ବାରିପଦା: ଡାକ୍ତର ଅଭାବ ପାଇଁ ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛରେ ପଡ଼ିଯାଇଛି। ଯଦିଓ ଜିଲ୍ଲାରେ ଏକ ମେଡିକାଲ କଲେଜ (ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ), ୩ଟି ଉପଖଣ୍ଡ ଚିକିତ୍ସାଳୟ, ୨୬ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୮୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି, କିନ୍ତୁ ଆବଶ୍ୟକ ମୁତାବକ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟସେବା ପାଇଁ ଲୋକେ ହଇରାଣ ହେଉଛନ୍ତି। ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ ହେଉନାହିଁ। ନୂତନ ଭାବେ ନିଯୁକ୍ତି ପାଉଥିବା ଅଧିକାଂଶ ଡାକ୍ତର ଉଚ୍ଚଶିକ୍ଷା ଆଳରେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ଆଉ କିଛି ଲମ୍ବା ଛୁଟିରେ ରହି କାର୍ଯ୍ୟ କରୁନାହାନ୍ତି। ଜିଲ୍ଲାରେ ଡାକ୍ତର ଅଭାବ ଯୋଗୁଁ ଦୁର୍ଗମ ଓ ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟକର୍ମୀ ଓ କ୍ବାକ୍‌ଙ୍କ ଉପରେ ଲୋକମାନେ ଭରସା କରୁଛନ୍ତି। ଅନେକ ସମୟରେ ଚିକିତ୍ସା ନ ପାଇ ଜୀବନହାନି ମଧ୍ୟ ଘଟୁଛି। ସଚେତନତା ଅଭାବରୁ ଦୁର୍ଗମ ଅଞ୍ଚଳର ଲୋକମାନେ ଗୁଣିଆଙ୍କ ଉପରେ ଭରସା କରିବା ସହ ଚେରମୂଳିକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି।
ଜିଲ୍ଲାରେ ଅନୁମୋଦିତ ଡାକ୍ତରଙ୍କ ସଂଖ୍ୟା ୬୪୨ ଜଣଙ୍କ ମଧ୍ୟରୁ ଏବେ ଅଛନ୍ତି ମାତ୍ର ୨୭୩ ଜଣ। ୩୪୯ ଡାକ୍ତର ପଦ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ୫ ଶହରୁ ଅଧିକ ରୋଗୀ ଆସୁଛନ୍ତି। ହେଲେ ଏଠାରେ ୭୩ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୪୩ ଜଣ। ୩୦ ଡାକ୍ତର ପଦବି ଖାଲି ପଡ଼ିଛି। ସେହିଭଳି ଉଦଳା ଉପଖଣ୍ଡ ଡାକ୍ତରଖାନାରେ ୭, କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ୮, ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ୯, ବିଶୋଇ ବ୍ଲକ୍‌ରେ ୧୨, ଶୁକୃଳି‌ରେ ୧୧, ତିରିଂରେ ୯, ବାଙ୍ଗିରପୋଷିରେ ୧୦, ଯଶିପୁରରେ ୧୦, ବହଳଦାରେ ୯, ଗୋପବନ୍ଧୁନଗରରେ ୮, ସାରସକଣାରେ ୯, ବିଜାତଳା, କୁସୁମୀ ଓ ଜାମଦାରେ ୮, ବଡ଼ସାହି, ମୋରଡ଼ା, କପ୍ତିପଦା ଓ କରଞ୍ଜିଆ ବ୍ଲକ୍‌ରେ ୭ଟି ଲେଖା ଡାକ୍ତର ପଦ ଖାଲି ପଡ଼ିଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ଉପରେ ବିଶେଷ ଧ୍ୟାନ ଦିଆଯାଉନଥିବାରୁ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି।
ପିଆରଏମ୍‌ ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲେ ବି ତା’ ପରିସରରେ ଚାଲିଥିବା ହସ୍‌ପିଟାଲ କାମ ଆଜି ସୁଦ୍ଧା ଶେଷ ହୋଇନାହିଁ। ହସପିଟାଲ୍ କାର୍ଯ୍ୟକ୍ଷମ ହେଲେ ରେଫରାଲ୍ ବ୍ୟବସ୍ଥ‌ାରେ କିଛିଟା ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଜାନୁଆରି ୧୫ ତାରିଖରେ ଏହି ହସ୍‌ପିଟାଲର ଉଦ୍‌ଘାଟନ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି।