ମୟୂରଭଞ୍ଜର ସମ୍ପତ୍ତି: ଭୋଗ କରୁଛନ୍ତି ବାହାର ରାଜ୍ୟର ଲୋକ, ନିଯୁକ୍ତି ନ‌ଦେଲେ ଜିଲ୍ଲାରୁ ଲୁହାପଥର ରପ୍ତାନି ବନ୍ଦ‌ ଚେତାବନୀ

ବେକାରୀ ମୁକ୍ତ ମୟୂରଭଞ୍ଜ ଅଭିଯାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବାରିପଦା: ପୂଣ୍ୟଗର୍ଭା ମୟୂରଭଞ୍ଜରେ ଭରି ରହିଛି ଅପାର ପ୍ରାକୃତିକ ସମ୍ପତ୍ତି। ଅପରୂପା ଶିମିଳିପାଳଠାରୁ ଆରମ୍ଭ କରି ଗଡ଼ଜାତ ଅମଳର ଲୁହାପଥର ଖଣି। ସବୁଥାଇ ମଧ୍ୟ ଜିଲ୍ଲାର ଯୁବକ ହାତରେ ଚାକିରୀ ନାହିଁ। ନିଯୁକ୍ତି ସୁଯୋଗ ନାହିଁ କି ନାହିଁ କାମ ଧନ୍ଦାର ଉତ୍ସ। ଅଗତ୍ୟା ଜିଲ୍ଲା ବାହାରକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛି ମୟୂରଭଞ୍ଜର ଯୁବକ। ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହେଲେ ଏଠାରୁ ରପ୍ତାନୀ ହେଉଥିବା ଲୁହାପଥରକୁ ଆଉ ଜିଲ୍ଲାବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ବେକାରୀ ମୁକ୍ତ ମୟୂରଭଞ୍ଜ ଅଭିଯାନ। ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ଏବଂ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ମିଳିତଭାବେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କୁହାଯାଇଛି।

ଗଡଜାତ ଅମଳରୁ ଲୁହାପଥର ରପ୍ତାନୀ ପାଇଁ ନିଜର  ସ୍ୱତନ୍ତ୍ରତା ପ୍ରତିପାଦିତ କରିଥିବା ମୟୂରଭଞ୍ଜରୁ ଲୁହାପଥର ନେଇ କମ୍ପାନୀ ମାନେ ବାହାର ରାଜ୍ୟରେ କଳକାରଖାନା ଖୋଲି ହଜାର ହଜାର କୋଟି ଟଙ୍କାର ମୁନାଫା କମାଉଛନ୍ତି। ଏଣୁ ବେକାରୀ ମୁକ୍ତ ମୟୂରଭଞ୍ଜ ପକ୍ଷରୁ ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ କଳକାରଖାନା ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପ, ସବାଇ ଓ ବାଉଁଶ ଶିଳ୍ପ ଆଦିର ବିକାଶର ଦାବି କରାଯାଇଛି। ଏନେଇ ଆଜି ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସେହିପରି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯଦି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୃଷ୍ଟି ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ନଦିଅନ୍ତି ତେବେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରୁ ଲୁହାପଥର ରପ୍ତାନୀକୁ ଦୃଢ ବିରୋଧ କରାଯିବ ବୋଲି କେକାରୀ ମୁକ୍ତ ମୟୂରଭଞ୍ଜର ଆବାହକ କଳିଙ୍ଗ କେଶରୀ ଜେନା, ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ, ଭଞ୍ଜସେନାର ଅଧ୍ୟକ୍ଷ ସତ୍ୟସ୍ୱରୁପ ଦାଶ, ସଭାପତି ପିଣ୍ଟୁ ମାଇତି, ଗୋରୁମହିଷାଣି ବିକାଶ ପରିଷଦର ସଭାପତି ଲକ୍ଷ୍ମଣ ଟୁଡୁ ପ୍ରମୁଖ କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବଡଖମଣ ସରପଞ୍ଚ ଆରତୀ ବିଶ୍ୱାଳ, କୁଣ୍ଡାବାଇ ସରପଞ୍ଚ  ଯଉନୀ ସିଂ, ବଡସିଙ୍ଗାରିଆ ସରପଞ୍ଚ ସଲମା ଟୁଡୁ, ଭୀମତାଳି ସରପଞ୍ଚ ପାର୍ବତୀ ସିଂ, ମହମ୍ମଦ ଖାନ, ରାକେଶ ବେହେରା, ଜ୍ୟୋତିରଞ୍ଜନ ପୃଷ୍ଟି, ରାକେଶ ମହାନ୍ତି, ସୌମ୍ୟରଞ୍ଜନ ମିଶ୍ର, ମାନସ ବେହେରା, ସେକ ରାଜା ଖାନ, ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର