ମୟୁରଭଞ୍ଜରେ ଅଛନ୍ତି ୮୦୦ରୁ ଅଧିକ ବାହାର ରାଜ୍ୟର ଶ୍ରମିକ, ପ୍ରସାସନ ପକ୍ଷରୁ ଯୋଗାଇଦିଆଯାଉଛି ବାସସ୍ଥାନ ଓ ଖାଦ୍ୟ

ରାଜ୍ୟବାହାରେ ରହୁଥିବା ମୟୂରଭଞ୍ଜର ୨୧୦ଜଣ ପ୍ରଶାସନ ସହିତ ଯୋଗାଯୋଗ କରିଛନ୍ତି: ଡିଏଲ୍ଓ

ବାରିପଦା (ଇମିସ): ମୟୂରଭଞ୍ଜରେ ପ୍ରାୟ ୮୦୦ରୁ ଅଧିକ ଶ୍ରମିକଙ୍କୁ ଖାଦ୍ୟ ଓ ବାସସ୍ଥାନ ଯୋଗାଇଦିଆଯାଇଛି । ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଏହି ଶ୍ରମିକମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଏବଂ ଖାଇବାର ବନ୍ଦୋବସ୍ତ କରାଯାଇ ଆଶ୍ରୟ ପ୍ରଦାନ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରିଣୀ(ଡିଏଲ୍ଓ) ମୋନାଲିସା ନାୟକ ସୂଚନା ଦେଇଛନ୍ତି।

ଜାତୀୟ ରାଜପଥ ଅଧିନରେ କାମ କରୁଥିବା ବିଭିନ୍ନ ସଂସ୍ଥାର ଶ୍ରମିକ ହୁଅନ୍ତୁ ଅବା ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରୁ ଆସି ବାରିପଦା ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାମ କରୁଥିବା ଶ୍ରମିକ; ସମସ୍ତଙ୍କୁ ସେମାନଙ୍କର ରାଜ୍ୟକୁ ନ ପଠାଇ ଜିଲ୍ଲାରେ ହିଁ ରଖିବାର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ଏମାନଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଡିଏଲ୍ଓ ସୂଚନା ଦେଇଛନ୍ତି। ଜିଲ୍ଲାର ସଦରମହକୁମା ସମେତ ସମସ୍ତ ବ୍ଲକ୍ ଏବଂ ପୌରାଞ୍ଚଳରେ ଏହି ବାହାର ରାଜ୍ୟର ଶ୍ରମିକ ଓ କର୍ମଜୀବୀମାନଙ୍କୁ ଆଶ୍ରୟ ଯୋଗାଇଦିଆଯାଇଛି। ମୟୂରଭଞ୍ଜରେ ମୁଖ୍ୟତଃ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ସଂଖ୍ୟାଧିକ ଶ୍ରମିକ ରହିଛନ୍ତି। ବ‌ିଶେଷକରି ସୀମାନ୍ତବର୍ତ୍ତି ସାରସକଣା, ମୋରଡ଼ା ଆଦି ବ୍ଲକ୍ଗୁଡ଼ିକରେ ଏମାନଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କୁ ସ୍ଥାନୀୟ ବିଡିଓ କିମ୍ବା ନିର୍ବାହୀ ଅଧିକାରୀଙ୍କ ତତ୍ତ୍ବାବଧାନରେ ଖାଦ୍ୟ, ବାସସ୍ଥାନ ଆଦି ଯୋଗାଇଦିଆଯାଇଛି। ଗତକାଲିଠାରୁ ଜିଲ୍ଲାରେ ବିଭିନ୍ନ କ୍ୟାମ୍ପରେ ଏହି ଶ୍ରମିକମାନେ ରହିବା ଆରମ୍ଭ କଲେଣି। ସେହିପରି ବିଭିନ୍ନ ସଂସ୍ଥା ଅଧିନରେ କାମ କରୁଥିବା ଶ୍ରମିକମାନଙ୍କର ରହିବା ଖାଇବା ଆଦିର ସୁବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏପର୍ଯ୍ୟନ୍ତ ମୟୂରଭଞ୍ଜରୁ ଯାଇ ଅନ୍ୟାନ୍ୟ ରାଜ୍ୟରେ କାମ କରୁଥିବା ୨୧୦ ଜଣ ସହାୟତା ପାଇଁ ଜିଲ୍ଲା ଶ୍ରମବିଭାଗ ସହିତ ଯୋଗାଯୋଗ କରିଥିବା ଡିଏଲ୍ଓ ସୂଚନା ଦେଇଛନ୍ତି। ଯୋଗାଯୋଗ କରୁଥିବା ଲୋକମାନଙ୍କୁ ସହାୟତା ପାଇଁ ବ୍ୟବସ୍ଥା କରାଯାଉଥିବା ଡିଏଲ୍ଓ କହିଛନ୍ତି। ମାତ୍ର ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅନେକ ବୋଲି ଜଣାପଡ଼ିଛି। କରୋନାକୁ ପ୍ରତିହତ କରିବା ଏବଂ କଲଡାଉନକୁ ସଫଳ କରିବା ନିମନ୍ତେ ଯିଏ ଯେଉଁଠି ଅଛନ୍ତି ସେହି ସ୍ଥାନରେ ରହିବାକୁ କଡ଼ା ନିର୍ଦ୍ଦେଶ ପରେ ମୟୂରଭଞ୍ଜରେ ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ସହାୟତାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର