ଭିଜିଲାନ୍‌ସ ଟିମ୍‌କୁ ଅଟକ ରଖି ୬ ଆର୍‌ଆଇ ଗିରଫ

ରାଇରଙ୍ଗପୁର/ବିଜାତଳା : ଲାଞ୍ଚ ନେଉଥିବା ଜଣେ ଆରଆଇଙ୍କୁ ଧରିବାକୁ ଯାଇଥିବା ଭିଜିଲାନ୍‌ସ ଟିମ ଆଜି ହଟହଟା ହୋଇଛି। ଲାଞ୍ଚୁଆ ଆର୍‌ଆଇଙ୍କୁ କାବୁକରି କାଗଜପତ୍ର ପ୍ରସ୍ତୁତ କରୁଥିବା ବେଳେ ଦଳେ ଆର୍‌ଆଇ ଭିଜିଲାନ୍ସ ଟିମ୍‌କୁ ଅଟକ ରଖିଥିଲେ। ସେମାନେ ଗେଟ୍‌ରେ ତାଲା ଦେଇ ବାହାରେ ଜଗିରହିଥିଲେ। ଆର୍‌ଆଇଙ୍କୁ ଛାଡ଼ିଲେ ତୁମକୁ ଛାଡ଼ିବୁ ବୋଲି ଧମକ ଦେଇଥିଲେ। ଦୀର୍ଘ ଘଣ୍ଟାଏ କାଳ ଅଟକ ରହିବା ପରେ ସ୍ଥାନୀୟ ପୁଲିସ ଭିଜିଲାନ୍ସ ଟିମ୍‌କୁ ଉଦ୍ଧାର କରିଛି। ଏପଟେ ଟିମ୍‌କୁ ଅଟକ ରଖିଥିବା ୬ ଜଣ ଆର୍‌ଆଇଙ୍କୁ ଥାନାକୁ ଧରିନେଇଛି ପୁଲିସ। ଭିଜିଲାନ୍‌ସ ଟିମ୍‌କୁ ବିରୋଧ କରିବା, ବେଆଇନ ଅଟକ ରଖିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ଓ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଜାତଳା ଆରଆଇ କାର୍ଯ୍ୟାଳୟରେ।

ରାଇରଙ୍ଗପୁର ଏସ୍‌ଡିପିଓ ଅମୂଲ୍ୟ କୁମାର ଧର ଘଟଣାର ତଦନ୍ତ ପାଇଁ ଗ୍ରାମାଞ୍ଚଳ ଥାନାରେ ପହଞ୍ଚିଛନ୍ତି। ବିଜାତଳା ତହସିଲଦାର ଅଶ୍ୱିନୀ କୁମାର ନାୟକ ମଧ୍ୟ ଉପସ୍ଥିତ ରହି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ଏନେଇ ଭିଜିଲାନ୍‌ସରେ କେସ୍‌ ନମ୍ବର ୬/୧୮ରେ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର