ଡାଆଣୀ ସନ୍ଦେହରେ ହତ୍ୟା, ଅଭିଯୁକ୍ତକୁ ଆଜୀବନ ଜେଲ୍‌

ବାରିପଦା : ବାରିପଦା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌(୨) ସମର ବିଳାସ ବେହେରା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ହତ୍ୟାକରୀକୁ ଆଜୀବନ କାରାଦଣ୍ଡାଦେଶ କରିବା ସହ ୫ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦେୟ ରହିଲେ ଅଧିକ ୩ ମାସ ଜେଲ୍‌ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

୨୦୧୫ ମସିହା ଏପ୍ରିଲ୍‌ ୧୫ ତାରିଖ ସନ୍ଧ୍ୟା ୫ଟାବେଳେ ଶୁଳିଆପଦା ଥାନା ଅନତର୍ଗତ ଟିଲକପାଲ ଗାଁର ସାମଲ ମୁର୍ମୁ (୫୨) ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରି ନିଜ ସାନଭାଇର ପତ୍ନୀ ରନ୍ଧି ମୁର୍ମୁ (୩୩)ଙ୍କୁ ହତ୍ୟା କରିଥିଲା। ସୂଚନାଯୋଗ୍ୟ, ଏହି ହତ୍ୟାକାଣ୍ଡ ଘଟଣାର କିଛିଦିନ ପୂର୍ବରୁ ସାମଲର ସ୍ତ୍ରୀ ଗର୍ଭବତୀ ଥିଲା। କୌଣସି କାରଣରୁ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା। ଏଥିରେ ସାନଭାଇଙ୍କ ପତ୍ନୀର ହାତ ରହିଛି ବୋଲି ସାମଲ ସନ୍ଦେହ କରିଥିଲା। ଏହି ସନ୍ଦେହରୁ ଶେଷରେ ସେ ହତ୍ୟା କରିବାକୁ ବାହାରିଥିଲା। ଭାଇବୋହୂ ଶୋଇଥିଲାବେଳେ ଏକ ଛୁରିରେ ହତ୍ୟା କରିଥିଲା। ଏନେଇ ସାନଭାଇ ନିମାଇଁ ମୁର୍ମୁ ଶୁଳିଆପଦା ଥାନାରେ ଏତଲା ଦେବାପରେ ଏକ ମାମଲା (୨୮/୨୦୧୫) ରୁଜୁ ହୋଇଥିଲା। ଆଜି ଏହି ମାମଲାରେ ୨୩ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇ ଉପରୋକ୍ତ ଦଣ୍ଡବିଧାନ କରାଯାଇଛି। ସରକାରୀ ଓକିଲ ଶାନ୍ତନୁ କୁମାର ଦାଶ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର