ବାରିପଦା :ବର୍ଷା କି ଖରାକୁ ଖାତିର ନାହିଁ । ପୁନଃନିଯୁକ୍ତି ଏବଂ ପ୍ରାପ୍ୟ ପ୍ରଦାନ ଦାବିରେ ୨ୟ ଦିନରେ ପହଞ୍ଚିଛି ଜିଲ୍ଲାରେ କୋଭିଡ୍ ପାଇଁ ନିଯୁକ୍ତ ପାଇଥିବା ୪୦୪ ଏନଏନଏମ କର୍ମୀଙ୍କ ଅହୋରାତ୍ର ଆନ୍ଦୋଳନ । ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ କୋଭିଡ୍ କେୟାର ସେଣ୍ଟର୍, କୋଭିଡ୍ କେୟାର୍ ହୋମ୍(ସିସିଏଚ) ଆଦିରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସାରେ ସହାୟତା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମୟୂରଭଞ୍ଜରେ ୪ଶହରୁ ଅଧିକ ଏଏନଏମ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଚୁକ୍ତି ଅନୁସାରେ ୩ ମାସ ପରେ ଏହି କର୍ମୀମାନଙ୍କର ନିଯୁକ୍ତିରୁ ଅନ୍ତର କରାଯାଇଛି। ମାତ୍ର ସେମାନଙ୍କୁ ପୁନଃନିଯୁକ୍ତି ଦାବିରେ ଗତକାଲିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ମଧ୍ୟ ବଳବତ୍ତର ରହିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧାରଣାରେ ବସିଥିବା ଏଏନଏମକର୍ମୀମାନେ ଚେତାବନୀ ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ କିଛିସମୟ ପାଇଁ ବର୍ଷା ହୋଇଥିଲା। ମାତ୍ର ବର୍ଷା ଓଦା ହୋଇ ଧାରଣା ଜାରି ରଖିଥିଲେ ଏମାନେ। ଆଜି ଜିଲ୍ଲାପରିଷଦ ସଭାପତି ତଥା ବିଜେପି ନେତ୍ରୀ ସୁଜାତା ମୁର୍ମୁ ଧାରଣାରତ ଏଏନଏମକର୍ମୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଏହି କରୋନା ଯୋଦ୍ଧାଙ୍କର ଦାବି ସମ୍ପର୍କରେ ସହୃଦୟତାର ସହିତ ବିଚାର କରିବା ଆବଶ୍ୟକ ବୋଲି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ମୁର୍ମୁ ପ୍ରକାଶ କରିଛନ୍ତି।
ଏହି ଅବସରରେ ବିଜେପି ନେତା କବି ବିଷ୍ଣୁ ଶତପଥୀ ଏବଂ ପ୍ରଦୀପ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଧାରଣାକାରୀଙ୍କ ସହିତ ଗତକାଲି ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପୁନଃନିଯୁକ୍ତି ସହିତ ୩ ଦଫା ଦାବି ସମ୍ପର୍କରେ ଜିଲ୍ଲାପ୍ରଶାସନ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଜାରି ରହିବ ବୋଲି ଏଏନଏମ କର୍ମୀଙ୍କୁ ପକ୍ଷରୁ ସୂଚନା ମିଳିଛି। ଦାବି ପୂରଣ ସମ୍ପର୍କରେ ତୁରନ୍ତ ବିଚାର କରାନଗଲେ ଆଗାମୀ ଦିନରେ ଆମରଣ ଅନଶନରେ ବସିବା ସାଙ୍ଗକୁ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବେ ବୋଲି ଧାରଣାକାରୀଙ୍କ ପକ୍ଷରୁ କୁହାଯାଇଛି । ଆବଶ୍ୟକସ୍ଥଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ । ଏଥି ନିମନ୍ତେ ଜିଲ୍ଲାପାଳ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ଛଟେଇ ହୋଇଥିବା ଏଏନଏମ ମାନେ ପ୍ରକାଶ କରିଛନ୍ତି । ତାଲିମ ନେଇ ଦୀର୍ଘ ୧୦ ବର୍ଷ ହେବ ବେକାର ହୋଇ ଘରେ ବସି ରହିଥିବା ଏହି ଏଏନଏମ ମାନଙ୍କୁ ଜିଲ୍ଲାରେ ଥିବା ବିଭିନ୍ନ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବିକା ପଦରେ ନିଯୁକ୍ତି ଦେବାକୁ ଦାବି ହୋଇଛି।