ମତଦାନ କେନ୍ଦ୍ର ଫାଙ୍କା:ଭୋଟ୍‌ ବର୍ଜନ କଲେ ୫ ଗ୍ରାମବାସୀ

-ପୂର୍ବରୁ ଦେଇଥିଲେ ଚେତାବନୀ -ଗୁରୁତ୍ବ ଦେଇନଥିଲା ପ୍ରଶାସନ

ରାଇରଙ୍ଗପୁର/ଗୋରୁମହିଷାଣୀ: ଗଣତନ୍ତ୍ର ମହାପର୍ବରେ ଆଜି ମୟୂରଭଞ୍ଜ ଜିଲ୍ଲାର ଭୋଟର ସାମିଲ ହୋଇଥିବା ବେଳେ କିଛି କିଛି ସ୍ଥାନରେ ସଂପୂର୍ଣ୍ଣ ଭୋଟ ବର୍ଜନ ନିଷ୍ପତ୍ତି ସରକାରଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଯାଇଛି। ପ୍ରଶାସନର ଚରମ ଅବହେଳାରେ ବାରମ୍ବାର ବ୍ୟଥିତ ଥିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫ଟି ଗ୍ରାମବାସୀ ଆଜି ସଂପୂର୍ଣ୍ଣ ଭୋଟ୍ ବର୍ଜନ କରିଥିବା ଜଣାପଡ଼ିଛି।
ତିରିଂ ବ୍ଲକ ଅନ୍ତର୍ଗତ ଡକଡିହି ଓ ମୁଡ଼ଦା ଗ୍ରାମବାସୀ ଝାଡ଼ଖଣ୍ଡରେ ନିର୍ମାଣାଧୀନ କୁଜୁ ଡ୍ୟାମ୍ ପାଇଁ ବିସ୍ଥାପିତ ହେଉଛନ୍ତି। କିନ୍ତୁ ବିସ୍ଥାପିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାରେ ସରକାରଙ୍କ ଟାଳଟୁଳ ନୀତିକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରି ଆସୁଥିଲେ। ‌ତେବେ ଏ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିକଟରୁ କୌଣସି ସନ୍ତୋଷଜନକ ଜବାବ ନପାଇ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ବିସ୍ଥାପିତ ପରିବାରକୁ କ୍ଷତିପୂରଣ ଦେବାରେ ଏସ୍‌ଟି ଓ ସାଧାରଣ ବର୍ଗଙ୍କ ପାଇଁ ଭିନ୍ନ ଭିନ୍ନ ଧରଣର କ୍ଷତିପୂରଣ ମିଳୁଛି। ଏ ଭଳିକି ପ୍ରଶାସନ ପାତରଅନ୍ତର କରି ଚାଲିଥିବା ବେଳେ ଉକ୍ତ ଗ୍ରାମବାସୀଙ୍କୁ ବିସ୍ଥାପନ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯାଉ ନାହିଁ। ଏ ନେଇ ବାମନଘାଟୀ ଉପଜିଲ୍ଲାପାଳଙ୍କୁ ଗ୍ରାମବାସୀ ଜଣାଇବା ସତ୍ବେ କୌଣସି ପ୍ରତିଶ୍ରୁତି ନ ପାଇ ଆଜି ଭୋଟ ବର୍ଜନ କରିଛନ୍ତି। ଡକଡ଼ିହି ଗ୍ରାମ ବୁଥ୍ ନଂ. ୧୪ରେ ୧୦୩୫ ଭୋଟର ରହିଥିବା ବେଳେ ଏହି ବୁଥ୍‌ରେ ଖଣ୍ଡିଏ ବି ଭୋଟିଂ ହୋଇନଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେହିପରି ମୁଡ଼ଦା ଗ୍ରାମର ବୁଥ୍ ନଂ ୩୩ରେ ୬୩୭ ଭୋଟର ବର୍ଜନ କରିଥିବା ଜଣାପଡ଼ିଛି। ବହଳଦା ବ୍ଲକ ଡକଡିହା ଗ୍ରାମକୁ ଗମନାଗମନ କରିବାକୁ ସେତୁ ଖଣ୍ଡିଏ ନିର୍ମାଣ ହେଉନଥିବାରୁ ଗ୍ରାମବାସୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ୁଛି। ଗୁଡ଼ିଆ ନଦୀ ଉପରେ ପୋଲ ନିର୍ମାଣ ତଥା ପାନୀୟ ଜଳ ସମସ୍ୟାର ଦୂର କରିବା ପାଇଁ ପ୍ରଶାସନକୁ ବାରମ୍ବାର ଦାବି କରିଛନ୍ତି। କିନ୍ତୁ ଏ ନେଇ ପ୍ରଶାସନ କୌଣସି ପ୍ରତିଶ୍ରୁତି ନ‌ ଦେବାରୁ ଡକଡ଼ିହା ବୁଥ୍ ନଂ. ୧୪୬ର ୩୭୩ ଭୋଟର ‌ଭୋଟ ବର୍ଜନ କରିଥିବା ଜଣାପଡ଼ିଛି। ସେହିପରି ରାଇରଙ୍ଗପୁର ବ୍ଲକ କଟୁପୀଡ଼ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଉନଥିବାରୁ ଗ୍ରାମବାସୀ ବୁଥ୍ ନଂ ୨୪୦ର ୩୩୦ ଭୋଟର ଭୋଟ୍ ବର୍ଜନ କରିଛନ୍ତି। ତେବେ ଉଦୟପୁର ଓ ମାର୍ଚ୍ଚାଗୋଡା ବୁଥରେ ମୋଟ୍ ୫୧୨ ଖଣ୍ତ ଭୋଟରଙ୍କ ମଧ୍ୟରୁ ୩ ଜଣ ଭୋଟ୍‌ ଦେଇଥିବା ସୂଚନା ମିଳିଛି। ଏହାଛଡ଼ା ସାରସକଣା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତପୁର ଗ୍ରାମର ବୁଥ୍ ନଂ ୨୦୯ରେ ଆଜି ଭୋଟ୍ ବଜର୍ନ କରିଥିବା ଜଣାପଡ଼ିଛି। ଜମି ଜବରଦଖଲକାରୀଙ୍କ ବିରୁଦ୍ଧରେ ‌ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉକ୍ତ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜଣାପଡ଼ିଛି। ବାମନଘାଟୀ ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିକାଶ ଅପହଞ୍ଚ ହେତୁ ସ୍ଥାନୀୟ ଅଂଚଳବାସୀ ନିଜର ‌ମତଦାନ ଅଧିକାରକୁ ଜଳାଞ୍ଜଳି ଦେଉନଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଯାଇଛି।

 

ସମ୍ବନ୍ଧିତ ଖବର