ଥରହର କଲାଣି ଦନ୍ତା, ବନବିଭାଗ ଅସହାୟ

୩ ଦିନ ହେଲା ସ୍ଥାନୀୟ ଲୋକ ରାତି ଉଜାଗର

ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନ ବୈଶିଙ୍ଗା ବନାଞ୍ଚଳ କ୍ଷେତ୍ରରେ ଥରହର କଲାଣି ଦନ୍ତା। ଗୋଟିଏ ଦନ୍ତା ଗତ କିଛି ଦିନ ହେବ ବୈଶିଙ୍ଗା ଥାନା ଅନ୍ତର୍ଗତ କ୍ଷୀରପଦା, ଫୁଲଝରି, ପାଟୁଳିପୁରା, ମୋହନପୁର ଓ ତାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଛି।

ଆଜି ପୂର୍ବାହ୍ନରେ ଦନ୍ତାଟି ବୈଶିଙ୍ଗା-ମାଣତ୍ରି ରାସ୍ତାର ମୋହନପୁର ଜଙ୍ଗଲସ୍ଥିତ ମା’ ଦୁଧିଆ ବଡାମ ଠାକୁରାଣୀଙ୍କ ମନ୍ଦିର ନିକଟରେ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ବୁଲାଚଲା କରିଥିଲା। ଫଳରେ ଯାତାୟାତ ଠପ୍‌ ହୋଇ ଯାଇଥିଲା। ରାସ୍ତାର ଦୁଇ ପଟରେ ଗାଡ଼ିମୋଟର ଅଟକି ରହିଥିବା ବେଳେ ଶହଶହ ଲୋକ ହାତୀ ଦେଖିବାକୁ ଭିଡ଼ ଲଗାଇଥିଲେ। କିଛି ସ୍ଥାନୀୟ ଲୋକ ହାତୀଟିକୁ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଦେଇ ଚାଲିଥିଲେ ଫଳରେ ଦନ୍ତାଟି ଅନ୍ୟକୁଆଡେ ନଯାଇ ସେଇଠି ଠିଆ ହୋଇଥିଲା। ଖବର ପାଇ ବନବିଭାଗ ଟିମ୍‌ ପହଞ୍ଚି ହାତୀଟିକୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ କିଛି ସମୟ ପରେ ହାତୀଟି ପୁଣି ରାସ୍ତା ପାଖକୁ ଆସିଥିଲା ଓ ଦିନତମାମ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଥିଲା।
ଅପରାହ୍ନରେ ବେତନଟୀ ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ, ଏସିଏଫ ଦିଲ୍ଲୀପ କୁମାର ବାରିକ, ୱାଇଲଡ ଲାଇଫ ୱାର୍ଡେନ ବିବେକାନନ୍ଦ ପଟ୍ଟନାୟକ, ବରିଷ୍ଠ ପଶୁ ଚିକିତ୍ସକ ଡା. ପିୟୁଷ ସୋରେନ ଓ ବୈଶିଙ୍ଗା ବନପାଳ ହିମାଂଶୁ ଶେଖର ମହାନ୍ତ ପ୍ରମୁଖ ପହଞ୍ଚିଥିଲେ। ସେମାନଙ୍କ କହିବା ଅନୁଯାୟୀ ବୋଧହୁଏ ହାତୀଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଯେଉଁଥିପାଇଁ ସେ କୁଆଡେ ଯାଉନାହିଁ। ଏ ନେଇ ସଠିକ ଅନୁଧ୍ୟାନ କଲାପରେ ଏସ୍କର୍ଟ ମଗାଇ ତାକୁ ଜଙ୍ଗଲ ମଧ୍ୟକୁ ନେବାର ବ୍ୟବସ୍ଥା କରାଯିବ ବୋଲି କହିଛି ବନବିଭାଗ। ସ୍ଥାନୀୟ ଲୋକଙ୍କ କହିବା କଥା ହାତୀ ଗତ ୩-୪ ଦିନ ହେଲାଣି ସେମାନଙ୍କୁ ରାତିରେ ଶୋଇବାକୁ ଦେଉନାହିଁ। କେତେବେଳେ ଘର ଭାଙ୍ଗୁଛି ତ’ କେତେବେଳେ ଚାଷ ଜମି ନଷ୍ଟ କରୁଛି। ଏଥିପାଇଁ ଭୟର ବାତାବରଣ ଲାଗି ରହୁଛି। ବନବିଭାଗର ଉପରିସ୍ଥ ଅଧିକାରୀମାନେ କେବଳ ଜଣେ ଦୁଇଜଣ ବନରକ୍ଷୀଙ୍କୁ ଘଟଣାସ୍ଥଳକୁ ପଠେଇ ଦେଇ ନିଜର ଦାୟିତ୍ୱ ଖସାଇ ଦେଉଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନବିଭାଗ ଟିମ୍‌ର ବିଫଳତା ଲୋକଙ୍କ ଜୀବନକୁ ବିପନ୍ନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର