ବାଙ୍ଗିରିପୋଷି/ କରଞ୍ଜିଆ:  ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଦୁଇଟି ଅଭାବନୀୟ ଖବର।  ବାଙ୍ଗିରିପୋଷିରେ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ବେଳେ କରଞ୍ଜିଆ ନିକଟରୁ ଜଣେ ନାବାଳିକା ଉଲଗ୍ନ ଅବସ୍ଥାରେ ରାସ୍ତକଡ଼ରୁ ଉଦ୍ଧାର କରାଯାଇଛି । ଜଣେ ୨୬ ବର୍ଷୀୟା ମହିଳାଙ୍କ ମୃତଦେହ ଠାବ ହୋଇଥିବା ବେଳେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାକୁ ପଠାଯାଇଛି।

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ବାରଶୁଣୀ ଘାଟିର ମା ଦ୍ବାରଶୁଣୀ ପୀଠ ନିକଟରେ ୨୬ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିବା କଥା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମହିଳା ଜଣଙ୍କୁ କେହି ଜଣେ ମଧ୍ୟରାତ୍ରରେ ହତ୍ୟା କରି  ଫିଙ୍ଗି ଦେଇଥିବା  ସନ୍ଦେହ କରଯାଉଛି। ମୃତ ମହିଳା ଏକ ନାଲି ରଂଗର ଛିଟ ପୋଷାକ ସହ ଧଳା ରଂଗର ଲେଗିନ୍ସ ପିନ୍ଧିଥିବା ଦେଖାଯାଇଛି । ମହିଳାଙ୍କ ମୁଣ୍ଡରେ ତିନୋଟି ସ୍ଥାନରେ ବଡ଼ ଧରଣର କ୍ଷତ ଚିହ୍ନ ଥିବାରୁ କୌଣସି ଭାରୀ ପଦାର୍ଥ ଦ୍ବାରା ତାଙ୍କୁ ଆକ୍ରମଣ ହୋଇ ଥିବା ସନ୍ଦେହ ହେଉଛି। ଅପରାଧ ଲୁଚାଇବା ପାଇଁ କେହି ଦୁର୍ବୃତ୍ତ ମହିଳାଙ୍କୁ ଗୋଟାଏ ସ୍ଥାନରେ ହତ୍ୟା କରି ବାଙ୍ଗିରିପୋଷି ଘାଟୀ ରାସ୍ତାରେ ଥିବା ଏକ କଲଭୋଟ ତଳେ ଫିଙ୍ଗି ଦେଇ ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଘଟଣାସ୍ଥଳରେ ଏସଡିପିଓଙ୍କ ସହିତ ସାଇଣ୍ଟିଫିକ ଟିମ ଆସି  ତଦନ୍ତ କରିଛି। ଏଯାବତ୍‌ ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ।

ସେପଟେ କରଞ୍ଜିଆ ଥାନା ଅଞ୍ଚଳରୁ ଏକ ନାବାଳିକାକୁ ଗୁରୁତର ଭାବେ ରାସ୍ତାକଡରୁ ଉଦ୍ଧାର କରାଯାଇଛି। ଏହାପରେ ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଯାଇଛି। ମହିଳା ଓ ନାବାଳିକାଙ୍କ ଚେହେରା ମିଳୁଥିବା କାରଣରୁ ଘଟଣା ଅନ୍ୟ ମୋଡ଼ ନେବ ବୋଲି ସନ୍ଦେହ କରାଯାଉଛି । ଚିକିତ୍ସାଧୀନ ନାବାଳିକାର ଚେତା ଫେରିଲେ ଉଭୟଙ୍କ ସଂପର୍କ କ’ଣ ଜଣାପଡିପାରେ ବୋଲି ପୁଲିସ ସୂଚନା ଦେଇଛି।  ଏକ ମାମଲା  ରୁଜୁ କରି ବାଙ୍ଗିରିପୋଷି ପୁଲିସ ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି।