ମୟୁରଭଞ୍ଜ: ଆଶ୍ରମ ସ୍କୁଲର ୨୧ ଛାତ୍ରଛାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ବ୍ରାହ୍ଣଣମରା ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ସ୍କୁଲର ୨୧ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର ସନ୍ଧ୍ୟାରେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାରେ ଆଶ୍ରମ ଦ୍ୱାରା ଦିଆଯାଇଥିବା ଖାଦ୍ୟ ଖାଇବାର କିଛି ସମୟ ପରେ ସେମାନଙ୍କ ମୁଣ୍ଡ ବୁଲାଇଥିବା ବେଳେ କିଛି ପିଲାଙ୍କର ପେଟକାମୁଡ଼ିବା ଓ ବାନ୍ତି ହୋଇଥିଲା। ସ୍କୁଲ ମେଟ୍ରମ୍‌ ପିଲାମାନଙ୍କୁ ୨ଟି ଗାଡ଼ିରେ ନେଇ ୩୫ କିଲୋମିଟର ଦୂରରେ ଥିବା ବାରିପଦା ହସ୍ପିଟାଲ ଆଣିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ପିଲାଙ୍କୁ ସାଲାଇନ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୬ ଛାତ୍ରୀ ହୋଇଥିବା ବେଳେ ୫ଜଣ ହେଉଛନ୍ତି ଛାତ୍ର।

 

ସୂଚନାଯୋଗ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏହି ଆଶ୍ରମ ସ୍କୁଲରେ ୨୫୦ ଜଣ ଛାତ୍ରଛାତ୍ରୀ ପଢନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ହଷ୍ଟେଲରେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଉ ନଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି। କେବଳ ବ୍ରାହ୍ମଣମରା ଆଶ୍ରମ ସ୍କୁଲ ନୁହେଁ, ଜିଲ୍ଲାରେ ଆହୁରି ମଧ୍ୟ ଆଶ୍ରମ ସ୍କୁଲରେ ପୂର୍ବରୁ ଏଭଳି ଅବ୍ୟବସ୍ଥା ଦେଖାଯାଇଥିବା ପ୍ରମାଣ ରହିଛି।

ସମ୍ବନ୍ଧିତ ଖବର