ମୟୁରଭଞ୍ଜରେ ୨୧୫ ନୂଆ ଆକ୍ରାନ୍ତ, ମୋଟ ସଂଖ୍ୟା ୩,୬୫୭କୁ ବୃଦ୍ଧି

ବାରିପଦା : ଅଗଷ୍ଟ ମାସରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିବା କରୋନା ସେପ୍ଟେମ୍ବର ପହିଲାରୁ ଡବଲ୍‌ ‌ସେଞ୍ଚୁରୀ ମାରିଛି। ଆଜି ଜିଲ୍ଲାରୁ ୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୫୭କୁ ବୃଦ୍ଧି ପାଇଛି। ଆଜି ଜିଲ୍ଲାରୁ ଜଣେ ୬୦ ବର୍ଷିୟା ମହିଳା ଓ ଜଣେ ୮୦ ବର୍ଷ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଫଳରେ ଜିଲ୍ଲାରେ କରୋନଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧ଜଣ ସ୍ଥାନୀୟ ସଂସ୍ପର୍ଶରୁ ସଂକ୍ରମିତ ହୋଇଛନ୍ତି।

ମାତ୍ର ୭ଜଣ କ୍ବାରାଣ୍ଟିନ୍‌ ସେଣ୍ଟର୍‌ରୁ ଆକ୍ରାନ୍ତ ହୋଇଥିବାବେଳେ ୭ଜଣ କୋଭିଡ୍‌ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି। ଆଜି ବଡ଼ସାହି, ଯଶୀପୁର ବ୍ଲକ୍‌ରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ ହୋଇଥିବାବେଳେ ରରୁଁଆ ଓ କପ୍ତିପଦାରୁ ୧୨ଜଣ ଲେଖାଏଁ, ଜିବିନଗରରୁ ୧୩, ବେତନଟୀରୁ ୧୫, ବାରିପଦା‌ ପୌରାଞ୍ଚଳରୁ ସର୍ବାଧିକ ୨୧ଜଣ କରୋନା ସଂକ୍ରମିତ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଆଜି ଜିଲ୍ଲାରୁ ୧୩୧ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୨୧୯୮କୁ ବଢ଼ିଛି। ସେହିପରି ଜିଲ୍ଲାରେ ସକ୍ରିୟ ସଂଖ୍ୟା ୧୪୫୧ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଆଜିସୁଦ୍ଧା ଜିଲ୍ଲାରେ ୮ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ବାରିପଦା ପୌରାଞ୍ଚଳରୁ ୨୧ ଆକ୍ରାନ୍ତ

ବାରିପଦା ପୌରାଞ୍ଚଳରେ କ୍ରମଶଃ ଅଣାୟତ ହେଉଛି କରୋନା। ଆଜି ପୁଣିଥରେ ପୌରାଞ୍ଚଳରୁ ୨୧ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶୂନଗଡ଼ିଆ ଅଞ୍ଚଳ ସମେତ ଷ୍ଟେସନବଜାର, ବେଲଗଡ଼ିଆ, ମଧୁବନ, ତୁଳସୀଚଉରା ଆଦି ଅଞ୍ଚଳରୁ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ମ ବାଟାଲିୟନ୍‌ରୁ ମଧ୍ୟ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର