ବାଙ୍ଗିରିପୋଷି ଘାଟିରେ ଅଟୋକୁ ପିଟିଲା ଟ୍ରକ, ୨ ମୃତ

ଭୁବନେଶ୍ୱର : ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ସ୍କୁଲ ଛାତ୍ର ହୋଇଥିବାବେଳେ ଅନ୍ୟଜଣକ ଅଭିଭାବକ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଆଜି ଦୋପଟ୍ଟା ଗାଁରୁ ଶୁଳିଆପଦା ଅଭିମୁଖେ ଏକ ଅଟୋରେ ୧୨ ଜଣ ଯାଉଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ୧୦ରୁ ୧୨ ବର୍ଷ ବୟସର ୪ ଜଣ ପିଲା ଥିଲେ । ଅଟୋଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବାବେଳେ ପଛପଟୁ ଆସୁଥିବା ଏକ ଟ୍ରକ ତାହାକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣେ ଛାତ୍ର ଓ ଜଣେ ଅଭିଭାବକଙ୍କୁ ମିଶାଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ କେତେକ ଯାତ୍ରୀ ଆହତ ହୋଇଛନ୍ତି । ଖବରପାଇ ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନା ଓ ପରେ ବାରିପଦା ମୁଖ୍ୟ ଡାକ୍ତରଖାନା ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର