ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଞ୍ଜିନିୟର ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ପିଏଚ୍ ଡିଭିଜନ୍-୧ର ସହକାରୀ ଯନ୍ତ୍ରୀଙ୍କ ଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ରହିଛି। ଦୁଇ ଜଣ ଆଡିସ୍ନାଲ୍ ଏସ୍ପି, ୩ ଜଣ ଡିଏସ୍ପି, ୭ ଜଣ ଇନ୍ସ୍ପେକ୍ଟର, ଜଣେ ସବ୍ ଇନ୍ସ୍ପେକ୍ଟର, ୭ ଜଣ ଏଏସ୍ଆଇ ଏହି ଚଢ଼ାଉ କରୁଥିବା ଟିମ୍ରେ ସାମିଲ୍ ଅଛନ୍ତି।
ବାରିପଦା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ଏକ ସର୍ଚ୍ଚ ୱାରେଣ୍ଟ୍ ଇସ୍ୟୁ କରିବା ପରେ ମୟୂରଭଞ୍ଜରେ ଥିବା ଇଞ୍ଜିନିୟର୍ଙ୍କ ୫ଟି ସ୍ଥାନରେ ଏହି ଚଢ଼ାଉ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁ ସବୁ ସ୍ଥାନରେ ଚଢ଼ାଉ ହେଉଛି ତାହାର ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି।
ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଧୀନସ୍ଥ ରଘୁନାଥପୁର ଗ୍ରାମରେ ନାୟକଙ୍କ ପତ୍ନୀଙ୍କ ନାମରେ ଥିବା ଏକ ୩ ମହଲା କୋଠା, ଜିଲ୍ଲାର ବଡ଼ସାହି ଥାନା ଅଧୀନସ୍ଥ ତଲାନ୍ଦାରେ ଥିବା ୨ ମହଲା କୋଠା ବିଶିଷ୍ଟ ଆବାସିକ ଘର, ମୟୂରଭଞ୍ଜର ତଲାନ୍ଦା ଗାଁରେ ଥିବା ତାଙ୍କ ଘର, ମଣିତ୍ରୀ ଗାଁରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବାରିପଦାରେ ଥିବା ତାଙ୍କ ଅଫିସ୍ ରୁମରେ ଏହି ଚଢ଼ାଉ ହୋଇଛି। ଏହାକୁ ନେଇ ଏବେ ଅଧିକ ତଦନ୍ତ ଆରମ୍ଭ ହୋଇଛି।