‌ମେଣ୍ଟ-୨। ହେଲେ କାରଣ ଖୋଜିଲା ବେଳକୁ ଆଶ୍ଚର୍ଯ୍ୟଜନକ ତଥ୍ୟ ଆସୁଛି। ଯଦିଓ କିଛି ବ୍ଲକ୍‌ର ପ୍ରଧାନଶିକ୍ଷକ ଏହାର ଯୁକ୍ତିଯୁକ୍ତ କାରଣ ଦର୍ଶାଇଛନ୍ତି, ତେବେ ଅନେକ ବ୍ଲକ୍‌ରେ ପିଲାଙ୍କ ଅନୁପସ୍ଥିତି ରହିବାର କାରଣ ବ୍ୟକ୍ତିଗତ ବୋଲି ପ୍ରଧାନଶିକ୍ଷକମାନେ ଦର୍ଶାଇଛନ୍ତି। ନରସିଂହପୁର ବ୍ଲକ୍‌ରେ ଯେଉଁ ୮୧ ଜଣ ପିଲା ମାଟ୍ରିକ ପରୀକ୍ଷା ଦେଲେନି ସେମାନଙ୍କ କାରଣ ଖୋଜା ରିପୋର୍ଟରେ ଦେଖିବାକୁ ମିଳିଛି ଅନେକ ତଥ୍ୟ। ୩୨ଜଣ ପିଲା ଦୀର୍ଘଦିନ ଧରି ଅନୁପସ୍ଥିତ ରହିଥିବାବେଳେ, ସେମାନଙ୍କ ଭିତରୁ ୬ଜଣ ବିବାହ କରିସାରିଛନ୍ତି। ୧୭ଜଣ ପିଲାଙ୍କ ଦେହ ଖରାପ ଓ ୧୭ଜଣ ପିଲା ଆଦୌ ପରୀକ୍ଷା ଦେବାକୁ ରାଜି ହେଲେନି। ଏପରିକି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ପିଲା ମାନସିକସ୍ତରରେ ଦୁର୍ବଳ ଓ କିଛି ମାନସିକ ଅନଗ୍ରସର ବୋଲି ଦର୍ଶାଯାଇଛି। ହେଲେ, ଆଠଗଡ଼ ବ୍ଲକ୍‌ର ସ୍ଥିତି ଯଦି ଦେଖାଯାଏ, ସବୁ ଅନୁପସ୍ଥିତ ପିଲା ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ବୋଲି ପ୍ରଧାନଶିକ୍ଷକମାନେ ଦର୍ଶାଇଛନ୍ତି। ତେବେ, ବ୍ୟକ୍ତିଗତ କାରଣଟି କ’ଣ, ତାହା ସେମାନେ ଦର୍ଶାଇନାହାନ୍ତି। ଅନ୍ୟପଟେ, ଜିଲ୍ଲାରେ ଯେଉଁ ୧୩ଶହରୁ ଅଧିକ ପିଲା ଅନୁପସ୍ଥିତ ବୋଲି ଦର୍ଶାଯାଇଛି ସେ ସବୁ ପିଲାଙ୍କ ଆକାଉଣ୍ଟକୁ ସାଇକଲ ବାବଦ ଟଙ୍କା ଯାଇଥିବା ଶିକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି।

ନରସିଂହପୁର ବ୍ଲକ୍‌ର ୩୨ଜଣ ପିଲା ଦୀର୍ଘବର୍ଷ ହେବ ସ୍କୁଲ ମାଟି ମାଡ଼ିନାହାନ୍ତି। ସେହି ପିଲାମାନେ ଏବେ କେଉଁଠି, କ’ଣ କରୁଛନ୍ତି… ତାହା କାହାରିକୁ ଜଣା ନାହିଁ। ଅନ୍ୟପଟେ ଯେଉଁ ୧୭/୧୮ଜଣ ପିଲା ପରୀକ୍ଷା ଦେବାକୁ ରାଜି ହେଲେନି, ତା’ପଛର କାରଣ ତର୍ଜମା କରାଯାଉନି। ତେବେ ଯେଉଁ ୬ଜଣ ଛାତ୍ରୀ ବିବାହ କାରଣରୁ ପରୀକ୍ଷା ଦେଲେନି ତା’ ଉପରେ ତର୍ଜମା ହେଉନି। କେବଳ ନରସିଂହପୁର ବ୍ଲକ୍‌ରେ ୮୧ ଅନୁପସ୍ଥିତ ଥିବା ବେଳେ, ପରୀକ୍ଷାର ପ୍ରଥମ କିଛିଦିନ ଅନୁପସ୍ଥିତ ପିଲାଙ୍କୁ, ଗୋଟିଏ ଦିନ ହେଉ ପଛେ ଉପସ୍ଥିତ ରହିବାକୁ ଶିକ୍ଷକମାନେ କହିଥିଲେ ବୋଲି କୁହାଯାଉଛି। ତା’ଛଡ଼ା, ଯେଉଁମାନେ ପରୀକ୍ଷା ଦେଇନାହାନ୍ତି, ସେଇ ପିଲାଙ୍କ ଘରେ ଶିକ୍ଷକମାନେ ପହଞ୍ଚି ‘ଦେହ ଖରାପ ଥିବାରୁ ଆମ ପିଲା ପରୀକ୍ଷା ଦେଇପାରିଲାନି’ ବୋଲି ଲେଖିଦେବାକୁ ଅନୁରୋଧ କରିଥିବା ଅନେକ ଅଭିଭାବକ ଅଭିଯୋଗ କରିଛନ୍ତି। କିନ୍ତୁ ଯେହେତୁ କରୋନା ସମୟରେ ସେହି ପିଲାମାନେ ୯ମରେ ପଢୁଥିଲେ ତେଣୁ ସବୁ ପିଲାଙ୍କ ସଂପର୍କରେ ତର୍ଜମା କରା ନଯାଇ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ପିଲାଙ୍କ ଆକାଉଣ୍ଟକୁ ଯାଇଥିବା ସାଇକଲ ବାବଦ ଟଙ୍କା ପ୍ରକୃତରେ ପିଲା ନେଇଛନ୍ତି ନା’ ବାଟମାରଣା ହୋଇଛି ତା’ର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ସେହିପରି ମାହାଙ୍ଗାରେ ୬୬ଜଣ ପିଲା ପରୀକ୍ଷା ଦେଇନାହାନ୍ତି। ସେଥିରୁ ୩୬ ପିଲାଙ୍କ ଦେହ ଖରାପ ଥିବାବେଳେ ୧୬ଜଣ ପିଲା‌ ପରୀକ୍ଷା ଦେବାକୁ ରାଜି ହେଲେନି। ଅନ୍ୟପଟେ ୧୨ଜଣ ପିଲା ଘରେ ନାହାନ୍ତି। ସେମାନେ କେଉଁଆଡେ ଯାଇଛନ୍ତି, ଯଦିଓ ସେ ତଥ୍ୟ ଦିଆଯାଇନି, ତେବେ ସମସ୍ତେ କାମ ପା‌ଇଁ ଘରୁ ଗୋଡ଼ କାଢ଼ିଥିବା‌ ସ୍ପଷ୍ଟ ହୋଇଛି। ଅନ୍ୟପଟେ ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର