ବାରିପଦା : ବାରିପଦା ସହରରେ ଆଜି ରାତି ୯ଟାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବତୀ ଏଟିଏମ୍ କାର୍ଡ ଲୁଟ୍ ଉଦ୍ୟମ କରି ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୩୪ଟି ଏଟିଏମ୍ କାର୍ଡ ଜବତ ହୋଇଛି। ବାରିପଦା ତକତପୁର ଏସ୍ବିଆଇ ଶାଖା ନିକଟ ଏଟିଏମରେ ସେ ଏଭଳି ଉଦ୍ୟମ କରିଥିଲେ। ସଂପୃକ୍ତ ଯୁବତୀଙ୍କ ସହ ତାଙ୍କର ପୁରୁଷ ସାଥୀ ମଧ୍ୟ ଧରାପଡ଼ିଛନ୍ତି। ଆଜି ଏମାନଙ୍କ ଟାର୍ଗେଟ୍ ହୋଇଥିଲେ ଖାନୁଆ ହାଇସ୍କୁଲର ଶିକ୍ଷକ ନଗେଶ ଖିଲାର।
ଶ୍ରୀ ଖିଲାର ତକତପୁର ଏସବିଆଇ ଏଟିଏମ୍କୁ ଟଙ୍କା ଉଠାଇବାକୁ ଯାଉଥିଲେ। ଏହି ସମୟରେ ତାଙ୍କଠାରୁ ଏଟିଏମ୍ କାର୍ଡଟିକୁ ଜଣେ ଯୁବତୀ ବଦଳାଇ ନେଇ ନକଲି ଏଟିଏମ୍ କାର୍ଡ ଧରାଇ ଦେଇ ଦୌଡ଼ି ପଳାଇଥିଲେ। ବାହାରେ ଏକ ଦାମୀ କାର୍ ଯୁବତୀଙ୍କୁ ଅପେକ୍ଷା କରିଥିଲା। ସେଥିରେ ସେ ଯୁବକଙ୍କ ସହ ପଳାଇଯିବାକୁ ଉଦ୍ୟମ କରିଥିଲେ। ହେଲେ ଶିକ୍ଷକ ଶ୍ରୀ ଖିଲାର ଆଉ କୌଣସି ଉପାୟ ନପାଇ ପାଟି କରିବା ସହ ଦୌଡ଼ିଯାଇ ସେମାନଙ୍କ କାର୍ ଆଗରେ ଶୋଇଯାଇଥିଲେ। ଫଳରେ ଡ୍ରାଇଭର ଗାଡ଼ି ଅଟକାଇ ଦେଇଥିଲା।
ହୋହଲ୍ଲା ଶୁଣି ସ୍ଥାନୀୟ ଲୋକେ ଆସି ଜମାହୋଇ ଯାଇଥିଲେ। ଦୁଇ ଯୁବକଯୁବତୀଙ୍କୁ କାବୁ କରି ସେମାନେ ଉତ୍ତମ ମଧ୍ୟମ କଷି ଦେଇଥିଲେ। ସଂପୃକ୍ତ ଯୁବତୀଜଣକ ନିଜୁ ଫିଲ୍ମ ଅଭିନେତ୍ରୀ କହି ଅଶାଳୀନ ଭାଷାରେ ଲୋକମାନଙ୍କୁ ଗାଳିଗୁଲଜ କରିଥିଲା। ଏମିତି କି ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲା। ତକତପୁର ଛକରେ ପ୍ରାୟ ଦୁଇଘଣ୍ଟା ଧରି ଏଭଳି ନାଟକ ଚାଲିଥିଲା। ଶେଷରେ ତାଙ୍କୁ କୌଣସି ପ୍ରକାରେ କାବୁ କରି ସ୍ଥାନୀୟ ଲୋକେ ପୁଲିସକୁ ହସ୍ତାନ୍ତର କରିଥିଲେ। ଏଣେ ପରିସ୍ଥିତି ବିଗିଡ଼ିଯିବା ଦେଖି ଭିଡ଼ ମଧ୍ୟରେ ଡ୍ରାଇଭର ଚମ୍ପଟ ମାରିଥିଲା।
ସଂପୃକ୍ତ ଶିକ୍ଷକ ଏ ବିଷୟରେ ଟାଉନ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବତୀ ଓ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଥିଲେ ମଧ୍ୟ ସେମାନଙ୍କ ପ୍ରକୃତ ପରିଚୟ ଜଣାପଡ଼ିନାହିଁ। ସେମାନଙ୍କ ଘର କେତେବେଳେ ଜଗତସିଂହପୁର ତ କେତେବେଳେ ବମ୍ବେଛକ ବୋଲି କହୁଛନ୍ତି। ଯୁବତୀଙ୍କ ପାଖରୁ ୩୪ଟି ଜାଲ୍ ଏଟିଏମ୍ କାର୍ଡ ମିଳିଛି। କାର୍ଟିକୁ ମଧ୍ୟ ପୁଲିସ ଅଟକ ରଖିଛି। ସେମାନଙ୍କ ବିଷୟରେ ପୁଲିସ ସବିଶେଷ ସୂଚନା ଦେଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/atm.jpg-f.jpg)