ରାଜ୍ୟ ସ୍ତରୀୟ ସିନିୟର କ୍ରିକେଟ: ପ୍ରଥମ ମ୍ୟାଚରେ ମୟୂରଭଞ୍ଜର ଦମ୍‌ଦାର ବିଜୟ, ଆଦିତ୍ୟଙ୍କୁ ହ୍ୟାଟ୍ରିକ୍‌ ସହିତ ୫ ୱିକେଟ୍‌  

ବାରିପଦା: ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ସିନିୟର ଏକଦିବସୀୟ କ୍ରିକେଟର କଳାହାଣ୍ଡି କପ ଟୁର୍ଣ୍ଣାମେଂଟରେ ଆଜି ମୟୂରଭଞ୍ଜ ଓ ଗଜପତି ମଧ୍ୟରେ ଏସ୍‌ସିବି ମେଡିକାଲ ଗ୍ରାଉଣ୍ଡ୍‌ରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ମୟୂରଭଞ୍ଜ ଦଳ ଦମଦାର ବିଜୟ ହାସଲ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ଗଜପତି ଦଳକୁ ମୟୂରଭଞ୍ଜ ମାତ୍ର ୧୭ ଓଭର ମଧ୍ୟରେ ୪୦ ରନରେ ଅଲଆଉଟ କରିଦେଇଥିଲା। ଏହି ମ୍ୟାଚରେ ମୟୂରଭଞ୍ଜ ଟିମର ଆଦିତ୍ୟ କୁମାର ବସା ୭ ଓଭରରେ ମାତ୍ର ୧୧ ରନ ଦେଇ ୫ ୱିକେଟ୍‌ ନେବା ସହିତ ଏକ ହ୍ୟାଟ୍ରିକ ଅର୍ଜନ କରିବାରେ ସଫଳ ହୋଇଛନ୍ତି। ଶ୍ରୀ ବସାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଘୋଷଣା କରାଯାଇଥିଲା।

ସେହିପରି ମୟୂରଭଞ୍ଜ ଟିମର ଅଧିନାୟକ ଅଭିଜିତ ଘଣା ୬ ଓଭରରେ ୧୩ ରନ ଦେଇ ୪ ଉଇକେଟ ନେଇଥିଲେ। ଜବାବ୍‌ରେ ଅଭିଞ୍ଜନ ମହାନ୍ତିଙ୍କ ୨୪ ଏବଂ ଦିବ୍ୟଲୋଚନ ଦାସଙ୍କ ୧୨ ରନ ବଳରେ ମୟୂରଭଞ୍ଜ ମାତ୍ର ୮.୫ ଓଭରରେ ବିଜୟ ଲାଭ କରିଥିଲେ । ଗତକାଲି ଏହି କ୍ରିକେଟ ପ୍ରତିଯୋଗିତା ପାଇଁ ପାଇଁ ୨୦ ଜଣିଆ ମୟୂରଭଞ୍ଜ ଦଳ କଟକ ଗସ୍ତ କରିଥିଲେ ।

ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ହୋଇଥିବା ଭିଜନ ୨୦୨୪ ଆନ୍ତଃଜିଲ୍ଲା କ୍ରିକେଟ ମ୍ୟାଚର ପ୍ରଦର୍ଶନ ଆଧାରରେ ଅଭିଜିତ ପ୍ରସାଦ ଘଣା, ଅବିନାଶ ଖଣ୍ଡେଲୱାଲ, ଅଭିଞ୍ଜନ ମହାନ୍ତି, ଓମପ୍ରକାଶ ମହାନ୍ତି, ପ୍ରିତଲାଲ ସିଂ, ଦିବ୍ୟଲୋଚନ ଦାସ, ଜୟରାମ ଟୁଡୁ, ବାସ୍ତବ କୁମାର, ସୁବ୍ରତ କୁମାର ସିଂ, ସଞ୍ଜୟ କୁମାର ବେହେରା, ସ୍ମୃତି ରଞ୍ଜନ ନାଏକ, ଅଭିଷେକ ପରିଡା, ଦେବାଶିଷ ମହାନ୍ତ, ଶ୍ରୀମନ୍ତ ସାହୁ, ରିଶଭ ଶର୍ମାା, ଆଦିତ୍ୟ କୁମାର ବସା, ଅନିକେତ ପରିଡା, ଜୟପ୍ରକାଶ ନାରାୟଣ ପାତ୍ର, ହଂସରାଜ ସାହୁ ପ୍ରମୁଖ ଟିମ୍‌ରେ ଚୟନ ହୋଇ କଟକ ଗସ୍ତ କରିଛନ୍ତି। ଦଳର କୋଚ ଓ ମ୍ୟାନେଜର ଭାବରେ ଅମୀତ ବିଶ୍ୱାସ ମଧ୍ୟ ଦଳ ସହିତ ଗସ୍ତ କରିଛନ୍ତି। ଆଜିର ବିଜୟରେ ମୟୂରଭଞ୍ଜ ଆଥଲେଟିକ ଏସୋସିଏସନର ସମ୍ପାଦକ କିଶୋର କୁମାର ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର