ମୟୂରଭଞ୍ଜ ବନ୍ଦକୁ ସମର୍ଥନ ଜଣାଇବା ପାଇଁ ବିଜେପି, ଜେଏମଏମ, କଂଗ୍ରେସ ସହ ବିଭିନ୍ନ ସଙ୍ଗଠନକୁ ପତ୍ର ଲେଖିଲା ଭଞ୍ଜସେନା

ବାରିପଦା : ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଭାଗୀୟ ଅଧିକାରୀଙ୍କ ବିଫଳତା ଆଦି ଅଭିଯୋଗରେ ଆସନ୍ତା ୧୦ରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଯୁବଛାତ୍ର ସଙ୍ଗଠନ ଭଞ୍ଜସେନା। ତେବେ ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବ ଉଦ୍ଦେଶ୍ୟରେ କଂଗ୍ରେସ, ବିଜେପି, ‌ଜେଏମଏମ ସହ ବିଭିନ୍ନ ସାମାଜିକ ସଂଗଠନକୁ ପତ୍ର ଲେଖିଛି ସଂଗଠନ। ଏନେଇ ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ସିଆଇଟିୟୁର ଜିଲ୍ଲା ସଭାପତି ଅମଲ ଦେ, ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ବେତନଟୀ ଓ ଉଦଳା ଓକିଲ ସଂଘ, ବସ ଓ ଟ୍ରକ ମାଲିକ ସଂଘ, ବ୍ୟବସାୟୀ ସଂଘ ପ୍ରମୁଖଙ୍କ ସମେତ ବିଭିନ୍ନ ସାମାଜିକ ସଂଙ୍ଗଠନ, ପରିବେଶବିତ୍ ଓ ଶିମିଳିପାଳ ପ୍ରେମୀଙ୍କ ସହଯୋଗ କାମନା କରି ପତ୍ର ଲେଖିଛନ୍ତି। ଶିମିଳିପାଳ ସମସ୍ତଙ୍କର, ତେଣୁ ଏହାର ସୁରକ୍ଷା ମଧ୍ୟ ସମସ୍ତଙ୍କ ଦାୟିତ୍ବ ବୋଲି ସେନା ପକ୍ଷରୁ କୁହାଯାଇଛି। ଶିମିଳିପାଳର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ବହିଷ୍କାର ଦାବୀରେ ଜିଲ୍ଲା ବନ୍ଦ କରାଯାଉଥିବା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର