ରାଜନଗର : ମାଟ୍ରିକ ପରୀକ୍ଷାରେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ କାହିଁକି ଅନୁପସ୍ଥିତ ରହିଲେ? ସେମାନେ କାହିଁକି ପରୀକ୍ଷା ଦେଲେନାହିଁ? ଏହାପଛରେ ପାରିବାରିକ ସମସ୍ୟା ନାଁ ଆଉ କିଛି କାରଣ ରହିଛି? ପରୀକ୍ଷାର୍ଥୀ ନିଜେ ଫର୍ମ ପୂରଣ କରିଥିଲେ ନାଁ ସେମାନଙ୍କ ଅଜାଣତରେ ଏହା ହୋଇଛି? ଏତେସବୁ କାରଣକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ହାଇସ୍କୁଲସ୍ତରରେ ଏହି କେଳେଙ୍କାରୀର ଅନ୍ୟ ଏକ ବଡ଼ଦିଗ ସାମ୍ନାକୁ ଆସିଛି। ଦୁଇବର୍ଷ ଧରି ରାଜ୍ୟ ବାହାରେ ଦାଦନ ଖଟୁଥିବା ଓ ଆଦୌ ବିଦ୍ୟାଳୟକୁ ଆସୁ ନ ଥିବା ଛାତ୍ରଛାତ୍ରୀ ଷ୍ଟାଇପେଣ୍ତ ଓ ଅନ୍ୟ ସରକାରୀ ସହାୟତା ପ୍ରଦାନ କରାଯାଇଛି। ସମ୍ପୃକ୍ତ ଛାତ୍ରଛାତ୍ରୀ ରାଜ୍ୟବାହାରେ ଥିବାବେଳେ ସରକାରୀ ସହାୟତା ପାଇଁ ଆବଶ୍ୟକ କାଗଜପତ୍ର ଓ ମାପଦଣ୍ତ ପ୍ରଧାନଶିକ୍ଷକମାନେ କିପରି ପୂରଣ କଲେ, ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସରକାରୀ ସହାୟତା ଅର୍ଥ ହଡ଼ପ ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯାଇ ନ ଥିଲା ତ? ଏତେସବୁ ପ୍ରଶ୍ନ ଏବେ ଗଣଶିକ୍ଷା ବିଭାଗ ପାଇଁ ଅଡୁଆ ସୃଷ୍ଟିକରିଛି।

Advertisment

ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ଦାରୁଓରା ଗାଁର ସୁବାସ ମଲ୍ଲିକଙ୍କ ଝିଅ ସସ୍ମିତା, ଖଗେଶ୍ବର ମଲ୍ଲିକଙ୍କ ଝିଅ ସୋନାଲି। ଉଭୟ ଦେଢ଼ବର୍ଷରୁ ଅଧିକ ସମୟ ଧରି ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଛନ୍ତି । କରୋନା ଯୋଗୁଁ ପାଠପଢା ବନ୍ଦ ହେବାପରେ ସେମାନେ ସେଠାରେ କାମ କରୁଛନ୍ତି ବୋଲି ପରିବାର ଲୋକେ କହିଛନ୍ତି। ମାତ୍ର ଘଡିଆମାଳସ୍ଥିତ ସିଦ୍ଧେଶ୍ବର ହାଇସ୍କୁଲ ରେକର୍ଡରେ ଏମାନେ ନିୟମିତ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀ। ନବମ ଶ୍ରେଣୀରେ ନାମ ଲେଖାଇବାପରେ ସାଇକଲ ପାଇଁ ୨୬୦୦ ଟଙ୍କା, ନବମ ଶ୍ରେଣୀର ଷ୍ଟାଇପେଣ୍ତ ବାବଦକୁ ୩୨୦୦ ଟଙ୍କା ଓ ଦଶମ ଶ୍ରେଣୀର ଷ୍ଟାଇପେଣ୍ତ ବାବଦକୁ ୩୨୦୦ ଟଙ୍କା ପାଇଛନ୍ତି। ସରକାର ନବମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାଇକଲ ପାଇଁ ୨୬୦୦ ଟଙ୍କା ଯୋଗାଇ ଦେଇଥା’ନ୍ତି। ଏସ୍‌ସି, ଏସ୍‌ଟି ଛାତ୍ରୀଙ୍କୁ ବାର୍ଷିକ ଷ୍ଟାଇପେଣ୍ତ ବାବଦରେ ୩୨୦୦ ଓ ଛାତ୍ରଙ୍କୁ ୨୭୦୦ ଟଙ୍କା ଯୋଗାଇ ଦେଉଛନ୍ତି।

publive-image Moneycontrol

ଏଥିପାଇଁ ପ୍ରତିବର୍ଷ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତ୍ୟେକ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ନାଁ, ଠିକଣା, ବ୍ୟାଙ୍କ ପାସ୍‌ବୁକର ନକଲ ସହିତ ଜାତିଗତ ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ମଗାଯାଇଥାଏ। ପ୍ରଧାନଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ନାଁ ସହିତ ଆୟ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଓ ବ୍ୟାଙ୍କ ପାସବୁକର ନକଲ ଯୋଡି ତଥ୍ୟ ଦେବାପରେ ସରକାରୀ ସହାୟତା ମିଳିଥାଏ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ନବମ ଶ୍ରେଣୀରେ ଓ ଦଶମ ଶ୍ରେଣୀରେ ପୃଥକ୍‌ ଭାବେ କାଗଜପତ୍ର ଦାଖଲ କରିବାକୁ ପଡ଼ିଥାଏ। ଆୟ ପ୍ରମାଣପତ୍ର ପ୍ରତି ୧ ବର୍ଷରେ ଥରେ ବଦଳିଥାଏ। ଅର୍ଥାତ୍ ନବମ ଶ୍ରେଣୀର ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ନାମ ଲେଖାଇବାବେଳେ ଦେଇଥିବା ଆୟ ପ୍ରମାଣପତ୍ର ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପରେ କାମ କରିନଥାଏ। ସେଥିପାଇଁ ଆୟ ପ୍ରମାଣପତ୍ର ଆଉଥରେ ଦେବାକୁ ପଡିଥାଏ।

ବଡ଼କଥା ହେଉଛି ଦଶମ ଶ୍ରେଣୀରେ ପରୀକ୍ଷା ଦେଇ ନ ଥିବା ସସ୍ମିତା ଓ ସୋନାଲିଙ୍କ ଭଳି ଶହଶହ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ନାମ ଲେଖାଇବା ପରଠୁ ଆଉ ବିଦ୍ୟାଳୟକୁ ଆସିନାହାନ୍ତି। ଏପରିସ୍ଥଳେ ଦଶମ ଶ୍ରେଣୀରେ ସେମାନଙ୍କ ନାଁ ଗଡୁଥିବା ସମୟରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଛାତ୍ରଛାତ୍ରୀଙ୍କ ଆୟ ପ୍ରମାଣପତ୍ର ପ୍ରଧାନଶିକ୍ଷକମାନେ କେଉଁଠୁ ପାଇଲେ ଓ ପ୍ରସ୍ତୁତ କରି ପ୍ରଶାସନକୁ ଦେଲେ, ତାହା ଏବେ ସନ୍ଦେହ ସୃଷ୍ଟି କରିଛି।