ରାସନ ଚାଉଳ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୫୦ ନଂ ରାଜ୍ୟରାଜପଥ ସ୍ଥିତ ସ୍ଥାନୀୟ ମଧୁପୁର ଛକ ନିକଟରେ ପିକଅପ ଭ୍ୟାନ ଏକ ବାଇକକୁ ଧକ୍କା ଦେବା ଫଳରେ ଜଣେ ବାଇକ ଆ‌ରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହୋଉଛନ୍ତି। ମୃତକ ଜଣଙ୍କ ହେଲେ ବିଶୋଇ ଥାନା ଅଧିନ ଲୁହାକାନି ପଞ୍ଚାୟତ ସ୍ଥିତ ଜେଡେରଘୁଟୁ ଗ୍ରାମର ଦାସମାତ ହେମ୍ବ୍ରମ (୫୦) ଏବଂ ଅନ୍ୟ ୨ ଜଣ ଗୁରୁତର ହେଲେ ସେହି ଗ୍ରାମର ବୁଢାନ ମୁର୍ମୁ(୨୫) ଓ କାରା ମୁର୍ମୁ (୪୦)।

ସୂଚନାଥାଉକି, ଉକ୍ତ ୩ ଜଣ ରାସନ ଚାଉଳ ଆଣିବା ପାଇଁ ଏକ ବାଇକ ଯୋଗେ ନିଜ ଗ୍ରାମରୁ  କୁହାକାନି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ। ତେବେ,ଏହି ସମୟରେ ବାଲେଶ୍ଵରରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ଏକ ମିନି ପିକଓପ ଭ୍ୟାନ ମଧୁପୁର ଛକଠାରେ ଭାରସାମ୍ୟ ହରାଇ ଉକ୍ତ ବାଇକକୁ ଧକ୍କା ଦେଇ ରାସ୍ତାରେ ଓଲଟି ପଡ଼ିଥିଲା।ଫଳରେ ୩ ବାଇକ ଆ‌ରୋହୀ ଗୁରୁତର ହୋଇ ରାସ୍ତାର ଏଣେତେଣେ ହୋଇ ପଡ଼ିରହିଥିଲେ। ଏହି ଖବରପାଇ ବିଶୋଇ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ବାଇକ ଆ‌ରୋହୀଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ।ଦାସମାତ ମୁର୍ମୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ବାଇକ ଆ‌ରୋହୀ ବୁଢାନ ଓ କାରା ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଉଥିବାର ସୂଚନା ମିଳିଛି। ଏହି ଘଟଣାକୁ ନେଇ ବିଶୋଇ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହିତ ପିକଅପ ଭ୍ୟାନର ଡ୍ରାଇଭରକୁ ଅଟକ ରଖିଛି।

 

ସମ୍ବନ୍ଧିତ ଖବର