ବାରିପଦା : ମୟୂରଭଞ୍ଜକୁ ଡରଉଛି ଅଗଷ୍ଟ। ଚଳିତ ମାସ ପହିଲାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ତାଲିକାରେ ପୁଣି ୬ତାରିଖର ତଥ୍ୟ ଉପଲବ୍ଧ ନାହିଁ। କାରଣ ଉକ୍ତ ଦିନର ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲାପ୍ରଶାସନ ଦେଇନାହିଁ। ତେବେ ଅଗଷ୍ଟ ମାସ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି। ଆଜିର ନୂଆ ୨୨ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧୮ ଛୁଇଁଛି ।
ଚଳିତ ମାସ ପହିଲାରେ ୩୯ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ସେହିପରି ୨ ତାରିଖରେ କିନ୍ତୁ ଜିଲ୍ଲାରୁ ମାତ୍ର ଜଣେ ଆକ୍ରାନ୍ତ ହୋଇଥିଲେ ସେ ପୁଣି ଥିଲେ ସ୍ଥାନୀୟ ସଂକ୍ରମିତ। ୩ରେ ୨୯ଜଣରୁ ୨୦ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ୪ରେ ୨୮ରୁ ୨୦ଜଣ, ୫ରେ ୧୫ରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୬ତାରିଖରେ ଜିଲ୍ଲାରୁ ୨୪ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ କିନ୍ତୁ କେତେଜଣ ସ୍ଥାନୀୟ ସଂକ୍ରମିତ ସେନେଇ ଜିଲ୍ଲାପ୍ରଶାସନ କୌଣସି ତଥ୍ୟ ରଖିନଥିଲା। ୭ରେ ୩୪ରୁ ୨୯, ୮ରେ ୩୯ରୁ ୩୦, ୯ରେ ୩୫ରୁ ୩୩ ଏବଂ ୧୦ତାରିଖରେ ୨୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ଦଶଦିନ ମଧ୍ୟ ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଜିଲ୍ଲାସଦରମହକୁମା ବାରିପଦାରେ ମଧ୍ୟ କରୋନା ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଥିବା ପରିଲକ୍ଷିତ ହୋଇଛି। ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬୨୯ ଥିବା ସମୟରେ ଆଜିସୁଦ୍ଧା ସକ୍ରିୟଙ୍କ ସଂଖ୍ୟା ୨୮୭ ରହିଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜିଲ୍ଲାରେ ୪ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।