ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ: ଦୁଇ ବୃଦ୍ଧ ଓ ଜଣେ ନାବାଳିକାଙ୍କ ପ୍ରାଣହାନି

ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲାର ଦୁଇ ଭିନ୍ନ ଭିନ୍ନ ଘଟଣାରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ହାତୀ ଉଭୟ ଘଟଣାରେ ଘର ଭାଙ୍ଗିବା ସହ ଜଣେ ନାବାଳିକା ଓ ଦୁଇ ଜଣେ ବୃଦ୍ଧଙ୍କ ଜୀବନ ନେଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବେତନଟୀ ରେଞ୍ଜ ସୁନାହଜା ଗାଁରେ ହାତୀ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ଦଳି ମାରଦେଇଛି। ଅପରପକ୍ଷରେ ବେତନଟୀ ରେଞ୍ଜ ତଥା ମୋରଡା ବ୍ଲକ ଅଧିନ ଭାଲିଆଡିହା ପଞ୍ଚାୟତର ତାଡକି ଗ୍ରାମରେ ଏକ ଦନ୍ତା ହାତୀ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଖଡିଆସାହି ରେ ହାତୀଟି ଏକ ପକ୍କା ଘର କାନ୍ଥ ଠେଲି ଦେବାରୁ କାନ୍ଥ ତଳେ ଚାପିହୋଇ ବୃଦ୍ଧ ଦେବା ଦେହୁରୀ(୬୨)ଙ୍କ ମଧ୍ୟ ଅତ୍ୟନ୍ତ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଖବର ପାଇ ଉକ୍ତ ଦୁଇଟି ସ୍ଥାନରେ ରାତିରେ ହିଁ ବନବିଭାଗର କର୍ମଚାରୀମାନେ ପହଞ୍ଚି ନାବାଳିକା ଏବଂ ବୃଦ୍ଧଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଆଜି ଉଭୟ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କୁ ପଠାଇଥିବା ବେଳେ ଉଭୟ ପରିବାର ଏବଂ ଗ୍ରାମରେ ଏବେ ଭୟର ବାତାବରଣ ସହିତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଏଣେ ଗତକାଲି ଏକ ଦନ୍ତା ହାତୀ ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡା ବ୍ଲକ ର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ରାତି ରେ ପ୍ରବେଶ କରି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଗୋଟିଏ ନିରୀହ ନାବାଳିକା କୁ ଅତ୍ୟନ୍ତ ନିର୍ମମ ଭାବେ କଚାଡି ଜୀବନରୁ ମାରି ଦେଇଥିବା ଜଣାପଡିଥିଲା।
ଉକ୍ତ ଗ୍ରାମର ପୀତାମ୍ବର ପରମାଣିକଙ୍କ ପରିବାର ଖାଇ ପିଇ ଶୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ପିତାମ୍ବର ଙ୍କ ଘର ଉପରେ ଆକ୍ରମଣ କରିବା ସହ ପୀତାମ୍ବରଙ୍କ ନାବାଳିକା ଝିଅ ଗୁନୁ ପରମାଣିକ (୫)କୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ରେ ଦଳି ଜୀବନରୁ ମାରିଦେଇଥିଲା।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁ ନଥିବା ବେଳେ ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ଘଟୁଥିବା ବେଳେ ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନହାନି ବୃଦ୍ଧି ପାଇଚାଲିଛି। ଏହାକୁ ବନ ବିଭାଗ ଗୁରୁତ୍ବର ସହ ନେଉ ନଥିବା ଯୋଗୁ ପ୍ରବଳ ଜନ ଅସ‌ନ୍ତୋଷ ପରିଲକ୍ଷିତ ହେଉଛି।

ସମ୍ବନ୍ଧିତ ଖବର