ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ପୁଲିସକୁ ବଡ଼ ସଫଳତା। ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ମୋବାଇଲ ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗକୁ ଧରିବାରେ ମିଳିତ ଭାବେ ସଫଳ ହୋଇଛନ୍ତି ବୈଶିଙ୍ଗା, ବେତନଟୀ ଓ ବାରିପଦା ଟାଉନ ପୁଲିସ। ବାରମ୍ବାର ବେତନଟୀ, ବୈଶିଙ୍ଗା ଅଞ୍ଚଳର ହାଟ ବଜାର ଓ ବାରିପଦା ରଥଯାତ୍ରା ସମୟରେ ଚୋରି କରି ପୁଲିସକୁ ଚ୍ୟାଲେଞ୍ଜ ଦେବା ସହ ପୋଲିସର ନିଦ ହଜାଇଥିଲା ଏହି ଗ୍ୟାଙ୍ଗ୍। ଉକ୍ତ ଗ୍ୟାଙ୍ଗରେ ସମୁଦାୟ ୬ ଜଣ ଲୁଟେରା ଥିବାବେଳେ ତନ୍ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି।
ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ୨ୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ରଥଯାତ୍ରା ମେଳା ସମେତ ବେତନଟୀ ଓ ବୈଶିଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାରମ୍ବାର ମୋବାଇଲ ଚୋରି କରୁଥିବାବେଳେ ପୁଲିସ ଲୁଟେରାଙ୍କର ଟେର ପାଉନଥିଲା। ଯାହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ହେଲେ ଗତକାଲି ଏହି ଲୁଟେରା ଗ୍ୟାଙ୍ଗ ଦୁର୍ଭାଗ୍ୟବଶତଃ ଏକ ସାମସଙ୍ଗ ଅଲଟ୍ରା ମୋବାଇଲ ଚୋରାଇ ତାକୁ ସୁଇଚଅଫ କରିପାରିନଥିଲେ, ଯେଉଁଥିପାଇଁ ପୁଲିସ ସେଇ ମୋବାଇଲକୁ ଟ୍ରାକ କରି ଲୁଟେରାଙ୍କ ଲୋକେସନ ଟ୍ରାକ କରିଥିଲା।
ଏହି ଗ୍ୟାଙ୍ଗ ଚୋରାଇ ଥିବା ମୋବାଇଲ ସବୁ ନେଇ ବାଲେଶ୍ୱର ଜିଲ୍ଲାକୁ ଖସିଯିବାକୁ ବସିଥିବାବେଳେ ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ, ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ ଓ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ ସୋରେନ ମିଶି ୧୮ନଂ ଜାତୀୟ ରାଜପଥ ଉପରେ ଲୁଟେରା ଗ୍ୟାଙ୍ଗକୁ ମାଡ଼ି ବସିଥିଲେ। ପୁଲିସ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ତାଙ୍କ ମଧ୍ୟରୁ ୩ ଲୁଟେରା ନାବାଳକ ଜଣାପଡ଼ିଛି। ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ମୋଟ ୫୧ଟି ନାମୀ ଦାମୀ ମୋବାଇଲ ପୁଲିସ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।