ବିଶୋଇ: ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୟ ରାଜପଥ ସ୍ଥିତ ଦ୍ୱାରଶୁଣି ଘାଟି ମଧ୍ୟରେ ଆଜି ଏକ ଚଳନ୍ତା କଣ୍ଟେନରରେ ନିଆଁ ଲାଗିଯାଇଥିବା ବେଳେ ଏଥିରୁ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି। ବର୍ତ୍ତିଥିବା ଡ୍ରାଇଭର ଜଣକ ହେଲେ ବୀରପାଲ ଗୋସ୍ୱାମୀ (୩୨)।
ସୂଚନାଥାଉକି, କୋଲକାତାରୁ ମୁମ୍ବାଇ ଅଭିମୁଖେ ଲୁହା ସାମଗ୍ରୀ ନେଇ ଯାଉଥିବା ଏକ କଣ୍ଟେନର(ଏନ.ଏଲ ୦୧ ଏଇ ୨୭୮୪) ବାଙ୍ଗରିପୋଷି ନିକଟସ୍ଥ ଦ୍ୱାରଶୁଣି ଘାଟି ପାହାଡ଼ ରାସ୍ତା ଚଢୁଥିବା ସମୟରେ ଚଳନ୍ତା କଣ୍ଟେନରରେ ନିଆଁ ଲାଗିଯାଇଥିଲା।ନିଆଁ ଲାଗିବାର ଜାଣି କଣ୍ଟେନର ମଧ୍ୟରେ ଥିବା ଡ୍ରାଇଭର ବାହାରକୁ ବାହାରି ନିଜ ଜୀବନକୁ ବଞ୍ଚାଇ ପାରିଥିଲେ। ଘଟଣା ସମ୍ପର୍କରେ ଜାଣି ବାଙ୍ଗରିପୋଷି ପୁଲିସ ଓ ଦମକଳ ବାହିନୀ ଉଭୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସର୍ଟସର୍କିଟ କାରଣରୁ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ରାସ୍ତା ଉପରେ ଚଳନ୍ତା କଣ୍ଟେନରରେ ନିଆଁ ଲିଭା କାର୍ଯ୍ୟ ଚାଲି ରହିଥିବା ହେତୁ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଘାଟି ରାସ୍ତା ମଧ୍ୟରେ ଯାତ୍ରୀବାହୀ ବସ୍ ଓ ଶତାଧିକ ମାଲବୋଝେଇ ଟ୍ରକ ଅଟକି ରହିଥିଲା।