ମାଉଜର ବ୍ୟବସାୟର ଚେର ଅନ୍ତଃରାଜ୍ୟରୁ ଲମ୍ବିଛି: ସବୁଜ ଜହର ବ୍ୟବସାୟ ସହ ଲିଙ୍କ

ଜୟପୁର: ସହରରେ ଅନ୍ତଃରାଜ୍ୟ ଅପରାଧି ଏଠାକାର ବିଭିନ୍ନ ଅପରାଧି ମାନଙ୍କ ସହ ମିଶି କରୁଛନ୍ତି ମାଉଜର ବେପାର। ସେମାନେ ଏଠାରେ ଡ଼େରା ପକାଇ ସବୁଜଜହର (ଗଂଜେଇ) ସହ ମାଉଜରର ବେପାର କରୁଛନ୍ତି। ଏହାର ପ୍ରମାଣ ଆଜି ଜୟପୁର ସଦର ପୁଲିସ ଦେଇଛି। ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା, ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜୟପୁର ସଦରଥାନା ଅଂଚଳରୁ ୩ଟି ମାଉଜର ,୩ଟି ମ୍ୟାଗାଜିନ୍, ୬ରାଉଣ୍ଡ ଜୀବନ୍ତ ଗୁଳି,୩ଟି ମୋବାଇଲ୍ ଓ ଗୋଟିଏ ବାଇକକୁ ଜବତ କରିଛି। ଏହା ସହ ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି। ଏହା ସହ କିଭଳି ଜୟପୁର ସହର ଓ ସଦର ଅଂଚଳରେ ମାଉଜର ଓ ସବୁଜ ଜହରର ବେପାର ପରସ୍ପର ଲିଙ୍କ ମଧ୍ୟରେ ଚାଲିଛି ତାହାର ସୂଚନା ଦେଇଛନ୍ତି।

ଗତକାଲି ସଂଧ୍ୟାରେ ପାମ୍ପୁଣୀ ଅଂଚଳର ଶଙ୍କର ପ୍ରଧାନ(୨୩) ନାମକ ଜଣେ ଯୁବକ ହାତରେ ବନ୍ଧୁକ ଧରି ଗାଁରେ ଆତଙ୍କରାଜ ଚଳାଇଥିବାକୁ ନେଇ ଜୟପୁର ସଦରଥାନା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଖବର ପାଇ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ପାମ୍ପୁଣୀ ଗାଁରେ ସଦଳବଳ ସହ ଚଢ଼ାଉ କରି ଅଭିଯୁକ୍ତ ଶଙ୍କରଙ୍କୁ ଧରିଥିଲେ। ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଶଙ୍କରକୁ ଯାଂଚ କରିବା ସମୟରେ ତା ନିକଟରୁ ଏକ ୭.୬ଏମ୍ଏମର ବନ୍ଧୁକ ଓ ୨ରାଉଣ୍ଡର ଜୀବନ୍ତ ଗୁଳି ମିଳିଥିଲା। ପୁଲିସ ତାକୁ ଅଟକ ରଖି ଅଧିକା ପଚାରାଉଚାରା କରିବା ସମୟରେ ସେ ମାଉଜର ବ୍ୟବସାୟର ବହୁ ରହସ୍ୟମୟ ତଥ୍ୟ ଦେଇଥିଲା।

ଅଭିଯୁକ୍ତ ଶଙ୍କର କୁନ୍ଦ୍ରା ଥାନା ଅଂଚଳର ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ଗିରଫ ହୋଇ ବିଚାରାଧୀନ ଅନ୍ତେବାସୀ ଭାବେ ଜୟପୁର ଉପଖଣ୍ଡ କାରାଗାରରେ ରହିଥିଲେ। ସେ ସମୟରେ ଏକ ଗଂଜେଇ ଚାଲାଣ ମାମଲାରେ ଗିରଫ ହୋଇ ବିଚାରାଧୀନ ଅନ୍ତେବାସୀ ଭାବେ ଜୟପୁର ଉପଖଣ୍ଡକାରାଗାରରେ ରହୁଥିବା ଜୟପୁର ଜୟନଗର ଅଂଚଳର ଇମ୍ରାନଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଇମ୍ରାନଙ୍କୁ ଶଙ୍କର ମାଉଜର କିଣିବ ବୋଲି କହିଥିଲା। ସେ ଦାମାପୁଟର ରାକେଶ କୁମାର ସୁକ୍ରୀଙ୍କ ଠିକଣା ଦେଇଥିଲେ। ଶଙ୍କର ଜାମିନରେ ମୁକୁଳିବା ପରେ ଦାମାପୁଟର ରାକେଶଙ୍କୁ ଭେଟିଥିଲେ। ରାକେଶ ଶଙ୍କରଙ୍କୁ ଇମ୍ରାନର ବାପା ଜୟନଗର ପାଇକସାହିରେ ରହୁଥିବା ମହମ୍ମଦ ଅନସାର ଆଲ୍ଲୀଙ୍କ ସହ ଭେଟାଇଥିଲେ। ସେଠାରୁ ଶଙ୍କର ଏକ ମାଉଜର କିଣିଥିବା ପୁଲିସ ତଦନ୍ତ ବେଳେ କହିଥିଲେ।

ଶଙ୍କରଙ୍କ ସ୍ବୀକାରୋକ୍ତି ଏବଂ ସୂଚନାବଳରେ ଜୟପୁର ସଦର ଥାନା ଓ ଟାଉନ ଥାନାର ଦୁଇଟି ଦଳ ଗତ କାଲି ଦାମାପୁଟ ଓ ଜୟପୁର ଜୟନଗର ପାଇକସାହିରେ ଚଢ଼ାଉ କରିଥିଲେ। ସେଭଳି ଅଭିଯୁକ୍ତ ରାକେଶ ଓ ଆନସାରଙ୍କ ନିକଟରୁ ଗୋଟିଏ ଲେଖାଏଁ ୨ଟି ମାଉଜର ଜବତ କରିବା ସହ ୨ଟି ମ୍ୟାଗାଜିନ୍, ୪ରାଉଣ୍ଡର ଜୀବନ୍ତ ଗୁଳି ଓ ଆପାଚେେ ବାଇକ୍ ଜବତ କରିଥିବା କହିଛନ୍ତି ଏସଡିପିଓ ଶ୍ରୀ ବେହେରା। ଅନ୍ୟ ପକ୍ଷରେ ଅନ୍ତଃରାଜ୍ୟରୁ ଆସୁଥିବା ସବୁଜ ଜହର ଚାଲାଣକାରୀ ଅପରାଧି ମାନେ ହିଁ ଜବତ ମାଉଜର ,ଗୁଳି ଆଦି ଆଣି ଏଠାରେ ବେପାର କରୁଥିବା ପୁଲିସ ପ୍ରାଥମିକ ତଦନ୍ତ ବେଳେ ଜାଣି ପାରିଥିବା କହିଛନ୍ତି ଏସଡିପିଓ ଓ ଜୟପୁର ସଦରଥାନା ଅଧିକାରୀ। ତେବେ ବିଭିନ୍ନ ଅନ୍ତଃରାଜ୍ୟରୁ ଚାଳାଣକାରୀ ମାନେ ଆସୁଥିବାରୁ ଏହା ତଦନ୍ତ ପରିସରରେ ରହିଥିବାରୁ ସୂଚନା ଦେବାକୁ ମନା କରିଥିଲେ। କେବଳ ଏହି ତିନି ଜଣ ହିଁ ନୁହନ୍ତି ଅନ୍ୟ ଆଉ କିଛି ଅପରାଧି ବି ମାଉଜର ରଖିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି।

ପୁଲିସକୁ ବହୁ ସୁରାକ୍ ମିଳିବା ସହ ପୁଲିସ ସ୍କାନରରେ ଏବେ ଅନ୍ୟ ମାଉଜର ବେପାରୀ ବି ରହିଛନ୍ତି। ତେବେ ପର୍ଯ୍ୟାୟକ୍ରମେ ଏମାନେ ସବୁ ଧରାପଡ଼ିବେ ବୋଲି କହିଛନ୍ତି ଏସଡିପିଓ ଓ ଜୟପୁର ସଦରଥାନା ଅଧିକାରୀ। ଅନ୍ତଃରାଜ୍ୟ ଅପରାଧିମାନେ ବ୍ୟାପକ ଭାବେ ମାଉଜର ଆଣି ଏଠାରେ ବେପାର କରିବା ସହ ସବୁଜଜହର ପାଇଁ ବି ମାଉଜର ଦେଉଥିବା ତଦନ୍ତ ବେଳେ ଜଣା ପଡ଼ିଛି। ଗତ କିଛି ବର୍ଷ ତଳୁ ଯଦିଓ ପୁଲିସ ଓ ପୁଲିସ ଗୁଇନ୍ଦା ଏ ନେଇ ସୂଚନା ପାଇଥିଲେ ହେଁ ପୂର୍ବରୁ ଏତେ ପରିମାଣର ବନ୍ଧୁକ ଧରା ପଡ଼ିନଥିଲା। ପ୍ରଥମ କରି ଏକାଥରକରେ ୩ଟି ବନ୍ଧୁକ ଜବତ ହେବ ପ୍ରଥମ। ପୂର୍ବରୁ ଅଭିଯୁକ୍ତ ଶଙ୍କରଙ୍କ ନାଁରେ ଜୟପୁର ସଦର ଥାନାରେ ୩ଟି, କୁନ୍ଦ୍ରା ଥାନାରେ ଗୋଟିଏ ମାମଲା ରହିଛି।

ସେଭଳି ରାକେଶଙ୍କ ନାଁରେ ବି ଜୟପୁର ଟାଉନଥାନାରେ ଗୋଟିଏ ମାମଲା ରହିଛି। ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଦଫା ଜୟପୁର ସଦରଥାନା କେସନ୍ ୬୩/୨୦୨୧ରେ ଦଫା ୨୫(୧-ବି)(ଏ)/୨୭ଆର୍ମସ୍ ଆକ୍ଟରେ ମାମଲା ରୁଜୁ ହୋଇଛି। ବନ୍ଧୁକ ଗୁଡ଼ିକ ଯଦିଓ ଦେଶୀ ବନ୍ଧୁକ ତଥାଫି ଏହାକୁ ପରୀକ୍ଷା ପାଇଁ ବାଲାଷ୍ଟିକ୍ ସେଣ୍ଟରକୁ ପଠାଯିବ ବୋଲି କହିଛନ୍ତି ଏସଡିପିଓ।

ସମ୍ବନ୍ଧିତ ଖବର