+୨କଳା ପରୀକ୍ଷା ଫଳ: ମୟୂରଭଞ୍ଜରେ ବଢ଼ିଲା ପାସ୍‌ହାର, କଳାରେ ୭୨.୫୪ ପ୍ରତିଶତ ପାସ୍ 

ଧନ୍ଦାମୂଳକ ଶିକ୍ଷାରେ ୫୯.୬୫ ପ୍ରତିଶତ

ବାରିପଦା: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୟୂରଭଞ୍ଜରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ପ୍ରତିଶତବଢ଼ିଛି। ଜିଲ୍ଲାରୁ +୨ କଳାରେ ଚଳିତ ବର୍ଷ ୭୨.୫୪ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। +୨ କଳାରେ ପରୀକ୍ଷା ଦେଇଥିବା ୧୩ ହଜାର ୪୭୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯, ୭୭୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୧୮ଜଣ ପ୍ରଥମ ଶ୍ରେଣୀ ପାଇଥିବାବେଳେ ୧୭୯୦ଜଣ ୨ୟ ଶ୍ରେଣୀ ଏବଂ ୬୪୬୨ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୭ ଜଣ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟ୍‌ରେ ପାସ୍‌ କରିଛନ୍ତି ।

ଗତବର୍ଷ ଏହି ବିଭାଗରେ ଜିଲ୍ଲାର ପାସ୍‌ହାର ୬୮.୩୯ ପ୍ରତିଶତ ଥିଲା। ସେହିପରି ଧନ୍ଦାମୂଳକ ଶିକ୍ଷାରେ ଜିଲ୍ଲାର ପାସ୍‌ହାର ୫୯.୬୫ ପ୍ରତିଶତ ରହିଛି। ଜିଲ୍ଲାରୁ ୬୯୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୧୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୭ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୮୭ ଜଣ ଏବଂ ୧୩୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍ତର ଓଡ଼ିଶା ଜୋନରେ ପତ୍ର ବିନିମୟ ପାଠ୍ୟକ୍ରମ ମାଧ୍ୟମରେ ୭ ହଜାର ୨୬୧ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୫୫.୧୫ ପ୍ରତିଶତ ହାରରେ ମୋଟ ୪ ହଜାର ୫ ଜଣ ପାସ୍‌ କରିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୩୫୨ ଜଣ ଏବଂ ତୃତୀୟ ଶ୍ରେଣୀରେ ୩,୫୧୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। କମ୍ପାଟମେଣ୍ଟ୍‌ରେ ୧୪ ଜଣ ପାସ୍‌ କରିଥିବା ବେଳେ ୨୪ ଜଣ କପି କରି ଧରାପଡ଼ିଛନ୍ତି ।

ଗତବର୍ଷ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ହାର ୪୭.୬୬ ପ୍ରତିଶତ ହୋଇଥିବା ସିଏଚଏସଇ ଉତ୍ତର ଓଡ଼ିଶା ଜୋନ୍‌ ଉପସଚିବ ଜୟଦେବ ପ୍ରମାଣିକ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନ୍‌ରେ ଚଳିତ ବର୍ଷ +୨ କଳାରେ ପାସହାର ୭୦.୬୨ ପ୍ରତିଶତ ହୋଇଛି। ଚଳିତ ବର୍ଷ ଏହି ଜୋନ୍‌ରେ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ଫଳ କରିଥିବା ଜଣାପଡ଼ିଛି।

 

 

ସମ୍ବନ୍ଧିତ ଖବର